Home Environment ପ୍ଲାଷ୍ଟିକରେ ପୋତି ହେଉଛି ଚିଲିକା

ପ୍ଲାଷ୍ଟିକରେ ପୋତି ହେଉଛି ଚିଲିକା

ଭୁବନେଶ୍ୱର : ଏସିଆ ମହାଦେଶର ସର୍ବବୃହତ୍‍ ଲବଣାକ୍ତ ହ୍ରଦ ଧିରେ ଧିରେ ପ୍ଲାଷ୍ଟିକରେ ପୋତି ହେବାରେ ଲାଗିଛି । ଦୈନିକ ଶହ ଶହ କିଲୋର ବିଭିନ୍ନ କିସମର ପ୍ଲାଷ୍ଟିକ ହ୍ରଦର ଚାରିପଟୁ ଚିଲିକାରେ ପଶିବାରେ ଲାଗିଛି ।

ଚିଲିକାକୁ ପ୍ରବେଶ ପାଇଁ ଗୋଟିଏ ପଟେ ବରକୁଳ ଥିବାବେଳେ ଅନ୍ୟପଟେ ସାତପଡା ରହିଛି । ଏହି ଦୁଇପଟୁ ପର୍ଯ୍ୟଟକମାନେ ଡଙ୍ଗା ଯୋଗେ ଚିଲିକା ଭ୍ରମଣରେ ଯାଇଥାନ୍ତି । ଯେହେତୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକମାନେ ଏହିସବୁ ସ୍ଥାନକୁ ଆସିଥାନ୍ତି ତେଣୁ ସେହିସବୁ ସ୍ଥାନରେ ଏକାଧିକ ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଗଢି ଉଠିଛି । ଏଠାରେ ପର୍ଯ୍ୟଟକମାନେ ଖାଇବା ସହିତ ଚିଲିକା ଭିତରକୁ ଯିବାବେଳେ ସାଙ୍ଗରେ ମଧ୍ୟ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ନେଇଥାନ୍ତି ।

ତେବେ ଚିଲିକା କୂଳରେ ପଲିଥିନ୍‍ ଉପରେ ସେଭଳି କଡା କଟକଣା ନଥିବାରୁ ଦୈନିକ ଶହ ଶହ କିଲୋର ପ୍ଲାଷ୍ଟିକ ଚିଲିକାରେ ଭିତକୁ ଫୋପଡା ଯାଉଛି । ଏଥି ସହିତ ଲୋକେ ନେଉଥିବା ପ୍ଲାଷ୍ଟିକ ଥଳି ଓ ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟ ଚିଲିକା ଭିତରେ ଫୋପାଡୁଛନ୍ତି । ଏପରିକି କାଳିଜାଈ ମନ୍ଦିର ଆଖପାଖରେ ମଧ୍ୟ ପ୍ଲାଷ୍ଟିକ ସାମଗ୍ରୀ ପଡୁଥିବା ଲକ୍ଷ୍ୟ କରାଯାଉଛି ।

ପ୍ଲାଷ୍ଟିକ କଟକଣାକୁ ରାଜ୍ୟରେ ପ୍ରାୟତଃ କେହି ମାନୁନାହାନ୍ତି । ସେହିଭଳି ଚିଲିକା ଆଖପାଖରେ ନିୟମିତ ଭାବେ ପ୍ଲାଷ୍ଟିକ ମୁଣି ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ସାମଗ୍ରୀ ଉପରେ ଚଢଉ ହେଉନଥିବାରୁ ସେଠାରେ ଅବାଧରେ ଏହିସବୁ ସାମଗ୍ରୀର ବ୍ୟବହାର ବଢିବାରେ ଲାଗିଛି ।

ଚିଲିକା ଜଳରାଶି ଲାଗିଥିବା ସ୍ଥଳଭାଗରେ ଲୋକେ ମନଇଚ୍ଛା ପଲିଥିନ୍‍ ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ସାମଗ୍ରୀ ଫୋପାଡୁଥିବାରୁ ତାହା ଧିରେ ଧିରେ ଚିଲିକା ଭିତରକୁ ଚାଲିଯାଉଛି । ଏହାଛଡା ପର୍ଯ୍ୟଟକମାନେ ସାଙ୍ଗରେ ନେଉଥିବା ପଲିଥିନ୍‍, ଥର୍ମକୁଲ୍‍ ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ସାମଗ୍ରୀକୁ ଚିଲିକା ଭିତରେ ଫୋପାଡି ଦେଉଛନ୍ତି । ଏହା କେବଳ ଚିଲିକାର ଜଳରାଶିକୁ ପ୍ରଦୂଷିତ କରୁନାହିଁ, ଚିଲିକାରେ ଥିବା ମାଛ, ଚିଙ୍ଗୁଡି, କଙ୍କଡା ସମେତ ଅନ୍ୟାନ୍ୟ ଜଳଜୀବଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କଲାଣି ।

ଚିଲିକାରେ ଧିରେ ଧିରେ ମାଛ, କଙ୍କଡା ଆଦିର ଉତ୍ପାଦନ ହ୍ରାସ ପାଉଥିବାବେଳେ ସେଠାରେ ପରିବେଶ ଅନୁକୂଳ ଡଙ୍ଗା ଚଳାଚଳ ଉପରେ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଛନ୍ତି । ହେଲେ ପଲିଥିନ୍‍ ଉପରେ କଡା କଟକଣା ନଥିବାରୁ ଏହାର ପ୍ରଦୂଷଣ ଏବେ ଡିଜେଲ ଚାଳିତ ଡଙ୍ଗା ପ୍ରଦୂଷଣକୁ ଟପିବାକୁ ବସିଲାଣି । ପରିବେଶବିତ୍‍ମାନଙ୍କ ମତରେ ଯଦି କର୍ତ୍ତୃପକ୍ଷ ତୁରନ୍ତ କଟକଣା ଲଗାଇବା ସହିତ ଚିଲିକା ଭିତରେ ପଡୁଥିବା ପଲିଥିନ୍‍କୁ ବାହାର ନକରନ୍ତି ଏହା ଚିଲିକାର ଜଳରାଶିକୁ ବିଷାକ୍ତ କରିବା ସହିତ ମୃତ୍ତିକାକୁ ମଧ୍ୟ ନଷ୍ଟି କରିଦେବ । ଏପରିକି ଏହାର ପ୍ରଭାବ ଆଗାମୀ ଦିନରେ ଚିଲିକା ମୁହାଣ ଉପରେ ପଡିବ ବୋଲି ପରିବେଶବିତ୍‍ମାନେ ଚେତାବନୀ ଦେଲେଣି ।

ତେବେ ପ୍ଲାଷ୍ଟିକ କବଳରୁ ଚିଲିକାକୁ ମୁକ୍ତ ରଖିବାପାଇଁ ଚିଲିକା କୂଳରେ ବସବାସ କରୁଥିବା ଲୋକଙ୍କ ସହିତ ମତ୍ସ୍ୟଜୀବୀ ଓ ଡଙ୍ଗା ଚାଳକମାନଙ୍କୁ ଚିଲିକାର ସୁରକ୍ଷା ଓ ପ୍ଲାଷ୍ଟିକର ବିପଦ ସଂକ୍ରାନ୍ତରେ ତୁରନ୍ତ ସଚେତନ କରାଯିବା ଆବଶ୍ୟକ । ଏହା ନହେଲେ ପ୍ଲାଷ୍ଟିକ ଯୋଗୁଁ ଚିଲିକାର ଜୈବ ବିବିଧତା କେବଳ ନଷ୍ଟ ହେବନାହିଁ, ଏହା ଉପରେ ନିର୍ଭରଶୀଳ ଶହ ଶହ ଲୋକେ ଜୀବିକା ହରାଇବେ । (ତଥ୍ୟ)