Home News in Odia ଫିକା ପଡିବ ରଜ

ଫିକା ପଡିବ ରଜ

ଭୁବନେଶ୍ୱର : ବଢୁଥବା ଅସ୍ୱାଭାବିକ ତାପମାତ୍ରା ସହିତ ପ୍ରବଳ ଗରମ ଓ ଗୁଳୁଗୁଳି ଚଳିତବର୍ଷ ଓଡିଶାର ଗଣପର୍ବ ରଜକୁ ଫିକା ପକାଇପାରେ । ଏପରିକି ରଜ ତିନି ଦିନରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବା ସହିତ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରଜ ପର୍ବ ପାଳନକୁ ଆଉ ଦୁଇଦିନ ବାକି ଅଛି । ଏହି ସମୟରେ ଗାଁ ଠୁ ସହର ପର୍ଯ୍ୟନ୍ତ ଲୋକେ ନୂଆ ପୋଷାକ ସହିତ ଅନ୍ୟାନ୍ୟ ନୂଆ ସାମଗ୍ରୀ କିଣାକିଣି କରିବାକଥା । ଏଥିପାଇଁ ହାଟ ବଜାରରେ ପ୍ରବଳ ଭିଡ ଲାଗି ରହିବାକଥା । ହେଲେ ଚଳିତବର୍ଷର ଅସହ୍ୟ ତାପମାତ୍ରା ଏବେ ବଡ ବାଧକ ହୋଇଛି । ଅବସ୍ଥା ଏଭଳି ହୋଇଛି ଯେ ଦିନବେଳା ଲୋକେ ପ୍ରବଳ ଖରାରେ ଲୋକେ ଘରୁ ବାହାରିପାରୁ ନାହାନ୍ତି । ଫଳରେ ଦିନବେଳା ବିଭିନ୍ନ ଦୋକାନବଜାର ଏକ ପ୍ରକାର ଖାଁ ଖାଁ ରହୁଛି । ଶୀତତାପ ନିୟନ୍ତ୍ରିତ ଥିବା ମଲ୍‍କୁ କାଁ ଭାଁ ଲୋକେ ଯାଇ କିଣାକିଣି କରୁଛନ୍ତି ।

ଫଳରେ ଚଳିତବର୍ଷ ରଜରେ ଭଲ ବେପାର ପାଇଁ ଆଶାବାନ୍ଧି ବସିଥିବା ବ୍ୟବସାୟୀମାନେ ଏକ ପ୍ରକାର ହତାଶ ହୋଇ ବସିଛନ୍ତି । କିଛି ବ୍ୟବସାୟୀଙ୍କ କହିବାକଥା ଯେ ଚଳିତବର୍ଷ ଆଶା ଠାରୁ ଅଧା ବେପାର ବି ହେବାନେଇ ସେମାନେ ସନ୍ଦେହରେ ରହିଛନ୍ତି ।

ଉଲ୍ଲେଖନୀୟ ଯେ ଚଳିତବର୍ଷ ମୌସୁମୀ ଆସିବରେ ଅହେତୁକ ବିଳମ୍ବ ହେଉଥିବାବେଳେ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା କେତେକ ଜିଲ୍ଲାରେ ୪୫ଡିଗ୍ରୀ ଅତିକ୍ରମ କରିଛି । ଉପକୂଳ ଓଡିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ରବିବାର ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ରାଜଧାନୀର ତାପମାତ୍ରା ଗୋଟିଏ ଦିନରେ ୬.୬ ଡିଗ୍ରୀ ବୃଦ୍ଧି ପାଇ ୪୨.୬ ଡିଗ୍ରୀରେ ପହଞ୍ଚିଛି । ସେହିଭଳି ବ୍ୟବସାୟର ଅନ୍ୟତମ ପେଣ୍ଠସ୍ଥଳ ଗୋଟିଏ ଦିନରେ ୬.୨ ଡିଗ୍ରୀ ବଢି ୪୧.୬ ଡିଗ୍ରୀରେ ପହଞ୍ଚିଛି । କେବଳ ଏହି ଦୁଇ ସହର ନୁହେଁ ଉପକୂଳ ଅଞ୍ଚଳରେ ସବୁଆଡେ ଅସ୍ୱାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ।

ଇତି ମଧ୍ୟରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ତିନିଦିନ ପାଇଁ ପ୍ରଚଣ୍ଡ ତାତି ନେଇ ସର୍ତକତା ଜାରି କରାଯିବା ସହିତ ଦିନବେଳା ତାପମାତ୍ରା ୫ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବଢିବ ବୋଲି କୁହାଯାଉଛି । ତେଣୁ ଏଭଳି ସ୍ଥିତିରେ ଚଳିତବର୍ଷର ଗଣପର୍ବ ଫିକା ପଡିଯିବ ବୋଲି କୁହାଯାଉଛି ।

ଉଲ୍ଲେଖନୀୟ ଯେ ସମଗ୍ର ରାଜ୍ୟରେ ତିନିଦିନ ବ୍ୟାପି ରଜପର୍ବ ପାଳନ ହେଉଥିବାବେଳେ ପ୍ରାୟ ପ୍ରତିବର୍ଷ ରଜର ସପ୍ତାହେ ପୂର୍ବରୁ ମୌସୁମୀ ବର୍ଷା କିମ୍ବା ପ୍ରାକ୍‍ ମୌସୁମୀ ବର୍ଷା ହୋଇଥାଏ । ଏଥିଯୋଗୁଁ ସମଗ୍ର ରାଜ୍ୟର ପାଣିପାଗ ଶୀତଳ ରହିଥାଏ ଏବଂ ଲୋକେ ସୁବିଧାରେ ନିଜ ନିଜ ପସନ୍ଦର ନୂଆ ସାମଗ୍ରୀ କିଣିବା ସହିତ ଆନ୍ଦର ସହକାରେ ରଜ ଉତ୍ସବ ପାଳନ କରିଥାନ୍ତି । ରଜ ପର୍ବ ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ ଦୋଳି ଠାରୁ ଆରମ୍ଭ ବିଭିନ୍ନ ପ୍ରକାର କ୍ରୀଡା ସମେତ ପିଠା ପଣାର ଆୟୋଜନ ହୋଇଥାଏ । ହେଲେ ଚଳିତବର୍ଷର ଅସ୍ୱାଭାବିକ ତାପମାତ୍ରା ଏସବୁ ଫିକା ପକାଇଦେବା ନେଇ ଆୟୋଜକମାନେ ଆଶଙ୍କା ପ୍ରକାଶ କରୁଛନ୍ତି । (ତଥ୍ୟ)