Home Education ପ୍ରାଥମିକ ଠିକା ଶିକ୍ଷକଙ୍କ ନିୟମିତ ଦାବି

ପ୍ରାଥମିକ ଠିକା ଶିକ୍ଷକଙ୍କ ନିୟମିତ ଦାବି

ଭୁବନେଶ୍ୱର : ପ୍ରାଥମିକ ବିଦ୍ୟାଳୟଗୁଡିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଠିକା ଶିକ୍ଷକମାନଙ୍କୁ ଅନ୍ୟ ଠିକା କର୍ମଚାରୀଙ୍କ ଭଳି ନିୟମିତ କରାଯାଇ ନାହିଁ । ଏହି ଶିକ୍ଷକ ଶିକ୍ଷୟତ୍ରୀମାନେ ବର୍ଷ ବର୍ଷ ଧରି ସ୍ୱଳ୍ପ ପାରିଶ୍ରମିକରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସଚିବ କରି ରଖିଥିବା ପରିପ୍ରେକ୍ଷୀରେ ସେମାନଙ୍କ ସମସ୍ୟା ରାଜ୍ୟ ସରକାର ହୃଦୟଙ୍ଗମ କରି ଅନ୍ୟ ଠିକା କର୍ମଚାରୀଙ୍କ ଭଳି ସେମାନଙ୍କୁ ମଧ୍ୟ ଚାକିରି ଆରମ୍ଭରୁ ନିୟମିତ କରିବା ସହ ଇନକ୍ରିମେଣ୍ଟ ଆଦି ଦେବାପାଇଁ ଦାବି ଉଠୁଛି ।

ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଉଥିବା ଏହି ଶିକ୍ଷକ ଶିକ୍ଷୟତ୍ରୀମାନେ ଅଭିଯୋଗ କରୁଛନ୍ତି ଯେ ସେମାନେ ନିୟମିତ ଶିକ୍ଷକମାନଙ୍କ ଠାରୁ ଢେର ଅଧିକ ପରିଶ୍ରମ କରୁଥିଲେ ମଧ୍ୟ ସେମାନଙ୍କୁ ସମାନ କାମ ପାଇଁ ସମାନ ବେତନ ଓ ସମାନ ସରକାରୀ ସୁବିଧା ମିଳୁନାହିଁ । ଏହା ଫଳରେ ସେମାନେ ଗଭୀର ମାନସିକଚାପ ମଧ୍ୟରେ ଗତି କରୁଛନ୍ତି ।

୨୦୧୩ ମସିହାରେ ରାଜ୍ୟ ସରକାର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥଶ୍ରେଣୀ ପଦବୀଗୁଡିକରେ ଠିକା ନିଯୁକ୍ତି ଦେବାପାଇଁ ସ୍ୱତନ୍ତ୍ର ଆଇନ୍‍ ପ୍ରଣୟନ କରିଥିଲେ । ଏହି ଠିକା କର୍ମଚାରୀମାନେ ଛଅ ବର୍ଷ ଠିକଣା କାମ କଲେ ସେମାନଙ୍କୁ ନିୟମିତ କରିବାପାଇଁ ଏହି ଆଇନ୍‍ରେ ବ୍ୟବସ୍ଥା ଥିଲା । ରାଜ୍ୟର ଆର୍ଥିକ ସଙ୍କଟ ଦୃଷ୍ଟିରୁ ସେତେବେଳେ ସରକାର ବାଧ୍ୟ ବାଧକତାରେ ଏଭଳି ନିଷ୍ପତ୍ତି ନେଇଥିଲେ । ତେବେ ନିକଟରେ ରାଜ୍ୟ ସରକାର ଏହି ଠିକା ନିଯୁକ୍ତି ବ୍ୟବସ୍ଥାର ଉଚ୍ଛେଦ କରିବା ସହିତ ସମ୍ପୃକ୍ତ ଦୁଇଟି ଯାକ ଆଇନ୍‍ ପ୍ରତ୍ୟାହାର କରିନେଇଛନ୍ତି ଏବଂ ତଦନୁଯାୟୀ ଯେତେ କର୍ମଚାରୀ ଠିକାରେ ନିଯୁକ୍ତି ପାଇଥିଲେ ସେ ସମସ୍ତେ ନିୟମିତ ହେବା ସହିତ ଠିକା ନିଯୁକ୍ତି ଦିନ ଠାରୁ ସେମାନଙ୍କର ଇନକ୍ରିମେଣ୍ଟ ଗଣନା କରାଯାଇଛି । ଏଥିରେ ୫୭ହଜାର ଠିକା କର୍ମଚାରୀ ଉପକୃତ ହୋଇଛନ୍ତି ଏବଂ ଏଥିଲାଗି ରାଜ୍ୟ ସରକାରଙ୍କୁ ଅଧିକ ୧୩୦୦ କୋଟି ଟଙ୍କାର ଚାପ ବହନ କରିବାକୁ ପଡୁଛି ।

ଏହି ଠିକା ନିଯୁକ୍ତି ଆଇନ୍‍ ଅଣାଯିବାର ଢେର ପୂର୍ବରୁ ଶିକ୍ଷାକର୍ମୀ, ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ ଆଦି ବିଭିନ୍ନ ନାମରେ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଠିକା ଶିକ୍ଷକ ନିଯୁକ୍ତି କରାଯାଉଥିଲା । ଆଇନ୍‍ ଅଦାଲତରେ ମାମଲା ରୁଜୁ କରି ଏମାନଙ୍କ ମଧ୍ୟରୁ କେତେକ ନିୟମିତ ହୋଇଛନ୍ତି । ଏଭଳି ଶିକ୍ଷକମାନେ ନଅ ବର୍ଷ ଧରି ଠିକାରେ କାମ କଲେ ପରେ ସେମାନଙ୍କୁ ନିୟମିତ କରିବାପାଇଁ ବିଚାର କରାଯାଉଥିଲା । ଅବଶ୍ୟ ରାଜ୍ୟ ସରକାର ଏହି ନଅବର୍ଷର ସମୟସୀମାକୁ ଇତିମଧ୍ୟରେ ଛଅ ବର୍ଷକୁ କମାଇ ଦେଇଛନ୍ତି ।

ପ୍ରାଥମିକ ବିଦ୍ୟାଳୟରେ ଏବେ ଅନ୍ୟୁନ ୩୦ହଜାର ଚୁକ୍ତି ଭିତ୍ତିକ ଠିକା ଶିକ୍ଷକ ସ୍ୱଳ୍ପ ପାରିଶ୍ରମିକରେ କାମ କରୁଛନ୍ତି । ରାଜ୍ୟ ସରକାର ଶିକ୍ଷା ଭିତ୍ତିଭୂମି ସୁଦୃଢ କରିବାପାଇଁ ୫-ଟି ମାଧ୍ୟମରେ ବିଦ୍ୟାଳୟଗୁଡିକର ରୂପାନ୍ତରଣ ସହିତ ପିଲାଙ୍କୁ ମାଗଣା ମଧ୍ୟାହ୍ନଭୋଜନ, ପୋଷାକ, ବହିପତ୍ର ଓ ଜୋତା ଆଦି ଦେଉଛନ୍ତି । ତେବେ ଯେଉଁ ଠିକା ଶିକ୍ଷକମାନେ ଏହି ପିଲାମାନଙ୍କୁ ପାଠ ପଢାଇବା ସହ ସେମାନଙ୍କ ଭବିଷ୍ୟତ ଗଢୁଛନ୍ତି ସେମାନଙ୍କୁ ଅନ୍ୟ ଠିକା କର୍ମଚାରୀଙ୍କ ଭଳି ତୁରନ୍ତ ନିୟମିତ କରାଇବା ଲାଗି ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)