Home Judiciary ଫଇସଲା ଅପେକ୍ଷାରେ ୧୬ ଲକ୍ଷ ମାମଲା

ଫଇସଲା ଅପେକ୍ଷାରେ ୧୬ ଲକ୍ଷ ମାମଲା

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଆଇନ ଅଦାଲତଗୁଡିକରେ ପାଖାପାଖି ୧୩ ଲକ୍ଷ ଫୌଜଦାରୀ ମାମଲା ସମେତ ପ୍ରାୟ ୧୬ ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଗୋଟିଏପଟେ ମାମଲା ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଅନ୍ୟପଟେ ସରକାର ନୂଆ ଅଦାଲତ ପ୍ରତିଷ୍ଠା କରୁଥିଲେ ମଧ୍ୟ ପରିସ୍ଥିତିରେ ଆଶାନୁରୂପ ସୁଧାର ଆସୁନାହିଁ ।

ଯେଉଁ ହାରରେ ମାମଲା ସଂଖ୍ୟା ବଢ଼ୁଛି ଓ ଫଇସଲା ହେଉଛି ତାହା ଅବ୍ୟାହତ ରହିଲେ ଏବେ ବିଚାରାଧୀନ ଥିବା ସମସ୍ତ ମାମଲା ଫଇସଲା ହେବାକୁ ଅତିକମରେ ୩୦ରୁ ୪୦ବର୍ଷ ସମୟ ଲାଗିଯିବ ବୋଲି ଅଭିଜ୍ଞ ଆଇନଜୀବୀମାନେ ମତବ୍ୟକ୍ତ କରୁଛନ୍ତି । ଉଦ୍‍ବେଗର କଥା ହେଉଛି ଯେ ଆଜିର ଦିନରେ ବି ଆଇନ ଅଦାଲତଗୁଡିକରେ ୩୦ବର୍ଷରୁ ପୁରୁଣା ହଜାର ହଜାର ମାମଲା ବିଚାରା ପ୍ରତୀକ୍ଷାରେ ରହିଛି ।

ଓଡ଼ିଶା ହାଇକୋର୍ଟରେ ପ୍ରାୟ ଏକ ତୃତୀୟାଂଶ ବିଚାରପତି ପଦବୀ ଖାଲି ପଡିଥିବା ବେଳେ ଯେତିକି ମାମଲା ରହିଛି ସେଗୁଡିକର ସୀମିତ ସମୟ ମଧ୍ୟରେ ଫଇସଲା କରିବା ପାଇଁ ଅନ୍ୟୂନ ୪୫ଜଣ ବିଚାରପତିଙ୍କ ଆବଶ୍ୟକତା ରହିଥିବା ଆଇନଜ୍ଞମାନେ କହୁଛନ୍ତି । ପୂର୍ବରୁ ଓଡ଼ିଶା ହାଇକୋର୍ଟ ଲାଗି ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ପରେ ଆଉ ୬ଟି ନୂଆ ପଦବୀ ସୃଷ୍ଟି କରାଯାଇ ଏହି ସଂଖ୍ୟା ୩୩କୁ ବୃଦ୍ଧି କରାଯାଇଥିବା ବେଳେ ଏବେ ଏଠାର ୨୨ଜଣ ବିଚାରପତି କାର୍ଯ୍ୟରତ ଥିବା ସୂଚନା ବିଧାନସଭାରେ ଦେଇଛନ୍ତି ଆଇନମନ୍ତ୍ରୀ ଜଗନ୍ନାଥ ସାରକା । ତାଙ୍କ ତଥ୍ୟ ମୁତାବକ ଓଡ଼ିଶା ହାଇକୋର୍ଟରେ ମୋଟ ୧ଲକ୍ଷ ୯୦ ହଜାରରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ ପ୍ରବଳ ମାମଲା ବୋଝକୁ ହାଲୁକା କରିବା ପାଇଁ ହାଇକୋର୍ଟର ବିଚାରପତିମାନେ ନିରନ୍ତର ପ୍ରଚେଷ୍ଟା ଜାରି ରଖିବା ସଙ୍ଗେ ସଙ୍ଗେ ଲୋକ ଅଦାଲତ ମାଧ୍ୟମରେ ବି ଅନେକ ମାମଲାର ସମାଧାନ କରୁଛନ୍ତି । ତେବେ ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣରେ ପ୍ରାୟ ୭୦ ହଜାର ମୂଳ, ବିବିଧ ଓ ଅଦାଲତ ଅବମାନନା ମାମଲା ବିଚାର ପ୍ରତୀକ୍ଷାରେ ଥିବାବେେ ଏଗୁଡିକର ତ୍ୱରିତ ଫଇସଲା ଉପରେ ଗୁରୁତ୍ୱ ନ ଦେଇ ରାଜ୍ୟ ସରକାରଙ୍କ ସୁପାରିସ୍‍ କ୍ରମେ କେନ୍ଦ୍ର ସରକାର ସ୍ୟାଟ୍‍ ଉଚ୍ଛେଦ କରିବାରୁ ଏହି ମାମଲାଗୁଡିକର ଚାପ ହାଇକୋର୍ଟଙ୍କ ଉପରକୁ ଆସିଛି ।

ସ୍ୟାଟରେ ୬ଜଣ ବିଚାରପତିଙ୍କ ଦ୍ୱାରା ଭୁବନେଶ୍ୱର, କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଚାକିରି, ପେନସନ ଆଦି ସଂକ୍ରାନ୍ତୀୟ ମାମଲାଗୁଡିକର ଶୁଣାଣି ହେଉଥିଲା । ଏବେ ହାଇକୋର୍ଟରେ ଏକାଧିକ ବେଞ୍ଚ୍‍ରେ ଏହି କିଷମର ମାମଲା ସବୁ ତାଲିକାଭୁକ୍ତ ହେଉଥିଲେ ମଧ୍ୟ ସଂପୃକ୍ତ ବିଚାରପତିମାନଙ୍କୁ ଆଉ ଅନେକ କିଷମର ମାମଲା ଶୁଣିବାକୁ ପଡୁଛି ।

ହାଇକୋର୍ଟରେ ଅନ୍ୟୂନ ୮ଟି ସ୍ୱତନ୍ତ୍ର ସର୍ଭିସ୍‍ ବେଞ୍ଚ ରଖାଗଲେ ପଡି ରହିଥିବା ଚାକିରି, ନିଯୁକ୍ତି ଓ ପେନସନ ସଂକ୍ରାନ୍ତୀୟ ମାମଲଶାଗୁଡିକର ଫଇସଲା ସୀମିତ ସମୟ ମଧ୍ୟରେ ହୋଇପାରିବ । ଯଦି ଏହା କରାଯାଇପାରୁ ନାହିଁ, ତେବେ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ ଢ଼ାଞ୍ଚାରେ ପୁଣି ସ୍ୟାଟକୁ କାର୍ଯ୍ୟକ୍ଷମ କରିବା ଲାଗି ଆଇନଜୀବୀ ମହଲରୁ ମତ ପ୍ରକାଶ ପାଉଛି ।

ହାଇକୋର୍ଟରେ ବିଚାର ପ୍ରତୀକ୍ଷାରେ ଥିବା ମାମଲାଗୁଡିକ ମଧ୍ୟରୁ ପାଖାପାଖି ୫୦ ହଜାର ଫୌଜଦାରୀ ମାମଲା । ହାଇକୋର୍ଟରେ ବିଚାରାଧୀନ ଥିବା ମାମଲାଗୁଡିକ ମଧ୍ୟରୁ ୪୪ ହଜାରରୁ ଅଧିକ ୫ରୁ ୧୦ବର୍ଷ ଧରି ରହିଥିବା ବେଳେ ୨୭ ହଜାରରୁ ଅଧିକ ମାମଲା ୧୦ରୁ ୨୦ବର୍ଷ ଧରି ଗଡୁଛି । ଏମିତିକି ଏଠାରେ ପାଖାପାଖି ୫ ହଜାର ମାମଲା ୨୦ରୁ ୩୦ବର୍ଷ ଧରି ବିଚାର ପ୍ରତୀକ୍ଷାରେ ଥିବାବେଳେ ୯୪୦ଟି ମାମଲା ୩୦ବର୍ଷରୁ ଅଧିକ ସମୟ ଧରି ଗଡୁଥିବା ଜାତୀୟ ଜୁଡିସିଆଲ ଡାଟା ଗ୍ରୀଡ୍‍ର ତଥ୍ୟ କହୁଛି ।

ରାଜ୍ୟର ଆଇନ ଅଦାଲତଗୁଡିକରେ ୧୨ଲକ୍ଷରୁ ଅଧିକ ଫୌଜଦାରୀ ମାମଲା ବିଚାରା ପ୍ରତୀକ୍ଷାରେ ଥିାବେଳେ କେବଳ ଦୁର୍ନୀତି ନିର୍ବାରଣ ମାମଲାରେ ଦଣ୍ଡବିଧାନ ହାର ପ୍ରାୟ ୫୦ ପ୍ରତିଶତ ରହୁଛି ଏବଂ ଅନ୍ୟ ମାମଲାଗୁଡିକରେ ଦଣ୍ଡବିଧାନ ହାର ୨ରୁ ୩୦ ପ୍ରତିଶତ ମଧ୍ୟରେ ସୀମିତ ଥିବାରୁ ସଂଖ୍ୟାଧିକ ଅପରାଧିକ ମାମଲାରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖସି ଯାଉଛନ୍ତି । (ତଥ୍ୟ)