ଭୁବନେଶ୍ୱର : ଗରିବ ଲୋକଙ୍କ ପାଇଁ ସହରାଞ୍ଚଳରେ ଫୁଟ୍ଫାଥ ହେଉଛି ଆଶ୍ରୟ ସ୍ଥଳ । ଏବେ ବି ଲୋକେ ଫୁଟ୍ପାଥରେ ଶୋଉଛନ୍ତି । କଟକ ମହାନଗର ଅଞ୍ଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ତତ୍ପର ହୋଇ ଉଠିଛି । ଲୋକେ ଯେଭଳି ଆଉ ଫୁଟ୍ପାଥରେ ନଶୋଇବେ ସେଥିପାଇଁ ସହରାଞ୍ଚଳ ପାଟ୍ରୋଲିଂ ଦଳକୁ ସକ୍ରିୟ କରିବାପାଇଁ ସମସ୍ତ ପୌରାଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ।
ଏ ନେଇ ଆଜି ସିଏମ୍ସିର ଏସୟୁଏଚ୍ ଟିମ୍, ରାଜ୍ୟ ଏସୟୁଏଚ୍ ଟିମ୍ ଏବଂ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏନ୍ଜିଓମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ତଥା ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା)ର ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ବୈଠକରେ ସମସ୍ତ ପୌରାଞ୍ଚଳକୁ ସେମାନଙ୍କର ପାଟ୍ରୋଲିଂ ଟିମ୍କୁ ସକ୍ରିୟ କରିବା ସହିତ ଗୋଷ୍ଠି ସହଯୋଗୀ ଯଥା ମିଶନ ଶକ୍ତି ମହିଳା ଗୋଷ୍ଠିଙ୍କୁ ସାମିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଟକ ସହରରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଏକ ଆକ୍ସନ ପ୍ଲାନ ଆସନ୍ତା ୨୧ ତାରିଖ ସୁଦ୍ଧା ପ୍ରସ୍ତୁତ ଲାଗି କୁହାଯାଇଛି । ଆଜି ଠାରୁ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯିବା ସହିତ ଏଡାକୁ କାର୍ଯ୍ୟକାରୀ ପାଇଁ ସରକାର ସମସ୍ତ ବ୍ୟୟ ବହନ କରିବେ ବୋଲି ସୂଚନା ଦିଆଯାଇଛି ।