ଭୁବନେଶ୍ୱର : ଚାଉଳ, କ୍ଷୀର, କୁକୁଡ଼ା, ମାଛ ଯାଆଁଳ ଆଦି କ୍ଷେତ୍ରରେ ଆତ୍ମ-ନିର୍ଭରଶୀଳ ହେବାପରେ ଓଡ଼ିଶା ବର୍ତ୍ତମାନ ପନିପରିବା ଏବଂ ଫଳ ଉତ୍ପାଦନରେ ଆତ୍ମ-ନିର୍ଭରଶୀଳ ହେବା ନିମନ୍ତେ ପ୍ରଚେଷ୍ଟା ଆରମ୍ଭ କରିଛି । ଏଥିପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦୀ ଏବଂ ସମୟାନୁବନ୍ଧିତ କାର୍ଯ୍ୟ-ପନ୍ଥା ନିର୍ଦ୍ଧାରଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । କୃଷି ଉତ୍ପାଦ ବୃଦ୍ଧି ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ରାଜ୍ୟରେ ଫଳ ଓ ପନିପରିବା ଚାଷ ସମ୍ବନ୍ଧିତ ସଦ୍ୟତନ ସ୍ଥିତି ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
ଫଳ ଓ ପନିପରିବା ଚାଷ ପାଇଁ ଓଡ଼ିଶାରେ ଥିବା ବହୁ ସମ୍ଭାବନା ଓ ସମ୍ବଳ ବିଷୟ ଉଲ୍ଲେଖ କରି ବିଭିନ୍ନ ଅଂଚଳର କୃଷି-ଜଳବାୟୁ ଓ ମୁର୍ତ୍ତିକା ସଂରଚନା ଆଦି ଭିତ୍ତିରେ ଲକ୍ଷ୍ୟଭେଦୀ କାର୍ଯ୍ୟ-ଯୋଜନା ପ୍ରସ୍ତୁତ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ଫଳ ଓ ପନିପରିବାର ଆଧୂନିକ ଚାଷ ପ୍ରଣାଳୀ, ବାର୍ଷିକ ଆୟ ଆଦି ବିଷୟରେ କୃଷକମାନଙ୍କୁ ଅନୁପ୍ରେରଣା ଦେବାପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ଫୁଲ କୋବି, ବନ୍ଧା କୋବି, ଟମାଟୋ, ଆଳୁ, ପିଆଜ ଆଦି ଜାତୀୟ ପରିବା ଏବଂ କଦଳୀ, ଅମୃତଭଣ୍ଡା, ପିଜୁଳି ଓ ଲେମ୍ବୁ ଆଦି ଫଳ ଉତ୍ପାଦନ ବଢ଼ାଇବା ପାଇଁ ପରାମର୍ଶ ଦେଇଥିଲେ ।
ଲକ୍ଷ୍ୟଭେଦୀ କାର୍ଯ୍ୟଯୋଜନା ପ୍ରସ୍ତୁତି ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଊତ୍ପାଦନ କମିଶନ ଶ୍ରୀ ରାଜକୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ବିଭିନ୍ନ ପ୍ରକାର ଫଳ ଓ ପନିପରିବା ପାଇଁ ବିଶେଷଜ୍ଞ, କୃଷକ, କୃଷି-ଉଦ୍ୟୋଗୀ, ଜଳ ସଂପଦ ଓ କୃଷି ବିଭାଗ ଯନ୍ତ୍ରୀମାନଙ୍କ ଠାରୁ ଆବଶ୍ୟକୀୟ ମତାମତ ଓ ପରାମର୍ଶ ନେଇ ବାସ୍ତବବାଦୀ କାର୍ଯ୍ୟ-ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ବିଭାଗୀୟ ଶାସନ ସଚିବ ଶ୍ରୀ ବଶିଷ୍ଠ ଜଣାଇଥିଲେଯେ ଓଡ଼ିଶାରେ ସାଧାରଣତଃ କଦଳୀ, ଆମ୍ବ, ପିଜୁଳି, ଅମୃତଭଣ୍ଡା, ଲେମ୍ବୁ, ସାଫେତା, ସପୁରୀ, ତରଭୁଜ, ଯାମୁ ଆଦି ଫଳ, ଏବଂ, ବାଇଗଣ, ଭେଣ୍ଡି, ଟମାଟୋ, ଆଳୁ, ପିଆାଜ, ପାଣିକଖାରୁ, ଲାଉ, ମୂଳା ଓ କନ୍ଧମୁଳ ଜାତୀୟ ପରିବା, ଫୁଲକୋବି, ବନ୍ଧାକୋବି, ବିନ୍ ଓ ଛୁଇଁ ଆଦି ପନିପରିବା ବେଶି ପରିମାଣରେ ଉତ୍ପାଦିତ ହୁଏ ।
ଉଦ୍ୟାନ ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଜଣାଇଥିଲେ ଯେ ଲଗାତାର ପ୍ରୋତ୍ସାହନ-ମୂଳକ ପ୍ରଚେଷ୍ଟା ଯୋଗୁ ରାଜ୍ୟ ପନିପରିବା ଓ ଫଳ ଉତ୍ପାଦନରେ ଜାତୀୟସ୍ତର ମାନ୍ୟତା ହାସଲ କରିଛି । ୨୦୧୯-୨୦ ବର୍ଷ ଉଦ୍ୟାନ ଚାଷ ବିବରଣୀ ଅନୁସାରେ ଓଡ଼ିଶା ମିଠା ଆଳୁ ଉତ୍ପାଦନରେ ୧ମ; ବାଇଗଣ ଉତ୍ପାଦନରେ ୨ୟ; ଫୁଲକୋବି, ଭେଣ୍ଡି, ଟମାଟୋ ରେ ୫ମ; ଲାଉ ଉତ୍ପାଦନରେ ୬ଷ୍ଠ ସ୍ଥାନ ଅଧିକାର କରିଛି । ସେହିପରି ରାଜ୍ୟ ମଧ୍ୟ ଯାମୁ ଉତ୍ପାଦନରେ ୨ୟ, ଲେମ୍ବୁରେ ୫ମ, ତରଭୁଜରେ ୫ମ, ସଫେତାରେ ୭ମ, ଆମ୍ବରେ ୯ମ ଏବଂ ପଣସ ଉତ୍ପାଦନରେ ୯ମ ସ୍ଥାନ ପାଇଛି ।
ଦୃତ କାର୍ଯ୍ୟାନ୍ୱୟନ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ବିଶେଷ ଚାହିଦା ଥିବା ଏବଂ ଓଡ଼ିଶାର ଜଳବାୟୁ ଓ ମୁର୍ତ୍ତିକା ଅନୁକୂଳ ଅଳ୍ପ ସଂଙ୍ଖ୍ୟକ ଫଳ ଓ ପନିପରିବା ନେଇ କାର୍ଯ୍ୟ-ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନ ରାଜ କୁମାର ଶର୍ମା, ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ବଶିଷ୍ଠ, କୃଷି ନିର୍ଦ୍ଦେଶକ ମୁଥୁ କୁମାର, ଉଦ୍ୟାନଚାଷ ନିର୍ଦ୍ଦେଶକ ଶ୍ରୀ ଲେଙ୍କାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।