ଭୁବନେଶ୍ୱର : ରାଜ୍ୟରେ ଏବେ ନାମଲେଖା ଋତୁ ଚାଲିଥିବାବେଳେ ଘରୋଇ ବିଦ୍ୟାଳୟଗୁଡିକର ନାମଲେଖା ଫି ଆଦାୟ ଉପରେ ସରକାରଙ୍କର କଟକଣା ନଥିବାରୁ ସେମାନେ ମନଇଚ୍ଛା ଅର୍ଥ ଆଦାୟ କରୁଛନ୍ତି । ଅର୍ଥ ଆଦାୟ ସହିତ ଅଭିଭାବକଙ୍କ ପକେଟକୁ ଦେଖି ବିଦ୍ୟାଳୟ ପାଇଁ ବିଭିନ୍ନ ସାମଗ୍ରୀ ମଧ୍ୟ ଆଦାୟ କରୁଛନ୍ତି । ନିଜ ନିଜ ପିଲାଙ୍କ ନାଖଲେଖା ପାଇଁ ବ୍ୟାକୁଳ ଥିବା ଅଭିଭାବକମାନେ ବି ନିରବରେ ସବୁ ସହି ଯାଉଛନ୍ତି ।
ରାଜଧାନୀ ସମେତ ରାଜ୍ୟର ସହରାଞ୍ଚଳରେ ଥିବା ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟରେ ଏବେ ପ୍ରାଥମିକ ସ୍ତରରେ ନାମଲେଖା ଚାଲିଛି । ଏହି ଶ୍ରେଣୀରେ ନାମଲେଖା ପାଇଁ ଅଭିଭାବକମାନଙ୍କ ଠାରୁ ୩୦ ହଜାରରୁ ଆରମ୍ଭ କରି ଦେଢ ଓ ଦୁଇଲକ୍ଷ ଟଙ୍କା ଆଦାୟ କରାଯାଉଛି । କେଉଁ ବିଦ୍ୟାଳୟ କେତେ ଟଙ୍କା ଆଦାୟ କରିବ ସେ ନେଇ କୌଣସି ନିୟମ ଏପର୍ଯ୍ୟନ୍ତ ହୋଇପାରି ନାହିଁ ।
ପ୍ରଥମେ ଏହି ଘରୋଇ ବିଦ୍ୟାଳୟଗୁଡିକ ନାମଲେଖା ଫର୍ମ ବିକ୍ରି କରି ଲକ୍ଷାଧିକ ଟଙ୍କା ଆଦାୟ କରିଥିଲେ । ଘରୋଇ ବିଦ୍ୟାଳୟଗୁଡିକ ଫର୍ମ ଗୋଟିକୁ ହଜାରେରୁ ଦେଢ ହଜାର ଟଙ୍କାରେ ବିକ୍ରି କରିଥିଲେ । ଲୋକେ ବି ଅନ୍ୟ ଉପାୟ ନପାଇ ଏହାକୁ ଖରିଦ କରିଥିଲେ । ଏଥିପାଇଁ ଅଭିଭାବକମାନେ ବ୍ୟାପକ ଖର୍ଚ୍ଚାନ୍ତ ହୋଇଥିଲେ ।
ତେବେ ନାମଲେଖା ବେଳକୁ ଘରୋଇ ବିଦ୍ୟାଳୟଗୁଡିକ ଲଟେରୀ ଠାରୁ ଆରମ୍ଭ କରି ପିତାମାତାଙ୍କ ପାଠପଢା, ଅଭିଜ୍ଞତା, ଆୟ ଆଦିକୁ ବିଚାରକୁ ନେଇ ପିଲାଙ୍କୁ ଚୟନ କରୁଛନ୍ତି । ନାମୀ ଦାମୀ ବିଦ୍ୟାଳୟରେ ନିଜ ନିଜ ପିଲାଙ୍କ ନାମ ଲେଖାଇବା ସକାଶେ ଅଭିଭାବକମାନଙ୍କ ଧାଡି ଲାଗୁଥିବାରୁ ନାମଲେଖା ବାବଦରେ ବିଦ୍ୟାଳୟଗୁଡିକ ମନଇଚ୍ଛା ଫି ଆଦାୟ କରୁଛନ୍ତି । ନାମଲେଖା ପରେ ମଧ୍ୟ କେତେକ ବିଦ୍ୟାଳୟ ବିଦ୍ୟାଳୟ ପାଇଁ ଏସି, ୱାଟର ପ୍ୟୁରିଫାୟର, ଫ୍ୟାନ୍, ଆଲମିରା ଆଦି ଖରିଦ ପାଇଁ ଅର୍ଥ ଦାବି କରୁଛନ୍ତି । ବିଦ୍ୟାଳୟଗୁଡିକ ଅଭିଭାବକମାନଙ୍କୁ ମଧ୍ୟ ଏକକାଳୀନ ସ୍କୁଲ ଫି ପଇଠର ଅଫର ଦେଉଛନ୍ତି ।
ତେବେ ପ୍ରଥମଶ୍ରେଣୀରେ ନାମଲେଖା ପାଇଁ ବିଦ୍ୟାଳୟଗୁଡିକ କେତେ ଫି ଆଦାୟ କରିବେ ସେ ନେଇ ସରକାରଙ୍କର କୌଣସି ନୀତି ନିୟମ ନାହିଁ । ଘରୋଇ ବିଦ୍ୟାଳୟଗୁଡିକୁ ଏ କ୍ଷେତ୍ରରେ ଏକ ପ୍ରକାର ଖୋଲା ଛାଡି ଦିଆଯାଇଛି । ଯେହେତୁ ଅଭିଭାବକମାନେ ସରକାରୀ ବିଦ୍ୟାଳୟ ବଦଳରେ ଘରୋଇ ଇଂରାଜୀମାଧ୍ୟମ ବିଦ୍ୟାଳୟରେ ନିଜ ନିଜ ପିଲାଙ୍କ ନାମଲେଖାଇବାକୁ ଚାହୁଁଛନ୍ତି ଓ ଏହି ସଂଖ୍ୟା ବଢିବାରେ ଲାଗିଛି ତେଣୁ ଘରୋଇ ବିଦ୍ୟାଳୟଗୁଡିକ ଏହାକୁ ଏକ ମଉକା ଭାବେ ଧରି ନେଇଛନ୍ତି ।
ଉଲ୍ଲେଖନୀୟ ଯେ ରାଜ୍ୟର ବିଦ୍ୟାଳୟଗୁଡିକରେ ୨୦୨୩-୨୪ ବର୍ଷରେ ୭୬ଲକ୍ଷରୁ ଅଧିକ ଚାତ୍ରଛାତ୍ରୀ ପଢୁଥିବାବେଳେ ଏମାନଙ୍କ ମଧ୍ୟରୁ ଘରୋଇ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୬ଲକ୍ଷ ପାଖାପାଖି ରହିଛି । ରାଜ୍ୟରେ ଘରୋଇ ବିଦ୍ୟାଳୟର ଫି ଆଦାୟ ଉପରେ ନିୟନ୍ତ୍ରଣ ନଥିବାରୁ ଏବେ ରାଜ୍ୟ ବାହାରର ସଂସ୍ଥାମାନେ ଆସି ଓଡିଶାରେ ଇଣ୍ଟରନ୍ୟାସନାଲ ଭଳି ବିଭିନ୍ନ ଆକର୍ଷଣୀୟ ନାଁ ଦେଇ ବିଦ୍ୟାଳୟ ଖୋଲିବାରେ ଲାଗିଛନ୍ତି । ତେଣୁ ସରକାର ଏହିସବୁ ବିଦ୍ୟାଳୟର ଭିତ୍ତିଭୂମି, ପାଠପଢା, ଛାତ୍ରବାସ ଆଦିର ସମୀକ୍ଷା କରି ସେମାନେ କେତେ ଫି ଆଦାୟ କରିବା ଆବଶ୍ୟକ ତାହା ସ୍ଥିର କରିବାକୁ ଶିକ୍ଷାବିତ୍ମାନେ ମତ ଦେଉଛନ୍ତି । (ତଥ୍ୟ)