Home Election ପ୍ରତିନିଧି ବାଛିବେ ଭୋଟର

ପ୍ରତିନିଧି ବାଛିବେ ଭୋଟର

ଭୁବନେଶ୍ୱର : ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟରେ ହେଉଥିବା ଭୋଟରେ ଲୋକେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ପ୍ରତିନିଧି ବାଛିବାକୁ ଯାଉଛନ୍ତି । ଏଥିପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଥିବାବେଳେ ୨୦ ତାରିଖରେ ମତଗ୍ରହଣ କରାଯିବ ।

ଏହି ୫ଟି ଲୋକସଭା ଆସନରୁ ଏବେ ତିନିଟି ବିଜେପି ଓ ୨ଟି ବିଜେଡି ଦଖଲରେ ରହିଛି । ସେହିଭଳି ଏହି ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ ଯେଉଁ ୩୫ଟି ବିଧାନସଭା ଆସନ ଲାଗି ନିର୍ବାଚନ ହେଉଛି ସେଥିରୁ ୨୬ଟିରେ ବିଜେଡିର ବିଧାୟକ ଥିବାବେଳେ ୪ଟିରେ ବିଜେପି, ୪ଟିରେ କଂଗ୍ରେସ ଓ ଗୋଟିଏରେ ସିପିଏମ୍‍ ବିଧାୟକ ଅଛନ୍ତି ।

ବରଗଡର ବିଜେପି ସାଂସଦ ସୁରେଶ ପୂଜାରୀ ବ୍ରଜରାଜନଗରରୁ ବିଜେପି ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢୁଥିବାବେଳେ ସଂସଦୀୟ କ୍ଷେତ୍ର ପାଇଁ ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି । ତାଙ୍କ ବିରୁଦ୍ଧରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ସଞ୍ଜୟ ଭୋଇ ନିର୍ବାଚନ ମଇଦାନରେ ଅଛନ୍ତି । ବିଜେପିର ବରିଗଡ ଜିଲ୍ଲା ସଭାପତି ଟିକଟ ବଣ୍ଟନ ପୂର୍ବରୁ ବିଜେଡିରେ ମିଶିବାପରେ ତାଙ୍କ ପତ୍ନୀ ପରିଣିତା ମିଶ୍ର ଲୋକସଭା ପ୍ରାର୍ଥୀ ହୋଇଛନ୍ତି ।

ସେହିଭଳି ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ବିଜେପି ସାଂସଦ ଜୁଏଲ ଓରାମ ପୁର୍ନବାର ପ୍ରାର୍ଥୀ ହୋଇଥିବାବେଳେ ଗତଥର ତାଙ୍କର ପ୍ରତିଦ୍ୱନ୍ଦୀ ଥିବା ବିଜେଡିର ଦିଲ୍ଲୀପ ତିର୍କୀ ବି ନିର୍ବାଚନ ରଣାଙ୍ଗନରେ ଅଛନ୍ତି । ଏଠାରୁ କଂଗ୍ରେସ ଏଥର ଜନାର୍ଦ୍ଦନ ଦେହୁରୀଙ୍କୁ ପ୍ରାର୍ଥୀ କରିଛି । ବଲାଙ୍ଗିରର ବିଜେପି ସାଂସଦ ସଙ୍ଗୀତା ସିଂହଦେଓ ପୁଣି ଏଥର ନିର୍ବାଚନ ଲଢୁଥିବାବେଳେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ସୁରେନ୍ଦ୍ର ସିଂହଭୋଇ ତାଙ୍କ ବିରୁଦ୍ଧରେ ପ୍ରାର୍ଥୀ ଅଛନ୍ତି । ଚଳଚିତ୍ର ଜଗତର ଚର୍ଚ୍ଚିତ ବ୍ୟକ୍ତିତ୍ୱ ମନୋଜ ମିଶ୍ର ଏଠାରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । କନ୍ଧମାଳର ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ସହିତ ବିଜେପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଓ କଂଗ୍ରେସର ଅମୀୟଚାନ୍ଦ ନାୟକ ଲଢୁଛନ୍ତି ।

ଆସିକା ସଂସଦୀୟ କ୍ଷେତ୍ରରେ ବିଜେଡି ତାହାର ଚର୍ଚ୍ଚିତ ସାଂସଦ ପ୍ରମିଳା ବିଶୋୟୀଙ୍କୁ ବଦଳାଇ ତାଙ୍କ ସ୍ଥାନରେ ରଞ୍ଜିତା ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ କନ୍ୟା ଅନୀତା ଶୁଭଦର୍ଶୀନି ବିଜେପିରୁ ଓ ଦେବକାନ୍ତ ଶର୍ମା ଏଠାରୁ କଂଗ୍ରେସ ପ୍ରାର୍ଥୀ ଅଛନ୍ତି । ଏମାନଙ୍କ ଛଡା ଏହି ୫ଟି ସଂସଦୀୟ କ୍ଷେତ୍ରରେ ଆଉ ଅନେକ ପ୍ରାର୍ଥୀ ମଧ୍ୟ ରହିଛନ୍ତି ।

ଯେଉଁ ୩୫ଟି ଆସନରେ ଆସନ୍ତା କାଲି ବିଧାନସଭା ପାଇଁ ନିର୍ବାନନ ହେଉଛି ସେଥିରେ ବର୍ତ୍ତମାନର ଅନେକ ବିଧାୟକଙ୍କ ଭାଗ୍ୟ ପରୀକ୍ଷା ହେବ । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ନିର୍ବାଚନ କ୍ଷେତ୍ର ହିଞ୍ଜିଳି ଓ କଣ୍ଟାବାଞ୍ଝି ପାଇଁ ଏହି ପର୍ଯ୍ୟାୟରେ ଭୋଟ ହେଉଛି । ବିଜେଡିର ଯେଉଁ ଚର୍ଚ୍ଚିତ ବିଧାନସଭା ପ୍ରାର୍ଥୀମାନେ ଏହି ପର୍ଯ୍ୟାୟରେ ସେମାନଙ୍କ ରାଜନୈତିକ ଭବିଷ୍ୟତର ପରୀକ୍ଷା ଦେଉଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ମନ୍ତ୍ରୀ ପ୍ରଦୀପ ଅମାତ, ଟୁକୁନି ସାହୁ, ରୀତା ସାହୁ ଓ ସାରଦା ପ୍ରସାଦ ନାୟକ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ପ୍ରମୁଖ ।

ସେହିଭଳି ବିଜେପିର ଦିଲ୍ଲୀପ ରାୟ, କନକ ବର୍ଦ୍ଧନ ସିଂହଦେଓ, ପୂର୍ଣ୍ଣଚନ୍ଦ୍ର ସେଠୀ, ସୁରେଶ ପୂଜାରୀ, ଇରାଶିଷ ଆଚାର୍ଯ୍ୟ, ଟଙ୍କଧର ତ୍ରିପାଠୀ, କୁସୁମ ଟେଟେ, ଶଙ୍କର ଓରାମ, ଭବାନୀ ଶଙ୍କର ଭୋଇ ପ୍ରମୁଖ କଡା ଟକ୍କର ଦେଉଥିବାବେଳେ କଂଗ୍ରେସର କିଶୋର ଚନ୍ଦ୍ର ପଟେଲ, ଅମିତା ବିଶ୍ୱାଳ, ସମରେନ୍ଦ୍ର ମିଶ୍ର, ସନ୍ତୋଷ ସିଂହ ସାଲୁଜା ଏବଂ ସିପିଏମ୍‍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ମଇଦାନରେ ଅଛନ୍ତି । (ତଥ୍ୟ)