ଭୁବନେଶ୍ୱର : ରାଜ୍ୟ ସରକାର ଫଳ ଓ ପନିପରିବା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ ଲାଗି ଅଭିଯାନ ଆରମ୍ଭ କରିଥିବାବେଳେ ଏଥିପାଇଁ ଆବଶ୍ୟକ ପରିମାଣ ଶୀତଳଭଣ୍ଡାରର ଅଭାବ ରହିଛି । ବର୍ତ୍ତମାନ ରାଜ୍ୟରେ ମାତ୍ର ୪୯ଟି ଶୀତଳଭଣ୍ଡାର ଥିବାବେଳେ ସମସ୍ତ ପ୍ରକାର ପ୍ରୋତ୍ସାହନ ଘୋଷଣା ସତ୍ୱେ ନୂତନ ଶୀତଳଭଣ୍ଡାର ସ୍ଥାପନ ଲାଗି ଉଦ୍ୟୋଗୀମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି ।
ରାଜ୍ୟରେ ଏବେ ମାତ୍ର ୪୯ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଥିବାବେଳେ ଏହାର ସଂରକ୍ଷଣ କ୍ଷମତା ହେଉଛି ୨,୩୨,୮୮୦ ମେଟ୍ରିକ ଟନ୍ । ଗତ ଆଠ ବର୍ଷ ମଧ୍ୟରେ ସରକାର ଗୋଟିଏ ହେଲେ ନୂଆ ଶୀତଳଭଣ୍ଡାର ନିର୍ମାଣ କରିନାହାନ୍ତି । ବର୍ତ୍ତମାନ ଯେଉଁ ଶୀତଳଭଣ୍ଡାର ରହିଛି ତାହା କ୍ଷମତାର ୬୦ ପ୍ରତିଶତ ପର୍ଯ୍ୟନ୍ତ ବ୍ୟବହାର ହେଉଛି । ତେବେ ୨୦୧୫ ମସିହାରେ ରାଜ୍ୟରେ ହୋଇଥିବା ସର୍ବେକ୍ଷଣ ଅନୁଯାୟୀ ୩ଲକ୍ଷ ଟନ୍ କ୍ଷମତାର ଶୀତଳଭଣ୍ଡାର ଆବଶ୍ୟକ ରହିଥିଲା ।
ଇତି ମଧ୍ୟରେ ସାତବର୍ଷ ବିତିବାକୁ ବସିଥିଲେ ବି ୩ଲକ୍ଷ ଟନ୍ କ୍ଷମତାର ଶୀତଳଭଣ୍ଡାର ନିର୍ମାଣ ହୋଇପାରିନାହିଁ । ତେବେ ଚଳିତବର୍ଷ ରାଜ୍ୟ ସରକାର ୧୦ହଜାର ଟନ୍ କ୍ଷମତା ବିଶିଷ୍ଟ ଦୁଇଟି ଶୀତଳଭଣ୍ଡାର ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି । ତେବେ ଅଧିକ ଶୀତଳଭଣ୍ଡାର ଆବଶ୍ୟକ ପଡିଲେ ସରକାର ସେ ଦିଗରେ ପଦକ୍ଷେପ ଗ୍ରହଣ କରିବେ ।
ରାଜ୍ୟରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ଉଦ୍ୟୋଗୀମାନେ ଯେଭଳି ଆଗେଇ ଆସିବେ ସେଥିପାଇଁ ସରକାର ବ୍ୟାପକ ପ୍ରୋତ୍ସାହନ ଯୋଜନା ଘୋଷଣା କରିଥିଲେ । ଘରତିଆରି ଠାରୁ ଆରମ୍ଭ କରି ବିଦ୍ୟୁତ୍ ରିହାତି ବି ଘୋଷଣା ହୋଇଥିଲା । ହେଲେ ଘରୋଇ ସଂସ୍ଥାମାନେ ଏଥିପ୍ରତି ସେତେଟା ଆଗ୍ରହ ପ୍ରକାଶ କରୁନଥିବା ଲକ୍ଷ୍ୟ କରାଯାଉଛି ।
ରାଜ୍ୟର ଚାହିଦା ମେଣ୍ଟାଇବାପାଇଁ ସରକାର ଏବେ ଆଳୁ ସମେତ ଅନ୍ୟାନ୍ୟ ପନିପରିବା ଓ ଫଳ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟର ଆଳୁ ଚାହିଦା ବାର୍ଷିକ ପ୍ରାୟ ୧୧ଲକ୍ଷ ଟନ୍ ହୋଇଥିବାବେଳେ ଉତ୍ପାଦିତ ହେଉଛି ପାଖାପାଖି ୩ଲକ୍ଷ ଟନ୍ । ଶୀତଳଭଣ୍ଡାର ଅଭାବରୁ ଏହାକୁ ବି ଉତ୍ପାଦନ ସମୟରେ ଅନ୍ୟ ରାଜ୍ୟର ଚାଷୀ ନେଇ ଯାଉଛନ୍ତି । ଯଦି ଉତ୍ପାଦନ ବୃଦ୍ଧି ପାଇବ ସେଥିପାଇଁ ଅଧିକ ସଂଖ୍ୟାରେ ଶୀତଳଭଣ୍ଡାର ଆବଶ୍ୟକ । ଅନୁରୂପ ଭାବେ ଫଳ ଓ ପନିପରିବା ରଖିବାକୁ ବି ଶୀତଳଭଣ୍ଡାର ଆବଶ୍ୟକ ପଡିବ । କାରଣ ବିନା ଶୀତଳଭଣ୍ଡାରରେ ଚାଷୀମାନେ ଏଥିରୁ ଆଖିଦୃଶିଆ ଲାଭ ପାଇପାରିବେ ନାହିଁ ।
ଏଭଳି ସ୍ଥିତିରେ ରାଜ୍ୟରେ ମାତ୍ର ହାତ ଗଣତି କେତୋଟି ଶୀତଳଭଣ୍ଡାର କାର୍ଯ୍ୟ କରିବା ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ସରକାର ଘରୋଇ ଉଦ୍ୟୋଗୀଙ୍କୁ ନ ଚାହିଁ ନିଜସ୍ୱ ଉଦ୍ୟମରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ବହୁ ଚାଷୀ ମତ ଦେଉଛନ୍ତି । (ତଥ୍ୟ)