Home Assembly ପ୍ରାଣ ହରାଇଲେଣି ୪୦୩ ପ୍ରବାସୀ ଶ୍ରମିକ

ପ୍ରାଣ ହରାଇଲେଣି ୪୦୩ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର : ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ଗତ ୧୦ବର୍ଷ ମଧ୍ୟରେ ୪୦୩ ଜଣ ପ୍ରାଣ ହରାଇଲେଣି । ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ୫୯ଜଣ ଗଞ୍ଜାମ ଜିଲ୍ଳାର ରହିଛନ୍ତି ।

ପ୍ରବାସୀ ଶ୍ରମିକଙ୍କ ଉପରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ ଚଳିତ ବର୍ଷ ନଭେମ୍ବର ୨୭ତାରିଖ ସୁଦ୍ଧା ୪୦୩ ଜଣ ପ୍ରବାସୀ ଶ୍ରମିକମାନଙ୍କର ମୃତ୍ୟୁ ଘଟିଛି ।

ଏମାନଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୫୯ଜଣ ଥିବାବେଳେ କଳାହାଣ୍ଡିର ୩୯, ବଲାଙ୍ଗିରର ୩୫, କନ୍ଧମାଳର ୩୨, ରାୟଗଡାର ୨୮, ବୌଦ ଓ ନୂଆପଡାରୁ ୧୮ଜଣ କରି, ଖୋରଧାରୁ ୧୭, ନବରଙ୍ଗପୁରର ୧୭, କେନ୍ଦ୍ରାପଡାର ୧୪, ନୟାଗଡର ୧୩, ସମ୍ବଲପୁରର ୧୨ ଓ ମୟୁରଭଞ୍ଜର ୧୦ଜଣ ଶ୍ରମିକ ରହିଛନ୍ତି । ସମ୍ବଲପୁର ଜିଲ୍ଲା ଏହି ତାଲିକାରେ ନଥିବାବେଳେ ଅନ୍ୟ ଜିଲ୍ଲାଗୁଡିକରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି ।

ସେହିଭଳି ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୪ ମସିହାରେ ଶ୍ରମିକମାନଙ୍କୁ ବାହାରକୁ କାମ କରାଇବାକୁ ନେବାପାଇଁ ୩୮୮ଟି ଲାଇସେନ୍ସ ମଞ୍ଜୁର ହୋଇଥିବାବେଳେ ୨୦୨୪ରେ ବର୍ତ୍ତମାନ ସୁଦ୍ଧା ତାହା ୮୮୩ରେ ପହଞ୍ଚିଛି । ଏହି ବର୍ଷଗୁଡିକରେ ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ଲାଇସେନ୍ସ ପ୍ରଦାନ କରାଯାଇଛି । ସେହଭଳି ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ପ୍ରବାସୀ  ଶ୍ରମିକଙ୍କ  ସଂଖ୍ୟା ୬୦ହଜାରକୁ ଟପିଯାଇଛି । ୨୦୧୪ ମସିହାରେ ଏହା ୨୬ହଜାରରୁ ସାମାନ୍ୟ ଅଧିକ ରହିଥିଲା ।