Home Election ଫଳପ୍ରଦ ହେଲା ସଚେତନତା ଅଭିଯାନ

ଫଳପ୍ରଦ ହେଲା ସଚେତନତା ଅଭିଯାନ

ନୂଆଦିଲ୍ଲୀ : ପିଭିଟିଜି (ବିଶେଷ ଦୁର୍ବଳ ଜନଜାତି ଗୋଷ୍ଠୀ) ସମ୍ପ୍ରଦାୟ ଏବଂ ଅନ୍ୟ ଆଦିବାସୀ ଗୋଷ୍ଠୀଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଗତ ଦୁଇ ବର୍ଷ ଧରି ନିର୍ବାଚନ ଆୟୋଗଙ୍କ ପ୍ରୟାସ ଫଳପ୍ରଦ ହୋଇଛି ।

ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟମାନେ ମତଦାନ କେନ୍ଦ୍ରଗୁଡ଼ିକରେ ସାଧାରଣ ନିର୍ବାଚନ ୨୦୨୪ର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ସାହର ସହ ଅଂଶଗ୍ରହଣ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଗ୍ରେଟ୍ ନିକୋବରର ଶୋମ୍ପେନ୍ ଜନଜାତି ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ଭୋଟ୍ ଦେଇଥିଲେ।

ପିଭିଟିଜିମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ସଚେତନ ହୋଇ ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କୁ ଭୋଟର ଭାବରେ ପଞ୍ଜୀକରଣ କରିବା ଏବଂ ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଲାଗି ବିଶେଷ ପ୍ରୟାସ କରିଥିଲେ ।

ଭୋଟର ତାଲିକା ସଂଶୋଧନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ଯେଉଁ ନିର୍ଦ୍ଦିଷ୍ଟ ରାଜ୍ୟରେ ପିଭିଟିଜି ରହୁଛନ୍ତି ସେଠାରେ ସ୍ୱତନ୍ତ୍ର ପ୍ରଚାର ଶିବିର ଆୟୋଜନ କରାଯାଇ ଭୋଟର ତାଲିକାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା।

ସୂଚନାଯୋଗ୍ୟ, ୨୦୨୨ ନଭେମ୍ବର ମାସରେ ପୁଣେଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାର ପିଭିଟିଜିମାନଙ୍କୁ ଦେଶର ଗର୍ବିତ ଭୋଟର ଭାବେ ପଞ୍ଜୀକୃତ କରିବା ଏବଂ ସଶକ୍ତ କରିବା ପାଇଁ ଆୟୋଗର ଗୁରୁତ୍ୱପୂର୍ଣ୍ଣ ପ୍ରଚାର ଓ ହସ୍ତକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ।