Home Education ଫାଣ୍ଡି ପ୍ରତିଷ୍ଠା ଦାବି କଲେଣି ଛାତ୍ରୀ

ଫାଣ୍ଡି ପ୍ରତିଷ୍ଠା ଦାବି କଲେଣି ଛାତ୍ରୀ

ଭୁବନେଶ୍ୱର : ପୂର୍ବରୁ ଶିକ୍ଷାନୁଷ୍ଠାନ ପରିସରକୁ ପୁଲିସ ପ୍ରବେଶ ବିରୋଧରେ ଛାତ୍ର ସଂଗଠନମାନେ ସମ୍ମିଳିତ ସ୍ୱର ଉଠାଉଥିବାବେଳେ ଏବେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିରାପତ୍ତା ଦୃଷ୍ଟିରୁ ଶିକ୍ଷାନୁଷ୍ଠାନ ପରିସରରେ ଫାଣ୍ଡି ପ୍ରତିଷ୍ଠା ଏବଂ ୨୪ ଘଣ୍ଟିଆ ପୁଲିସ ମୁତୟନ ପାଇଁ ଦାବି କରୁଛନ୍ତି ।

ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରାଜଧାନୀର କେନ୍ଦ୍ରସ୍ଥଳରେ ରହିଛି । ଏହି ବିଶ୍ୱବିଦ୍ୟାଳୟର ଅନତି ଦୂରରେ ଡିସିପିଙ୍କ କାର୍ଯ୍ୟାଳୟ ଓ ଶହୀଦନଗର ଥାନା ଅବସ୍ଥିତ । ଏହା ସତ୍ତ୍ୱେ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ନିଜକୁ ଏତେ ଅସୁରକ୍ଷିତ ମନେ କରୁଛନ୍ତି ଯେ ସେମାନେ ପୁଲିସ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଭେଟି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ପୁଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ନିବେଦନ କରିଛନ୍ତି ।

ଛାତ୍ରୀମାନଙ୍କ ଅଭିଯୋଗ ହେଉଛି ଯେ କିଛି ଅସାମାଜିକ ବ୍ୟକ୍ତି ବିଶ୍ୱବିଦ୍ୟାଳୟ ନିକଟରେ ପଇଁତରା ମାରିବା ସହିତ ବେଳେବେଳେ ଛାତ୍ରୀମାନଙ୍କ ପ୍ରତି ଟିପ୍ପଣୀ ଦେଉଛନ୍ତି । ଏହା ସେମାନଙ୍କୁ ମାନସିକ ଆଘାତ ଦେଉଛି । ଏହି ଅସାମାଜିକ ତତ୍ତ୍ୱମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ବିଶ୍ୱବିଦ୍ୟାଳୟ ପରିସରରେ ଏକ ପୁଲିସ ଫାଣ୍ଡି ପ୍ରତିଷ୍ଠା କରିବା ପାଇଁ ସେମାନଙ୍କ ପ୍ରସ୍ତାବରୁ ରାଜ୍ୟର ଅନ୍ୟ ଅଞ୍ଚଳରେ ଥିବା ମହିଳା କଲେଜ୍‍ ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଅତୀତରେ ବହୁ ଛାତ୍ର ଆନ୍ଦୋଳନ ସମୟରେ ବିଶ୍ୱବିଦ୍ୟାଳୟ ପରିସରକୁ ପୁଲିସ ପ୍ରବେଶକୁ ଛାତ୍ରଛାତ୍ରୀମାନେ ବହୁବାର ବିରୋଧ କରିଛନ୍ତି । ତେବେ ନିକଟରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର ଭିତରେ ବିଜେପିର ଯୁବଶାଖା ଏବଂ ଏବିଭିପିର କିଛି ସଦସ୍ୟମାନଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୁଲିସର ହସ୍ତକ୍ଷେପ ଲୋଡ଼ାଯାଇଛି । ଆଗରେ ଛାତ୍ର ସଂସଦ ନିର୍ବାଚନ ଥିବାରୁ ସମ୍ଭାବ୍ୟ ଉତ୍ତେଜନା ମୂଳକ ପରିସ୍ଥିତିକୁ ଆଖି ଆଗରେ ରଖି ଅନେକ ଛାତ୍ରଛାତ୍ରୀ ଆତଙ୍କିତ । ବିଶେଷକରି ଛାତ୍ରୀ ନିବାସ ବାହାରେ ଅସାମାଜିକ ବ୍ୟକ୍ତିଙ୍କ ଭିଡ଼ ଜମୁଥିବା ଘେନି ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏହାଛଡ଼ା ବିଶ୍ୱବିଦ୍ୟାଳୟ ପରିସରରେ ବ୍ୟାପକ ନିଶା କାରବାର ଏବଂ ଛାତ୍ରାବାସଗୁଡ଼ିକରେ ବହୁ ସମୟରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ ମଧ୍ୟ ଲାଗି ରହୁଛି । ଏ ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗର ବହୁ ଛାତ୍ରଛାତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ପୁଲିସ ଫାଣ୍ଡି ପ୍ରତିଷ୍ଠା କରିବାକୁ ଦାବି କରୁଛନ୍ତି ।

ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ରୀ ଆତ୍ମାହୂତି ଦେବା ଘଟଣା ପରେ ଅଧ୍ୟକ୍ଷ ଓ ଜଣେ ଅଧ୍ୟାପକଙ୍କ ପରେ ଦୁଇଜଣ ଛାତ୍ରଙ୍କୁ ପୁଲିସ ବାନ୍ଧି ଜେଲ୍‍ ପଠାଇଛି । ଏହାପରେ ଆଉ କେଉଁ ଛାତ୍ରଛାତ୍ରୀଙ୍କ ପାଳି ପଡ଼ିବ ସେଥିଘେନି କୋକୁଆ ଭୟ ଲାଗି ରହିଛି । ପରିବେଶ ଅଶାନ୍ତ ଥିବାରୁ ଏଠାରେ ବି ୨୪ ଘଣ୍ଟିଆ ପୁଲିସ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରୁ ଦାବି ଉଠୁଛି ।

କେବଳ ଭୁବନେଶ୍ୱର କି ବାଲେଶ୍ୱର ନୁହେଁ, ଜଗତସିଂହପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ସମ୍ଭାବ୍ୟ ଛାତ୍ର ସଂସଦ ନିର୍ବାଚନ ଦୃଷ୍ଟିରୁ ବାତାବରଣ ସରଗରମ ହେଉଥିବା ବେଳେ ଅଣଛାତ୍ରଙ୍କ ଅନୁପ୍ରବେଶ ବଢ଼ୁଛି । ଏମିତିକି ରାଜଧାନୀରେ ଥିବା କେତେକ ଉଚ୍ଚ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ଅନେକ ପ୍ରମୁଖ ଶିକ୍ଷାନୁଷ୍ଠାନ ଚୋରା ନିଶା ବେପାରୀମାନଙ୍କ ଆଡ୍ଡାସ୍ଥଳୀ ହୋଇଛି । ଏଥିଯୋଗୁ ବିଜେବି, ରାଜଧାନୀ ସମେତ ବିଭିନ୍ନ କଲେଜ୍‍ରେ ଅତୀତରେ ଅନେକଥର ଗଣ୍ଡଗୋଳ ହୋଇଛି । ସମ୍ବଲପୁର, ବ୍ରହ୍ମପୁର, କୋରାପୁଟ, ଭବାନୀପାଟଣା, ରାଉରକେଲା, ବଲାଙ୍ଗୀର ଆଦି ଅନେକ ଅଞ୍ଚଳରୁ ବି ଅନୁରୂପ ଅଭିଯୋଗମାନ ଆସୁଛି । ଏ ପରିପ୍ରେକ୍ଷୀରେ ଛାତ୍ର ସଂସଦ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ଦୃଷ୍ଟିରୁ ବ୍ୟାପକ ପୁଲିସ ବନ୍ଦୋବସ୍ତ କରିବାକୁ ମଧ୍ୟ ଦାବି ଉଠିଲାଣି । ତେବେ ଓଡ଼ିଶା ପୁଲିସରେ ବ୍ୟାପକ ପଦପଦବୀ ଖାଲି ପଡିଥିବାବେଳେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଦୀର୍ଘ ମିଆଦି ଭିତ୍ତିରେ ପୁଲିସ ଫୋର୍ସ ଯୋଗାଇବା ସମ୍ଭବପର ନୁହେଁ ବୋଲି କୁହାଯାଉଛି । (ତଥ୍ୟ)