ଭୁବନେଶ୍ୱର : ମାଛକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରଖିବାପାଇଁ ସେଥିରେ କ୍ଷତିକାରକ ଫର୍ମାଲିନ ମିଶାଯାଉଥିବାରୁ ଏହାର କଡାକଡି ଯାଞ୍ଚ ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି । ଏପରିକି ଏଥିଲାଗି ରାଜ୍ୟ ସ୍ତରରେ ଟାସ୍କଫୋର୍ସ ଗଠନ କରି ମିଳିତ ଚଢାଉ ଲାଗି କୁହାଯାଇଛି ।
ଦେଶର ବିଭିନ୍ନ ରାଜ୍ୟରେ ମାଛରେ କ୍ଷତିକାରକ ଫର୍ମାଲିନ୍ ମିଶାଯାଉଥିବାର ଅଭିଯୋଗ ପାଇବାପରେ କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ଏବଂ ଦୁଗ୍ଧ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ମାଛରେ ଯେଭଳି ଏହି କ୍ଷତିକାରକ ସାମଗ୍ରୀ ନମିଶିବ ସେଥିପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର କହିଛନ୍ତି । ଏଥିପାଇଁ ଉଭୟ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଏଫ୍ଏସଏସଏଆଇକୁ ଟାସ୍କଫୋର୍ସ ଗଠନପାଇଁ କୁହାଯାଇଛି । ଏହି ଟାସ୍କଫୋର୍ସ ରାଜ୍ୟ ସରକାରଙ୍କ ବିଭାଗ ଓ ସଂସ୍ଥାଗୁଡିକ ଗୁଡିକ ସମନ୍ୱୟ ରକ୍ଷା କରି ଚଢାଉ ଚଳାଇବା ଲାଗି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।
ସେହିଭଳି ମାଛ ଓ ଅନ୍ୟାନ୍ୟ ମାଛଜାତୀୟ ଖାଦ୍ୟ ସାମଗ୍ରୀରେ ଫର୍ମାଲିନ୍ ମିଶିଛି କି ନାହିଁ ତାହାର ପରୀକ୍ଷା ଲାଗି ମଧ୍ୟ କୁହାଯାଇଛି । ଏଥିପାଇଁ ସିଆଇଏଫ୍ଟି କିଟ୍ରେ ଏହାର ପରୀକ୍ଷା କରାଯିବ । ଏହି କିଟ୍କୁ କୋଚି ସ୍ଥିତ ଆଇସିଏଆର-କେନ୍ଦ୍ରୀୟ ମତ୍ସ୍ୟ ଜ୍ଞନକୌଶଳ ପ୍ରତିଷ୍ଠାନ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଲୋକଙ୍କୁ ସୁସ୍ଥ ଖାଦ୍ୟ ସାମଗ୍ରୀ ଯୋଗାଇବା ଲାଗି ନିୟମିତ ଭାବେ ଏହି ଯାଞ୍ଚ ଲାଗି କୁହାଯାଇଛି ।
ଏହି ଚଢଉ ସମୟରେ ମାଛଗୁଡିକର ଯାଞ୍ଚ ସହିତ ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ୍ ୨୦୦୬ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି କୁହାଯାଇଛି । ଯଦି କେଉଁଠାରେ ମାଛ କିମ୍ବା ମାଛଜାତୀୟ ଖାଦ୍ୟରେ ଫର୍ମାଲିନ୍ ମିଶିଥିବାର ଜଣାପଡିବ ତେବେ ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଲାଗି କୁହାଯାଇଛି ।
କେନ୍ଦ୍ର ସରକାର ଫର୍ମାଲିନ୍ ଯାଞ୍ଚ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆମ ରାଜ୍ୟରେ ଏହାର ସେଭଳି ଯାଞ୍ଚ ପରିଲକ୍ଷିତ ହେଉନାହିଁ । ଖାଦ୍ୟ ସୁରକ୍ଷା ଅଧିକାରୀମାନେ ମାଛ ହାଟ କିମ୍ବା ଗୋଦାମକୁ ଯାଇ ଫର୍ମାଲିନ୍ ମିଶ୍ରଣର ଯାଞ୍ଚ କରିବା କେହି କେବେ ଦେଖି ନାହାନ୍ତି । ତେବେ ରାଜ୍ୟ ବାହାରୁ ଆସୁଥିବା ମାଛଗୁଡିକୁ ଅଧିକ ଦିନ ସାଇତି ରଖିବାପାଇଁ ଫର୍ମାଲିନ୍ ବ୍ୟବହାର ନେଇ ଆଲୋଚନା ହେଉଛି । ସେହିଭଳି ଶୁଖୁଆରେ ମଧ୍ୟ ଏହାର ବ୍ୟବହାର ହେଉଥିବା କୁହାଯାଉଛି । ଯେହେତୁ ଏହାର କଡାକଡି ଯାଞ୍ଚ ହେଉନାହିଁ ତେଣୁ ମାଛରେ କେତେ ପରିମାଣରେ ଫର୍ମାଲିନ୍ ରହୁଛି ତାହା ସାଧାରଣ ଲୋକେ ସହଜରେ ଜାଣିପାରୁ ନାହାନ୍ତି । (ତଥ୍ୟ)