Home Education ଫଳ ବାହାରିନି ନାମଲେଖା ସରିଲାଣି

ଫଳ ବାହାରିନି ନାମଲେଖା ସରିଲାଣି

ଭୁବନେଶ୍ୱର : ମାଟ୍ରିକ ଫଳ ବାହାରିନି, ହେଲେ ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖା ସରି ପାଠପଢା ବି ହେଲାଣି । ଏଭଳି ଶିକ୍ଷା ବ୍ୟବସ୍ଥାକୁ ଆପଣେଇଛନ୍ତି ରାଜଧାନୀ ସମେତ ରାଜ୍ୟରେ ଥିବା ଅଧିକାଂଶ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ।

ରାଜ୍ୟର ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡିକରେ ପିଲାମାନେ ଆଇସିଏସ୍‍ଇ କିମ୍ବା ସିବିଏସ୍‍ଇ ବୋର୍ଡ ମାଧ୍ୟମରେ ପରୀକ୍ଷା ଦେଇଛନ୍ତି । ଆଜି ଆଇସିଏସ୍‍ଇର ପରୀକ୍ଷାଫଳ ପ୍ରକାଶ ପାଇଥିବାବେଳେ ସିବିଏସ୍‍ଇ ବୋର୍ଡର ପରୀକ୍ଷାଫଳ କେବେ ପ୍ରକାଶିତ ହେବ ତାହା ଜଣାପଡି ନାହିଁ । ଇତି ମଧ୍ୟରେ ଆସନ୍ତା ୨୦ ତାରିଖରୁ ଓଡିଶା ଉଚ୍ଚ ଶିକ୍ଷା ପରିଷଦ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ପାଇଁ ସୂଚନା ଦେଇଛି । ଅର୍ଥାତ୍‍ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ୨୦ ତାରିଖ ଠାରୁ ଯୁକ୍ତ ଦୁଇରେ ନାମ ଲେଖା ପାଇଁ ଅନ୍‍ଲାଇନ୍‍ରେ ଆବେଦନ କରିପାରିବେ ।

ହେଲେ ଇତି ମଧ୍ୟରେ କେତେକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଯୁକ୍ତ ଦୁଇ ନାମଲେଖା ସରି ପାଠପଢା ହେଲାଣି । ଯେଉଁସବୁ ବିଦ୍ୟାଳୟରେ ପିଲାମାନେ ମାଟ୍ରିକ ପରୀକ୍ଷା ଦେଇଥିଲେ ଓ ସେଠାରେ ଯୁକ୍ତ ଦୁଇ ଶ୍ରେଣୀ ରହିଛି ସେହିସବୁ ବିଦ୍ୟାଳୟ ଏଭଳି ଚଞ୍ଚକତା କରିଛନ୍ତି । କାଳେ ନିଜ ବିଦ୍ୟାଳୟର ପିଲାମାନେ ଅନ୍ୟ ବିଦ୍ୟାଳୟ କିମ୍ବା ଓଡିଶା ସରକାରଙ୍କ ଅଧିନକୁ ପଳାଇବେ ସେଥିପାଇଁ ସେମାନଙ୍କୁ ଏକ ପ୍ରକାର ନିଜ ବିଦ୍ୟାଳୟରେ ପଢିବାକୁ ବାଧ୍ୟ କରିଛନ୍ତି ।

ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରବର୍ତ୍ତାଇ ନିଜ ନିଜ ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖାଇଛନ୍ତି । ଏଥିପାଇଁ ବାର୍ଷିକ ୪୦ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଆଦାୟ ହୋଇଛି । ଅଭିଭାବକମାନେ ମଧ୍ୟ ଏ କ୍ଷେତ୍ରରେ ଏକ ପ୍ରକାର ନାଚାର । ପିଲାଙ୍କ ଆଗ୍ରହ ଓ ଭବିଷ୍ୟତରେ ଅସୁବିଧାନରେ ନପଡିବାପାଇଁ ସେମାନେ ବି ମାଟ୍ରିକ ପାଶ୍‍ କରିନଥିବା ନିଜ ନିଜ ପିଲାଙ୍କ ନାମ ଯୁକ୍ତ ଦୁଇ ଶ୍ରେଣୀରେ ଲେଖାଇଛନ୍ତି । ତେବେ କେତେକ ଅଭିଭାବକ ଯେଉଁମାନେ କି ଆର୍ଥିକ କିମ୍ବା ଅନ୍ୟାନ୍ୟ କାରଣ ଯୋଗୁଁ ରାଜ୍ୟର ପ୍ରତିଷ୍ଠିତ ସରକାରୀ କଲେଜରେ ନିଜ ନିଜ ପିଲାଙ୍କୁ ଯୁକ୍ତ ଦୁଇ ପଢାଇବାକୁ ଚାହିିଁଥିଲେ ସେମାନେ ହତାଶ ହୋଇଛନ୍ତି ।

କେତେକ ଅଭିଭାବକ କହିଛନ୍ତି ଯେ ଏହିସବୁ ଇଂରାଜୀମାଧ୍ୟମ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବେପାରୀ ବୁଦ୍ଧି ଆଗରେ ଆମେ ଏକ ପ୍ରକାର ନାଚାର । ଏବେ ଯଦି ସେମାନଙ୍କ କଥା ଅନୁଯାୟୀ ନାମ ନଲେଖାଇବୁ ତେବେ ପରେ ହଇରାଣ ହେଲେ କେହି ଆଉ ଆମ କଥା ଶୁଣିବେ ନାହିଁ । ତେଣୁ ବାଧ୍ୟ ହୋଇ ଏଭଳି କରିବାକୁ ପଡୁଛି ।

ତେବେ ଓଡିଶା ସରକାରଙ୍କ ଠାରୁ ଶସ୍ତାରେ ଜମି ଓ ଅନ୍ୟାନ୍ୟ ସୁବିଧା ନେଇଥିବା ଏହି ବିଦ୍ୟାଳୟଗୁଡିକ କିଭଳି ଓଡିଆ ମାଧ୍ୟମ ବିଦ୍ୟାଳୟର ମେଧାବୀ ପିଲାଙ୍କ ପାଇଁ ସେମାନଙ୍କ ଦୁଆର ବନ୍ଦ କରୁଛନ୍ତି ତାହା ମଧ୍ୟ ଜଳ ଜଳ ହୋଇ ଦିଶୁଛି । ରାଜ୍ୟ ସରକାରଙ୍କ ଅଜଣାତରେ ବା ଜାଣତରେ, ଦଶମ ପରୀକ୍ଷା ଫଳ ପ୍ରକାଶନ ପୂର୍ବରୁ ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖା ଓ ପାଠପଢା ଏବେ ଅନେକ ଶିକ୍ଷାବିତ୍‍ ଓ ଅଭିଭାବକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । (ତଥ୍ୟ)