Home Education ଫି ଅର୍ଥ ଫେରସ୍ତ ପାଇବେ ଛାତ୍ରଛାତ୍ରୀ

ଫି ଅର୍ଥ ଫେରସ୍ତ ପାଇବେ ଛାତ୍ରଛାତ୍ରୀ

ଭୁବନେଶ୍ଵର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା (ଏମଏମସିପିୱାଇ)ର ଆର୍ଥିକ ସହାୟତା ଯୋଜନା ଅଧୀନରେ ରାଜ୍ୟ ବଜେଟରୁ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

ଏମଏମସିପିୱାଇ ଅଧୀନରେ ଏମବିବିଏସ ଏବଂ ଇଞ୍ଜିନିୟରିଂ (ବି-ଟେକ୍, ଏମ-ଟେକ୍) ପାଠ୍ୟକ୍ରମ ପ୍ରଦାନ କରୁଥିବା ସରକାରୀ ଅନୁଷ୍ଠାନରେ ପଢୁଥିବା ଯୋଗ୍ୟ ଏସଟି ଏବଂ ଏସସି ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ଅବଧିର ସମ୍ପୂର୍ଣ୍ଣ କୋର୍ସ ଫି ଅନ୍ତର୍ଭୁକ୍ତ ହେବ ।

କୋର୍ସ ଫିରେ ନାମଲେଖା ଦେୟ/ସିଟ୍ ଗ୍ରହଣ ଦେୟ, ପ୍ରାରମ୍ଭିକ ଜମା, ବାର୍ଷିକ ପାଠ୍ୟକ୍ରମ ଫି(ଟ୍ୟୁସନ୍ ଫିଏବଂ ଅନୁଷ୍ଠାନକୁ ସମସ୍ତ ବାଧ୍ୟତାମୂଳକ ଦେୟ ), ହଷ୍ଟେଲ ନାମଲେଖା ଦେୟ ଏବଂ ବାର୍ଷିକ ହଷ୍ଟେଲ/ମେସ୍ ଚାର୍ଜ ଏବଂ ପାଠପଢ଼ା ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଯଥା ବହି/ଅଧ୍ୟୟନ ସାମଗ୍ରୀ କୋଚିଂ/ଟ୍ୟୁଟୋରିଆଲ୍ ଖର୍ଚ୍ଚ ଏଥିରେ ଅନ୍ତର୍ଭୁକ୍ତ ।

ଅନୁଷ୍ଠାନର ଡିନ୍/ମୁଖ୍ୟ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ଏ ସମସ୍ତ ଖର୍ଚ୍ଚକୁ ଏହି ଯୋଜନା ଅଧୀନରେ ଭରଣା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇପାରିବ । ୨୦୨୩-୨୪ ମସିହାରୁ ଏହି ବିଭାଗକୁ ସମସ୍ତ ଯୋଗ୍ୟ ଏସଟି ଓ ଏସସି ଛାତ୍ରଛାତ୍ରୀଙ୍କ ଉପରୋକ୍ତ ଆବଶ୍ୟକତା ପଠାଯାଇପାରିବ ।

ଉପରୋକ୍ତ ଦ୍ରଷ୍ଟବ୍ୟ ଅନୁଯାୟୀ ସମସ୍ତ ପାଠପଢା ଖର୍ଚ୍ଚ  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି  ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫରୁ ବହନ କରାଯିବ ବୋଲି କମିଶନର-ତଥା ଶାସନ ସଚିବ ଶ୍ରୀମତୀ ରୂପାରୋଶନ ସାହୁ ସମସ୍ତ ଜିଲ୍ଲାପାଳ ତଥା–ଜିଲ୍ଲା ମାଜିଷ୍ଟ୍ରେଟ୍ ମାନଙ୍କୁ ଚିଠି ଲେଖି ଆଜି ଜଣାଇଛନ୍ତି ।