ଭୁବନେଶ୍ୱର : ଆଜି କୃଷି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଫସଲ ପାଣିପାଗ ଅନୁଧ୍ୟାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟରେ ଫସଲର ସ୍ଥିତି, ପାଣିପାଗ, ସାର ଯୋଗାଣ ସ୍ଥିତି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା ।
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଓଡ଼ିଶାରେ ବହୁଳ ମାତ୍ରାରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହେଉଛି । ଏହି ସବୁଜିମା ଅଭିଯାନ ଅନ୍ତର୍ଗତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୨୩ ଲକ୍ଷ ଚାରା ରୋପଣ କରାଯିବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ସମୟରେ ପାଣିପାଗ ଅନୁକୂଳ ଥିବାରୁ ଚାଷ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । କେନାଲ ଗୁଡ଼ିକର ମରାମତି କରି ଆବଶ୍ୟକ ପରିମାଣର ପାଣି ଚାଷ ଜମିକୁ ଯୋଗାଇ ଦିଆଯାଇଛି ।
ସେହିଭଳି, ସାରା ରାଜ୍ୟରେ ସାର ଯୋଗାଣ କରାଯାଉଛି । ଯେଉଁଠାରୁ ସାର ଯୋଗାଣ ନେଇ କିଛି ବି ଅଭିଯୋଗ ଆସୁଛି ବିଭାଗ ତା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଡ଼ ପାଢ଼ୀ ମତବ୍ୟକ୍ତ କରିଛନ୍ତି । ଏହାବ୍ୟତୀତ କୃଷି ସମୃଦ୍ଧି ହେଲ୍ପ ଲାଇନ ମାଧ୍ୟମରେ ଚାଷୀଙ୍କୁ ସଠିକ ସୂଚନା ପ୍ରଦାନ କରାଯାଉଛି । ଆଗାମୀ ସମୟରେ ସାର ଯୋଗାଣକୁ ସୁଦୃଢ଼ କରିବା ନିମନ୍ତେ ଅଧିକ ରେଳ ରେକ୍ ପଏଣ୍ଟ ପାଇଁ ବିଭାଗ ତରଫରୁ ରେଳ ମନ୍ତ୍ରଣାଳୟକୁ ଚିଠି ଲେଖା ଯାଇଛି ।
ବୈଠକରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କୁଲାଙ୍ଗେ ଗୋରଖ ୱାମନ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା, କୃଷି ନିର୍ଦ୍ଦେଶକ ଶ୍ରୀମତୀ ଲିଟି ପଟ୍ଟନାୟକ, ପାଣିପାଗ ନିର୍ଦ୍ଦେଶକ ଡ଼ ମନୋରମା ମହାନ୍ତି, କୃଷି ବିଭାଗ, ସମବାୟ ବିଭାଗ, ଜଳସେଚନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।