ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ଫେବୃଆରୀ ମାସରୁ ଆରମ୍ଭ ହୋଇପାରେ । ଏହାକୁ ଆଖି ଆଗରେ ରଖି ଏବେ ସରକାରୀ ସ୍ତରରେ ବଜେଟ୍ ପ୍ରସ୍ତୁତ ଲାଗି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
କରୋନା କୋଳାହଳରେ ରାଜ୍ୟ ପ୍ରଶାସନ ବ୍ୟସ୍ତ ଥିବା ବେଳେ ବିଭିନ୍ନ ପ୍ରଶାସନିକ ବିଭାଗ କ୍ଷେତ୍ର ଦପ୍ତରମାନଙ୍କରୁ ବଜେଟ୍ ପ୍ରସ୍ତାବ ସଂଗ୍ରହ କରିଛନ୍ତି ଏବଂ ସରକାରଙ୍କ ନୀତିକୁ ଆଖି ଆଗରେ ରଖି ପ୍ରଶାସନିକ ବିଭାଗଗୁଡ଼ିକ ଏବେ ନିଜ ନିଜର ପ୍ରସ୍ତାବିତ ବ୍ୟୟ ଅଟକଳକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ ବିଭାଗରୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତାବ ମିଳିବା ପରେ ଅର୍ଥ ବିଭାଗ ତାହାର ତର୍ଜମା କରିଥାନ୍ତି । ଏହାଛଡ଼ା ବିଧାନସଭାରେ ବିଧିବଦ୍ଧ ଭାବେ ବଜେଟ୍ ଆଗତ କରାଯିବା ପୂର୍ବରୁ ଅର୍ଥ ବିଭାଗ ମଧ୍ୟ ଅର୍ଥଶାସ୍ତ୍ରୀ, ଯୋଜନା ବିଶାରଦ ଓ ଅନ୍ୟ ବିଶେଷଜ୍ଞମାନଙ୍କ ପ୍ରସ୍ତାବ ଲୋଡ଼ିଥାନ୍ତି ।
ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କରୋନା ସତ୍ତ୍ୱେ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ପ୍ରଶାସନିକ ସ୍ତରରେ ଠିକଣା ଭାବେ ଚାଲୁଛି ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହା ଚୂଡ଼ାନ୍ତ ରୂପ ନେବ । ଅର୍ଥ ବିଭାଗ ପ୍ରସ୍ତାବିତ ବଜେଟ୍ର ଛାନ୍ଭିନ୍ କରିବା ପରେ ଏହାକୁ ମନ୍ତ୍ରିପରିଷଦ ବୈଠକରେ ଉପସ୍ଥାପନ କରାଯାଇଥାଏ ଏବଂ ଏହା ମନ୍ତ୍ରି ପରିଷଦର ସ୍ୱୀକୃତି ଲାଭ କରିବା ପରେ ବିଧାନସଭାରେ ଆଗତ କରାଯାଇଥାଏ ।
ପୂର୍ବରୁ ବିଧାନସଭାର ବଜେଟ୍ ଅଧିବେଶନ ଲମ୍ବା ସମୟ ପାଇଁ ଚାଲୁଥିଲା । ତେବେ ଫେବୃଆରୀ, ମାର୍ଚ୍ଚ ବେଳକୁ କରୋନାର ସ୍ଥିତି ଓ ସେତେବେଳର ଅବସ୍ଥା ଉପରେ ବିଧାନସଭାର ବଜେଟ୍ ଅଧିବେଶନ କେତେଦିନ ଚାଲିବ ତାହା ନିର୍ଭର କରେ । ଏଠାରେ ଉଲ୍ଲେଖନୀୟ ଯେ ଚଳିତ ମାସରେ ସଂସଦର ବଜେଟ୍ ଅଧିବେଶନ ବସୁଛି ଏବଂ ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କେନ୍ଦ୍ରକୁ ଅନେକ ପ୍ରସ୍ତାବ ଦିଆଯାଇଛି । କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ଓ ବିଭିନ୍ନ କେନ୍ଦ୍ରୀୟ ଅନୁଦାନର ବାସ୍ତବ ସ୍ଥିତି କେନ୍ଦ୍ରୀୟ ବଜେଟ୍ରୁ ଆଗୁଆ ଜଣାପଡ଼ିଲେ ରାଜ୍ୟ ବଜେଟ୍ ପ୍ରସ୍ତୁତି ସହଜ ହେବ ବୋଲି ଅର୍ଥନୀତିଜ୍ଞମାନେ କହୁଛନ୍ତି ।
ବିଧାନସଭାର ଅର୍ଥମନ୍ତ୍ରୀ ଅଭିଭାଷଣ ସହ ବଜେଟ୍ ଆଗତ କରିବା ପରେ ବିଭିନ୍ନ ବିଭାଗ ପାଇଁ ଗଠିତ ବିଧାନସଭାର କମିଟି ଏହାର ସମୀକ୍ଷା କରିଥାନ୍ତି ଏବଂ କମିଟିର ରିପୋର୍ଟ ବି ବିଧାନସଭାରେ ଉପସ୍ଥାପିତ ହୋଇଥାଏ । କମିଟି ବୈଠକ ପାଇଁ କିଛିଦିନ ଲାଗି ବିଧାନସଭା ଅଧିବେଶନ ସ୍ଥଗିତ ରୁହେ ଏବଂ ପରବର୍ତ୍ତୀ ସମୟରେ ବିଭାଗୱାରୀ ବଜେଟ୍ ଆଲୋଚନା ପରେ ବିଧାନସଭାର ମଞ୍ଜୁର ପାଇଁ ଏହାକୁ ଆଗତ କରାଯାଇଥାଏ ।
ନୂଆ ଆର୍ଥିକ ବର୍ଷ ଏପ୍ରିଲ୍ ପହିଲାରୁ ଆରମ୍ଭ ହେବାକୁ ଥିବାରୁ ତାହା ପୂର୍ବରୁ ସମସ୍ତ ବିଧି ବ୍ୟବସ୍ଥା ଯେଭଳି ଅକ୍ଷରେ ଅକ୍ଷରେ ପାଳନ କରାଯାଏ ସେ ଦିଗ ପ୍ରତି ଅର୍ଥ ବିଭାଗ ଗୁରୁତ୍ୱାରୋପ କରିଛନ୍ତି । (ତଥ୍ୟ)