Home Environment ପ୍ଲାଷ୍ଟିକ ମୁକ୍ତ ହେବ ପିକ୍‍ନିକ୍‍ ସ୍ପଷ୍ଟ

ପ୍ଲାଷ୍ଟିକ ମୁକ୍ତ ହେବ ପିକ୍‍ନିକ୍‍ ସ୍ପଷ୍ଟ

ଭୁବନେଶ୍ୱର: ପ୍ଲାଷ୍ଟିକ ପ୍ରଦୂଷଣରୁ ପରିବେଶକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି) ଏକ ସ୍ୱେଚ୍ଛାସେବୀ ସଂଗଠନ ସହଯୋଗରେ ରାଜ୍ୟର ୧୦୦ଟି ପିକନିକ୍‍ ସ୍ପଟରେ ପ୍ଲାଷ୍ଟିକ ଫ୍ରି ପିକ୍ନିକ୍ ଚ୍ୟାଲେଞ୍ଜ ଅଭିଯାନ ଆରମ୍ଭ କରିବ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ୟୁଥ୍  ଫର ୱାଟର ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିକନିକ୍ ସ୍ପଟ୍ଗୁଡ଼ିକୁ ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ସାମଗ୍ରୀ ଆବର୍ଜନାମୁକ୍ତ କରିବା ଉଦ୍ଦେଶ୍ୟରେ ‘ପ୍ଲାଷ୍ଟିକ୍ ଫ୍ରି ପିକ୍ନିକ୍ ଚ୍ୟାଲେଞ୍ଜ’ ଅଭିଯାନ ଆରମ୍ଭ କରିବ।  

ସ୍ଥାନୀୟ ସ୍ୱେଚ୍ଛାସେବୀ, ସ୍ୱେଚ୍ଛାସେବୀ ସଂଗଠନ, ଇକୋ କ୍ଲବ, ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି) ଏବଂ ଗ୍ରାମ ପଞ୍ଚାୟତଗୁଡ଼ିକୁ ସାମିଲ କରି ଜନସଚେତନତା ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକଳାପ ମାଧ୍ୟମରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ ବୋଲି ଆଜି ଏସ୍ପିସିବି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଏହି ଅଭିଯାନ ପାଇଁ ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ୨୮ଟି ଜିଲ୍ଲାରେ ୧୦୦ଟି ପିକ୍ନିକ୍ ସ୍ପଟ୍ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ପିକନିକ୍ ସ୍ପଟ୍ ଗୁଡ଼ିକରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ସରକାର କଟକଣା ଲଗାଇବେ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କ’ଣ କରିବା ଉଚିତ ଓ କ’ଣ ନ କରିବାକୁ ପରାମର୍ଶ ଦିଆଯିବ।

ସମସ୍ତ ନାଗରିକଙ୍କୁ ଏହି କଟକଣା ଓ ପରିବେଶ କୁ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି ଏବଂ ପରିବେଶର ସ୍ୱଚ୍ଛତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।

ଏହି ଅଭିଯାନକୁ ସଫଳ କରିବା ପାଇଁ ବୋର୍ଡର ସଦସ୍ୟ ସଚିବ ଡ. କେ ମୁରୁଗେସନ ପ୍ରତ୍ୟେକ ବ୍ୟକ୍ତିଙ୍କ ସହଯୋଗ ଲୋଡ଼ିଛନ୍ତି।

୨୦୧୯ ଅକ୍ଟୋବର ୨ ତାରିଖରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ଉତ୍ପାଦନ, ବିକ୍ରୟ, ଆମଦାନୀ, ସଂରକ୍ଷଣ, ପରିବହନ ଓ ବିତରଣ ଉପରେ ରାଜ୍ୟ ସରକାର କଟକଣା ଜାରି କରିଥିଲେ। ପରବର୍ତ୍ତୀ ସମୟରେ ଏହାକୁ ରାଜ୍ୟର ସମସ୍ତ ସ୍ଥାନରେ ବିସ୍ତାର କରାଯାଇଥିଲା। 

ତଥାପି ଲୋକମାନେ ଅଳ୍ପ ପରିମାଣର ସାମଗ୍ରୀ ପରିବହନ ପାଇଁ ବିପୁଳ ପରିମାଣରେ ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି। ତେଣୁ ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା।    

ସମୁଦ୍ର ବେଳାଭୂମି ନିକଟରେ ଥିବା ପିକନିକ୍ ସ୍ପଟ୍ ଗୁଡ଼ିକ ଉପରେ ଧ୍ୟାନ ଦିଆଯିବ ଯେଉଁଠାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ସାମୁଦ୍ରିକ ପରିବେଶ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଥାଏ। ପିକନିକ୍ ସ୍ପଟ୍ ଗୁଡ଼ିକରେ ଉତ୍ପନ୍ନ ହେଉଥିବା ଆବର୍ଜନାକୁ ତୁରନ୍ତ ଉଠାଇବା ଏବଂ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରାଯାଇଥିବା ବେଳେ ଦାୟିତ୍ବସମ୍ପନ୍ନ ପର୍ଯ୍ୟଟକ ହେବା ର ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ ବୋଲି ସୂତ୍ରରୁ ପ୍ରକାଶ।