ଓଡ଼ିଶାରେ କରୋନା କବଳରୁ ପାଖାପାଖି ୨ ଲକ୍ଷ ଲୋକ ସୁସ୍ଥ ହୋଇଥିବା ବେଳେ ଏମାନଙ୍କଠାରୁ ଏଯାବତ୍ ୨ହଜାର ୟୁନିଟ୍ ପ୍ଲାଜ୍ମା ମଧ୍ୟ ସଂଗୃହୀତ ହୋଇପାରିନାହିଁ । ତେବେ ପ୍ଲାଜ୍ମା ଥେରାପି ଗୁରୁତର କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଭଲ ଫଳ ଦେଉଥିବାରୁ ସରକାର ପ୍ଲାଜ୍ମା ସଂଗ୍ରହ ଉପରେ ଗୁରୁତ୍ୱାରୋପ କରୁଛନ୍ତି ।
କଟକ, ଭୁବନେଶ୍ୱର, ବୁର୍ଲା ଓ ସମ୍ବଲପୁରଠାରେ ଥିବା ସରକାରୀ ରକ୍ତଭଣ୍ଡାରଗୁଡ଼ିକରେ ଏପର୍ଯ୍ୟନ୍ତ ୨ହଜାର ୟୁନିଟ୍ରୁ କମ୍ ପ୍ଲାଜ୍ମା କୋଭିଡ୍ରୁ ସୁସ୍ଥ ହୋଇଥିବା ଲୋକଙ୍କଠାରୁ ସଂଗୃହୀତ ହୋଇଛି । ଏମାନଙ୍କ ମଧ୍ୟରେ ପୁଲିସ, ଅଗ୍ନିଶମ ଓ ଡାକ୍ତରଖାନା କର୍ମଚାରୀଙ୍କ ସମେତ ସାଧାରଣ ଲୋକ ବି ଅଛନ୍ତି । କୋଭିଡ୍ରୁ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ ଯେଉଁ ଆଣ୍ଟିବଡ଼ି ବା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି ତାହାକୁ ଆଖି ଆଗରେ ରଖି ଏଭଳି ସୁସ୍ଥ ଲୋକଙ୍କଠାରୁ ପ୍ଲାଜ୍ମା ସଂଗ୍ରହର ବ୍ୟବସ୍ଥା ଅଛି ।
ଦେଶ ବିଦେଶରେ ପ୍ଲାଜ୍ମା ଥେରାପି କୋଭିଡ୍ ସଂକ୍ରମିତଙ୍କ ପାଇଁ ବରଦାନ ବୋଲି କୁହାଯାଉଥିବା ବେଳେ ଓଡ଼ିଶାରେ କିପରି କୋଭିଡ୍ରୁ ସୁସ୍ଥ ହେଉଥିବା ଲୋକଙ୍କଠାରୁ ଅଧିକରୁ ଅଧିକ ୟୁନିଟ୍ ପ୍ଲାଜ୍ମା ସଂଗୃହୀତ ହେବ ସେଥିପାଇଁ ବିଭିନ୍ନ ମାଧ୍ୟମରେ ପ୍ରଚାର ପ୍ରସାର ଚାଲିଛି । ପୂର୍ବରୁ ଅଳ୍ପ କେତେକ ସ୍ଥାନରେ ରକ୍ତରୁ କୋଷ ପୃଥକୀକରଣ ପାଇଁ ବ୍ୟବସ୍ଥା ଥିଲା । ତେବେ କୋଭିଡ୍ ପରିପ୍ରେକ୍ଷୀରେ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ଲାଜ୍ମା ବ୍ୟାଙ୍କମାନ କେତେକ ଅଗ୍ରଣୀ ରକ୍ତଭଣ୍ଡାରରେ ସ୍ଥାପନ କରି ଏଥିଲାଗି ନୂଆ ଯନ୍ତ୍ରପାତି ଆଣିଛନ୍ତି ।
ସରକାରୀ ହିସାବ ମୁତାବକ ଆଜିସୁଦ୍ଧା ଆମ ରାଜ୍ୟରେ ୨,୩୨,୭୧୩ ଜଣ କରୋନା ସଂକ୍ରମିତ ଚିହ୍ନିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦୭ ଜଣଙ୍କ ପରଲୋକ ଘଟିଛି । ଏବେ ବିଭିନ୍ନ ଡାକ୍ତରଖାନାରେ ଓ ସଙ୍ଗରୋଧରେ ୩୩,୫୫୯ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି । ତେବେ ସରକାରୀ ତଥ୍ୟ ମୁତାବକ ଆଜିସୁଦ୍ଧା ୧,୯୮,୧୯୪ ଜଣ କୋଭିଡ୍ରୁ ସୁସ୍ଥ ହୋଇଛନ୍ତି ।
ତେବେ ମାର୍ଗ ନିର୍ଦ୍ଦେଶିକା ଅନୁଯାୟୀ ଶିଶୁ, ବୟସ୍କ ବ୍ୟକ୍ତି ଏବଂ କେତେକ ନିର୍ଦ୍ଦିଷ୍ଟ ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କ ପାଖରୁ ପ୍ଲାଜ୍ମା ସଂଗୃହୀତ ହୋଇପାରିବ ନାହିଁ । ଗଣମାଧ୍ୟମରେ ପ୍ରକାଶିତ ବିବରଣୀ ଅନୁଯାୟୀ ଏଯାବତ୍ ଆମ ରାଜ୍ୟର ୩୦ରୁ ଅଧିକ ମନ୍ତ୍ରୀ, ସାଂସଦ ଓ ବିଧାୟକ କରୋନା କବଳିତ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇସାରିଲେଣି । ଇତିମଧ୍ୟରେ କରୋନାରୁ ସୁସ୍ଥ ହୋଇ ଓଡ଼ିଶା ଫେରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକରେ ପ୍ଲାଜ୍ମା ଦାନ କରିଥିବା ବେଳେ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କରୋନାରୁ ମୁକୁଳି ଦିଲ୍ଲୀରେ ପ୍ଲାଜ୍ମା ଦାନ କରିଛନ୍ତି । ଏମାନଙ୍କୁ ଅନୁସରଣ କରି କରୋନାରୁ ମୁକୁଳିଥିବା ଆଉ କିଛି ବିଜେପି ନେତା ପ୍ଲାଜ୍ମା ଦାନ ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ବିଜୁ ଜନତା ଦଳ ତାହାର ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଲକ୍ଷାଧିକ ୟୁନିଟ୍ ରକ୍ତ ସଂଗ୍ରହ କରୁଛି । ଗତ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ଜନସମ୍ପର୍କ ଅଭିଯାନରେ ମାସ୍କ ବଣ୍ଟନଠାରୁ ଆରମ୍ଭ କରି ଲୋକଙ୍କ ପ୍ଲାଜ୍ମା ଦାନ ପାଇଁ ପ୍ରବର୍ତ୍ତାଯାଉଛି । ଏ ପରିପେକ୍ଷ୍ରୀରେ ବିଜେଡିର କରୋନାମୁକ୍ତ ବହୁ ନେତା ପ୍ଲାଜ୍ମା ଦାନ କରିବେ ବୋଲି ଆଶା କରାଯାଉଛି । ଏଯାବତ୍ ସୁସ୍ଥ ଲୋକଙ୍କ ମଧ୍ୟରୁ ଏକ ପ୍ରତିଶତରୁ କମ୍ ପ୍ଲାଜ୍ମା ଦାନ କରିଥିବା ବେଳେ ଅନ୍ୟୁନ ୨୫ ପ୍ରତିଶତ ଯଦି ଏଥିପାଇଁ ଆଗେଇ ଆସିବେ ତେବେ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।