ଭୁବନେଶ୍ୱର : ରାଜ୍ୟରେ ପ୍ଲାଷ୍ଟିକ ବର୍ଜ୍ୟ ଏବେ ଚିନ୍ତା ବଢାଇଲାଣି । ଏ ନେଇଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲାଗୁ କରିଥିବା ବିଭିନ୍ନ କଟକଣା ଠିକଣା ଭାବେ ପାଳନ ହେଉନଥିବାରୁ ଉତ୍ପନ୍ନ ପ୍ଲାଷ୍ଟିକ ବର୍ଜ୍ୟର ଠିକଣା ଭାବେ ବିଘଟନ ହୋଇପାରୁ ନାହିଁ । ସହରାଞ୍ଚଳରେ ଏହି ସମସ୍ୟା ଉତ୍କଟ ହେବାରେ ଲାଗିଛି ।
ରାଜ୍ୟର ସହରାଞ୍ଚଳକୁ ବାହାରୁଥିବା ପ୍ଲାଷ୍ଟିକ ବର୍ଜ୍ୟ ଓ ଏହାର ବିଘଟନକୁ ନେଇ ସିଏଜି ମଧ୍ୟ ତାଙ୍କ ରିପୋର୍ଟରେ ଉଦ୍ବେଗ ପ୍ରକାଶ କରିଛନ୍ତି । ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ କେବଳ ସ୍ମାର୍ଟସିଟିରୁ ୨୦୧୮-୧୯ରେ ରାଜ୍ୟରୁ ବାର୍ଷିକ ୧୫,୨୯୨ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଥିବାବେଳେ ୨୦୧୯-୨୦ରେ ତାହା ୧୭,୫୨୦ ମେଟ୍ରିକ ଟନ୍କୁ ବୃଦ୍ଧି ପାଇଥିଲା । ତେବେ ଉଦ୍ବେଗର ବିଷୟ ହେଉଛି ଯେ ଏହି ପ୍ଲାଷ୍ଟିକ ବର୍ଜ୍ୟକୁ ନଷ୍ଟ କରିବାପାଇଁ କୌଣସି ବ୍ୟବସ୍ଥା ନଥିବାରୁ ତାହାକୁ ମାଟିରେ ପକାଇ ଦିଆଯାଉଛି ।
ରାଜ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ହଟାଇବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିୟମ କରିଛନ୍ତି । ଏଥିପାଇଁ ବଡ ବଡ କାର୍ଯ୍ୟକ୍ରମମାନ ଆୟୋଜନ ହୋଇ ଲୋକଙ୍କୁ ସଚେତନ କରାଯାଇଛି । ହେଲେ ଏହାର ପ୍ରଭାବ ପଡିଲା ଭଳି ଲକ୍ଷ୍ୟ କରାଯାଉ ନାହିଁ । ସରକାର ବି ଏହି ଆଇନ୍କୁ ଠିକଣା ଭାବେ କାର୍ଯ୍ୟକାରୀ କରୁନାହାନ୍ତି ।
ଫଳରେ ଗାଁ ଗହଳ ତ ଦୂରରକଥା ଖୋଦ ରାଜଧାନୀ ସମେତ ରାଜ୍ୟର ଅନ୍ୟାନ୍ୟ ସହରରେ ପ୍ଲାଷ୍ଟିକ ମୁଣା ବା ପଲିଥିନ୍ ହାଉଯାଉ । କେବଳ ପଲିଥିନ୍ ନୁହେଁ, ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଓ ଗୁଟ୍ଖା ଆଦି ଭର୍ତ୍ତି ହୋଇ ଆସୁଥିବା ଜରି ମଧ୍ୟ କର୍ତ୍ତୃପକ୍ଷଙ୍କ ପାଇଁ ବୋଝ ହେବାରେ ଲାଗିଛି । ରାଜ୍ୟ ସରକାର ଯଦିଓ ୨୦ ମାଇକ୍ରନରୁ କମ୍ ମାନର ପଲିଥିନ୍ ଉପରେ କଟକଣା ଲଗାଇଛନ୍ତି ହେଲେ ତାହାକୁ କେହି ମାନିବାକୁ ପ୍ରସ୍ତୁତ ନୁହନ୍ତି । ଆଇନ୍ କାର୍ଯ୍ୟକାରୀ ପାଇଁ ସରକାରୀ କଳ ଡାଳେ ଡାଳେ ଗଲେ ବ୍ୟବସାୟୀ ପତ୍ରେ ପତ୍ରେ ଯାଉଛନ୍ତି । ସହରରେ ଚଢଉ ହେଲେ ନିମ୍ନମାନର ପଲିଥିନ୍କୁ ଗାଁ ଗହଳିକୁ ପଠାଇ ଦେଉଛନ୍ତି । ଚଢଉ କମିଲେ ପୁଣି ସହରରେ ପସରା ଖୋଲୁଛନ୍ତି ।
ସେହିଭଳି ପ୍ଲାଷ୍ଟିକ ପାଣି ବୋତଲ ବି ସମସ୍ୟା ସୃଷ୍ଟି କଲାଣି । ଯିଏ ଯେଉଁଠି ବୋତଲ ପାଣି ପିଇଲା ତାକୁ ସେଠାରେ ପକାଇ ଦେଉଛି । ଏହାର ବିଘଟନ ପାଇଁ ସହରାଞ୍ଚଳରେ ସେଭଳି କୌଣସି ବ୍ୟବସ୍ଥା ନାହିଁ । କେବଳ ପାଣି ବୋତଲ ନୁହେଁ ଓମଫେଡ୍ ସହିତ ବିଭିନ୍ନ ଦୁଗ୍ଧ କମ୍ପାନୀଗୁଡିକ ଯେଉଁ ଜରିରେ ପ୍ୟାକେଟ କ୍ଷୀର ଦେଉଛନ୍ତି ତାହା ମଧ୍ୟ ସହରାଞ୍ଚଳରେ ଏଣେ ତେଣେ ପଡିବାରେ ଲାଗୁଛି । କିଛିଦିନ ତଳେ ବିଏମ୍ସି କର୍ତ୍ତୃପକ୍ଷ କ୍ଷୀର ଜରିକୁ ଘରକୁ ଘର ବୁଲି ସଂଗ୍ରହ ପାଇଁ ଘୋଷଣା କରିଥିଲେ । ହେଲେ ସେହି ଘୋଷଣା ବି ଘୋଷଣାରେ ହିଁ ରହିଗଲା ।
ସହରାଞ୍ଚଳରୁ ବାହାରୁଥିବା ପ୍ଲାଷ୍ଟିକ ବର୍ଜ୍ୟ ଯୋଗୁଁ ନାଳ ନର୍ଦ୍ଦମା ଜାମ୍ ହେବା ସହିତ ମୃତ୍ତିକା ପ୍ରଦୂଷିତ ହେବାରେ ଲାଗିଛି । ଏହାକୁ ଖାଇ ଗାଈ ଗୋରୁ ବି ମୃତ୍ୟୁ ମୁଖରେ ପଡୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷେଧ ପାଇଁ କଟକଣା ଲଗାଇବା ସହିତ ନିୟମିତ ବ୍ୟବଧାନରେ ଚଢଉ କରୁଥିଲେ ମଧ୍ୟ ସେଥିରୁ ସେଭଳି ସୁଫଳ ମିଳୁନାହିଁ । ଯେପର୍ଯ୍ୟନ୍ତ ନିମ୍ନମାନର ପ୍ଲାଷ୍ଟିକ ଉତ୍ପାଦନ ହେଉଥିବା କାରଖାନା ଉପରେ ଚଢଉ ସହିତ ଏହାକୁ ବନ୍ଦ କରାନଯାଇଛି ସେପର୍ଯ୍ୟନ୍ତ ପ୍ଲାଷ୍ଟିକୁ ରୋକିବା ସହଜ ହେବନାହିଁ ବୋଲି ପରିବେଶବିତ୍ମାନେ ମତ ଦେଉଛନ୍ତି । (ତଥ୍ୟ)