ଭୁବନେଶ୍ୱର : ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ସରକାରୀ ସ୍ତରରେ ବ୍ୟାପକ ଘୋଷଣା କରାଯାଉଥିବାବେଳେ ଏବେ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୫୩ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି । ପ୍ରତିମାସରେ ଅବସରଗ୍ରହଣ ଓ ଅନ୍ୟାନ୍ୟ କାରଣରୁ ଶହ ଶହ ଶିକ୍ଷକ ପଦବୀ ଖାଲି ହେଉଥିବାବେଳେ ଏହି ସଂଖ୍ୟା ବଢି ବଢି ଚାଲିଛି ।
ଅନ୍ୟ ପକ୍ଷରେ ସିଟି ତାଲିମ ଓ ବିଏଡ୍ ଡିଗ୍ରୀ ହାସଲ କରି ହଜାର ହଜାର ସଂଖ୍ୟକ ଯୁବକ ଯୁବତୀ ଚାକିରି ପ୍ରତୀକ୍ଷାରେ ଚାତକ ଭଳି ଚାହିଁ ବସିଥିବାବେଳେ ଏହି ପଦବୀ ପୂରଣ କ୍ଷେତ୍ରରେ ବ୍ୟଗ୍ରତା ଲକ୍ଷ୍ୟ କରାଯାଉନାହିଁ । ଅତି ମାନ୍ଦା ଗତିରେ ଶିକ୍ଷକ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ମଝିରେ ମଝିରେ ହେଉଥିଲେ ମଧ୍ୟ ଖାଲି ପଦବୀ ସଂଖ୍ୟା କମିବାର ନାଁ ଧରୁନାହିଁ ।
ସେହିଭଳି ରାଜ୍ୟର ପାଖାପାଖି ୨ହଜାର ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଘର ବ୍ୟବସ୍ଥା କରିବା ତ ଦୂରରକଥା ଏଠି ବଖୁରାଏ ଘରେ ୫ଟି ଶ୍ରେଣୀ ଚାଲୁଥିବାରୁ ପିଲାମାନଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ଦିଆଯାଉଥିବ ତାହା ସହଜରେ ଅନୁମେୟ । ପ୍ରାଥମିକ ବିଦ୍ୟାଳୟଗୁଡିକରେ ସରକାର ଶିଶୁ ବାଟିକା ଖୋଲୁଥିବାବେଳେ ସବୁ ସ୍କୁଲରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଶ୍ରେଣୀଗୃହ, କ୍ରୀଡା ସରଞ୍ଜାମ, ଶିକ୍ଷୟତ୍ରୀ ଓ ସହାୟିକା ବ୍ୟବସ୍ଥା କରିବା ଏବେ ଆହ୍ୱାନ ହୋଇଛି ।
ସରକାରୀ ହିସାବ ମୁତାବକ ରାଜ୍ୟରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସରକାରୀ ବିଦ୍ୟାଳୟଗୁଡିକରେ ୫୩,୫୬୧ଟି ଶିକ୍ଷକ ପଦବୀ ଖାଲି ପଡିଛି । କେବଳ ସେତିକି ନୁହେଁ, ଏଠାରେ ୨୦ହଜାରରୁ ଅଧିକ ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡିଛି ।
୨୦୨୪-୨୫ ବର୍ଷରେ ରାଜ୍ୟରେ ୨୭,୧୭୫ଟି ପ୍ରାଥମିକ ବିଦ୍ୟାଳୟ ରହିଥିଲା ଯେଉଁଥିରୁ ୨୬,୮୯୦ଟି ସରକାରୀ ବିଦ୍ୟାଳୟ ଥିବାବେଳେ ୨୮୫ଟି ହେଉଛି ଅନୁଦାନପ୍ରାପ୍ତ ବିଦ୍ୟାଳୟ । ସେହିଭଳି ଓଡିଶାରେ ଥିବା ୧୭,୦୪୬ ଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୧୫,୬୬୩ଟି ସରକାରୀ ବିଦ୍ୟାଳୟ ଥିବାବେଳେ ୧୩୮୩ ଟି ହେଉଛି ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନ ।
ସେହିପରି ଆମ ରାଜ୍ୟରେ ୮୪୧୬ଟି ମାଧ୍ୟମିକ ଓ ୧୬୭୫ଟି ଉଚ୍ଚ ମାଧ୍ୟମିକ (ଯୁକ୍ତ ଦୁଇ) ବିଦ୍ୟାଳୟ ରହିଛି । ଏଗୁଡିକ ମଧ୍ୟରୁ ୫୦୭୯ଟି ସରକାରୀ ହାଇସ୍କୁଲ ଥିବାବେଳେ ୮୮୨ଟି ହେଉଛି ସରକାରୀ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନ । ଏସବୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଚାଲୁଛି ।
ରାଜ୍ୟର ହାଇସ୍କୁଲଗୁଡିକରେ ମଧ୍ୟ ପ୍ରାୟ ୨୧ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି । ଏଥି ମଧ୍ୟରୁ ତାଲିମପ୍ରାପ୍ତ ଗ୍ରାଜୁଏଟ ବିଜ୍ଞାନ ଶିକ୍ଷକ ପଦବୀ ହେଉଛି ୧୪ ହଜାରରୁ ଅଧିକ । ସଂଖ୍ୟାଧିକ ହାଇସ୍କୁଲରେ ବି ନିୟମିତ ପ୍ରଧାନଶିକ୍ଷକ ନାହାନ୍ତି । ଭାରପ୍ରାପ୍ତ ପ୍ରଧାନଶିକ୍ଷକମାନେ ବହୁ ସ୍ଥଳରେ ଯୁକ୍ତ ଦୁଇ, ହାଇସ୍କୁଲ, ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ପରିଚାଳନା ଦାୟିତ୍ୱରେ ରହୁଛନ୍ତି । ଏଭଳି ସ୍ଥିତିରେ ଗଣିତ, ବିଜ୍ଞାନ, ଇଂରାଜୀ ଆଦି ବିଷୟ ପଢାଇବା ବହୁ ହାଇସ୍କୁଲରେ ଅସମ୍ଭବପର ହୋଇପଡିଛି । ଫଳରେ କେଉଁଠି ସଂସ୍କୃତ, ହିନ୍ଦୀ କିମ୍ବା କ୍ରୀଡା ଶିକ୍ଷକଙ୍କୁ ବି ଏହି ଶ୍ରେଣୀ ଦାୟିତ୍ୱ ଦିଆଯାଉଛି ।
ରାଜ୍ୟରେ ଥିବା ସରକାରୀ ବିଏଡ୍ ଓ ସିଟି ଶିକ୍ଷାନୁଷ୍ଠାନଗୁଡିକରେ ମଧ୍ୟ ଶିକ୍ଷକ ମରୁଡି ଅବସ୍ଥା ଅତି ଭୟଙ୍କର ସ୍ଥିତିରେ ରହିଛି । ଯେଉଁ ଶିକ୍ଷାନୁଷ୍ଠାନଗୁଡିକ ଉପରେ ଗୁଣାତ୍ମକ ମାନର ଶିକ୍ଷକ ସୃଷ୍ଟି ପାଇଁ ଦାୟିତ୍ୱ ରହିଛି ସେଗୁଡିକରେ ତାଲିମ ଦେବାପାଇଁ ପର୍ଯ୍ୟାନ୍ତ ସଂଖ୍ୟକ ଦକ୍ଷ ଶିକ୍ଷକ ନଥିବାରୁ ବସ୍ତୁତଃ ମୂଳଦୂଆ ଖଇଚା ହୋଇଯାଉଛି । ବିଦ୍ୟାଳୟଗୁଡିକରେ ଆବଶ୍ୟକ ସଂଖ୍ୟକ ପ୍ରଧାନ ଶିକ୍ଷକ ଓ ଶିକ୍ଷକ ନଥିବାବେଳେ ପାଠପଢା ଅପେକ୍ଷା ମଧ୍ୟାହ୍ନଭୋଜନ, ପାଠ୍ୟ ଉପକରଣ ଓ ପୋଷାକ ବଣ୍ଟନ ଏବଂ ଜନଗଣନା ଠାରୁ ଭୋଟର ତାଲିକା ସଂଶୋଧନ ପର୍ଯ୍ୟନ୍ତ ବିଭିନ୍ନ ଦାୟିତ୍ୱ ରହୁଥିବା ପରିପ୍ରେକ୍ଷୀରେ ପାଠପଢା ବାଧାପ୍ରାପ୍ତ ହେବା ସ୍ୱାଭାବିକ । (ତଥ୍ୟ)

