Home Judiciary ଫଏସଲା ଅପେକ୍ଷାରେ ୧୭ଲକ୍ଷରୁ ଅଧିକ ମାମଲା

ଫଏସଲା ଅପେକ୍ଷାରେ ୧୭ଲକ୍ଷରୁ ଅଧିକ ମାମଲା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଆଇନ୍‍ ଅଦାଲତରେ ୧୭.୧୮ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । କେନ୍ଦ୍ର ଆଇନ୍‍ ମନ୍ତ୍ରୀ କିରଣ ରିଜ୍‍ଜୁ ଆଜି ସଂସଦରେ ଏହି ସୂଚନା ଦେଇଛନ୍ତି ।

ରାଜ୍ୟରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର ଆଇନ୍‍ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ମୋଟ୍‍ ୧୭,୧୮,୦୧୯ଟି ଦେୱାନୀ ଓ ଫୌଜଦାରୀ ମାମଲା ରାଜ୍ୟର ବିଭିନ୍ନ ଅଦାଲତରେ ପଡି ରହିଛି । ମୋଟ ମାମଲା ମଧ୍ୟରୁ ୪,୨୦,୯୯୫ଟି ଦେୱାନୀ ମାମଲା ହୋଇଥିବାବେଳେ ୧୨,୯୭,୦୨୪ଟି ଫୌଜଦାରୀ ମାମଲା ରହିଛି ।

ଓଡିଶା ହାଇକୋର୍ଟରେ ୨୦୨୦ ଡିସେମ୍ବର ୫ତାରିଖ ସୁଦ୍ଧା ୧,୧୯,୨୪୦ଟି ଦେୱାନୀ ମାମଲା ପଡି ରହିଥିବାବେଳେ ଫୌଜଦାରୀ ମାମଲା ସଂଖ୍ୟା ୪୧,୭୬୯ ରହିଥିଲା । ଅନୁରୂପ ଭାବେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଅନ୍ୟାନ୍ୟ ନିମ୍ନ ଅଦାଲତରେ ୩,୦୧,୭୫୫ ଦେୱାନୀ ଓ ୧୨,୫୫,୨୫୫ ଫୌଜଦାରୀ ମାମଲା ବିଚାର ପ୍ରତୀକ୍ଷାରେ ରହିଥିଲା । ତେବେ ୨୦୨୨ ନଭେମ୍ବର ୨୯ତାରିଖ ସୁଦ୍ଧା ସୁପ୍ରିମ୍‍କୋର୍ଟରେ ୬୯,୭୪୪ ମାମଲା ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

ଅଦାଲତ ଉପରୁ ମାମଲା ବୋଝ ହ୍ରାସ ପାଇଁ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷକରି ଯେଉଁସବୁ ମାମଲାରେ ସରକାର ପକ୍ଷ ଅଛନ୍ତି ତାହାର ସମାଧାନ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଥିବା ଶ୍ରୀ ରିଜ୍‍ଜୁ କହିଛନ୍ତି । ସିପିସିର ଧାରା ୮୯ ଅନୁଯାୟୀ ବିକଳ୍ପ ବିବାଦ ଫଏସଲା (ଏଡିଆର) ଏକ ଢାଞ୍ଚ ପ୍ରସ୍ତୁତ ହୋଇଛି ।

ଆବ୍ରିଟ୍ରେସନ ଏବଂ କନସିଲଟେସନ ଆଇନ୍‍ ୧୯୯୬ ବ୍ୟତିତ ଏଡିଆର କମ୍ପାନୀ ଆଇନ୍‍ ୨୦୧୩, ବ୍ୟବସାୟିକ ଆଦଲତ ଆଇନ୍‍ ୨୦୧୫, ରିୟଲ ଇଷ୍ଟେଟ ଆଇନ୍‍ ୨୦୧୬, ଖାଉଟି ସୁରକ୍ଷା ଆଇନ୍‍ ୨୦୧୯ ସହିତ ଆହୁରି ଅନେକ ଆଇନ୍‍ ଏହା ଅଧିନରେ ଆସିବ । ପକ୍ଷମାନେ ଏଡିଆର ବ୍ୟବହାର କରି ଅଦାଲତ ବାହାରେ ସେମାନଙ୍କ ମାମଲାର ସମାଧାନ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଅନ୍ୟଏକ ପ୍ରଶ୍ନର ଉତ୍ତରରେ ଆଇନ୍‍ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଏବଂ ହାଇକୋର୍ଟଙ୍କ ସହମତିରେ ଅଧିକ ଅଦାଲତ ପ୍ରତିଷ୍ଠା କରାଯିବ । ଜିଲ୍ଲା ଏବଂ ନିମ୍ନ ଅଦାଲତଗୁଡିକରେ ବିଚାରପତିଙ୍କ ସଂଖ୍ୟା ୨୦୧୪ରେ ୧୯,୫୧୮ ଥିବାବେଳେ ୨୦୨୨ ନଭେମ୍ବର ଶେଷ ସୁଦ୍ଧା ତାହାକୁ ୨୪,୯୮୯କୁ ବୃଦ୍ଧି କରାଯାଇଛି । ୫୪୭୧ ବିଚାର ପଦବୀ ବୃଦ୍ଧି ଯୋଗୁଁ ଅଧିକ ଅଦାଲତ ପ୍ରତିଷ୍ଠା ସହିତ ପଡି ରହିଥିବା ମାମଲାଗୁଡିକର ତ୍ୱରିତ ଫଏସଲା ହୋଇପାରିବ ।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସଂକ୍ରାନ୍ତରେ କେନ୍ଦ୍ର ଆଇନ୍‍ ମନ୍ତ୍ରୀ କହିଛନ୍ତି ଯେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ସ୍ଥାନ ସଂକାନ୍ତରେ ବିଭିନ୍ନ ସଂଗଠନ ପକ୍ଷରୁ ଲଗାତାର ଭାବେ ପ୍ରସ୍ତାବମାନ ଆସୁଛି । ତେବେ ବର୍ତ୍ତମାନ ସୁଦ୍ଧା ବେଞ୍ଚ ପ୍ରତିଷ୍ଠା ନେଇ ସରକାରଙ୍କ ନିକଟରେ କୌଣସି ପୂର୍ଣ୍ଣ ପ୍ରସ୍ତାବ ପଡିନଥିବା ମନ୍ତ୍ରୀ କହିଛନ୍ତି । ଉଲ୍ଲେଖନୀୟ ଯେ ପଶ୍ଚିମଓଡିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଇନ୍‍ଜୀବୀମାନେ ବର୍ଷ ବର୍ଷ ଧରି ସେମାନଙ୍କ ଅଞ୍ଚଳର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚଳାଇ ଆସୁଛନ୍ତି । (ତଥ୍ୟ)