ଭୁବନେଶ୍ଵର : ପ୍ରାକୃତିକ ସମ୍ପଦର ସୁରକ୍ଷା ତଥା ନଦୀ ଓ ଜଳ ଉତ୍ସଗୁଡ଼ିକର ସଂରକ୍ଷଣ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ କନଭେନସନ୍ ଆୟୋଜିତ ହୋଇଯାଇଛି । ଏହାର ପ୍ରଥମ ଅଧିବେଶନ ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବାବେଳେ ଦେଶର ବିଶିଷ୍ଟ ପରିବେଶବିତ୍, ନର୍ମଦା ବଞ୍ଚାଅ ଆନ୍ଦୋଳନ ତଥା ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟର ପ୍ରତିଷ୍ଠାତା ସଦସ୍ୟ ମେଧା ପାଟେକର ଏହାକୁ ଉଦଘାଟନ କରିଥିଲେ।
ଜଳବାୟୁ ନ୍ୟାୟ ଅଧ୍ୟୟନ କେନ୍ଦ୍ର, ଲୋକଶକ୍ତି ଅଭିଯାନ ଏବଂ ଦୟା ସୁରକ୍ଷା ଅଭିଯାନ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ରାଜ୍ୟସ୍ତରୀୟ କନଭେନସନରେ ବିଶିଷ୍ଟ ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା ଭିତ୍ତିପତ୍ର ଉପସ୍ଥାପନ ଅବସରରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅରବିନ୍ଦ ବେହେରା, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ନେତା ତଥା ଜୟ କିଷାନ୍ ଆନ୍ଦୋଳନର ଲିଙ୍ଗରାଜ, ବାଲନ୍ଦା ଖଣି ବିରୋଧୀ ଆନ୍ଦୋଳନର ଲକ୍ଷ୍ମୀ ସିସା, ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟର ଅନ୍ୟତମ ନେତା ଲିଙ୍ଗରାଜ ଆଜାଦ୍ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ।
ଭିତ୍ତିପତ୍ର ଉପସ୍ଥାପନ ଅବସରରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରା ନିୟମଗିରି, ବାଲନ୍ଦା, ସିଜିମାଳି, କୁଟ୍ରୁମାଳି, ଖଣ୍ଡୁଆଳମାଳି, ରାଜଗାଙ୍ଗପୁର, ସୁନ୍ଦରଗଡ଼ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଖଣିଖାଦାନ ଓ ଶିଳ୍ପ ନାମରେ କିପରି ପ୍ରାକୃତିକ ସମ୍ପଦର ବ୍ୟାପକ ହରିଲୁଟ୍ ଚାଲିଛି, ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସେହିପରି ମହାନଦୀ, ବୈତରଣୀ, ଋଷିକୂଲ୍ୟା, ଦୟା, ନାଗାବଳୀ, ବଂଶଧାରା, ବୁଢାବଳଙ୍ଗ, ବ୍ରାହ୍ମଣୀ ଆଦି ନଦୀଗୁଡ଼ିକୁ ତଥା ବିଭିନ୍ନ ପ୍ରାକୃତିକ ଜଳ ଉତ୍ସଗୁଡିକ କିପରି ସରକାରଙ୍କ କର୍ପୋରେଟ୍ ପ୍ରୀତି ତଥା ଜନ ବିରୋଧୀ ନୀତି ଯୋଗୁଁ ମୃତ ପ୍ରାୟ ହେବାକୁ ବସିଛି, ସେ ସମ୍ପର୍କରେ କନଭେନସନରେ ଯୋଗଦାନ କରିଥିବା ପ୍ରତିନିଧିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ତା’ର ପ୍ରତିକାର ଦିଗରେ ସମ୍ମିଳିତ ପଦକ୍ଷେପ ନେବାକୁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ।
କନଭେନସନକୁ ଉଦଘାଟନ କରି ନର୍ମଦା ବଞ୍ଚାଅ ଆନ୍ଦୋଳନ ତଥା ଜନ ଆନ୍ଦୋଳନମାନଙ୍କର ବିଶିଷ୍ଟ ନେତ୍ରୀ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ, ସମସ୍ତ ଜଳ, ଜମି ଓ ଜଙ୍ଗଲ ତଥା ପ୍ରାକୃତିକ ସମ୍ପଦକୁ କେନ୍ଦ୍ରୀକରଣ କରି ଆଜି ସରକାର ଲୋକମାନଙ୍କ ଜୀବନ ଜୀବିକାକୁ ଅଣଦେଖା କରୁଛନ୍ତି ଓ ପ୍ରାକୃତିକ ସମ୍ପର ଲୁଣ୍ଠନ କରି ଚାଲିଛନ୍ତି। ପିଢ଼ି ପରେ ପିଢ଼ି ଧରି ଲୋକମାନେ ବଞ୍ଚାଇ ରଖିଥିବା ପ୍ରାକୃତିକ ସଂଶାଧନକୁ ସରକାର ବଳପୂର୍ବକ କର୍ପୋରେଟମାନଙ୍କ ହାତରେ ଟେକି ଦେଉଛନ୍ତି। ଆଇନ ପରେ ଆଇନ କରାଯାଉଛି, କିନ୍ତୁ ସମ୍ବିଧାନର ମୂଳଭିତ୍ତିକୁ ଦୁର୍ବଳ କରିଦିଆଯାଉଛି। ଅନୁସୂଚିତ ଅଞ୍ଚଳରେ ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନୁଯାୟୀ ଗ୍ରାମସଭାର ଅଧିକାରକୁ ଅସମ୍ମାନିତ କରାଯାଉଛି।
ଯେଉଁ ଗ୍ରାମସଭାର ଅଧିକାରକୁ ନିୟମଗିରି ସୁରକ୍ଷା ଆନ୍ଦୋଳନରେ ମାନ୍ୟବର ସୁପ୍ରିମକୋର୍ଟ ତା’ର ଯୁଗାନ୍ତକାରୀ ରାୟରେ ସାବ୍ୟସ୍ତ କରିଥିଲେ, ତାହାକୁ ସିଜିମାଳି, ଢ଼ିଙ୍କିଆ, ଗନ୍ଧମାର୍ଦନ, ବାଲିଆପାଳ ଆନ୍ଦୋଳନ କ୍ଷେତ୍ରରେ ମର୍ଯ୍ୟାଦା ଦିଆଯାଉ ନାହିଁ। ଗାଁର ଜମି, ଜଙ୍ଗଲ, ଖଣି, ପାଣି ଉପରେ ଗ୍ରାମବାସୀଙ୍କ ତଥା ଗ୍ରାମସଭାର ଅଧିକାରକୁ ଯଦି ଆମେ ସମ୍ମାନ ନଦେବା, ତାହା ହେଲେ ଆମେ ଗଣତନ୍ତ୍ରକୁ ସମ୍ମାନ ଦେଉଛନ୍ତି ବୋଲି କହିପାରିବା କି ବୋଲି ସେ ପ୍ରଶ୍ନ କରିଥିଲେ।
ଆଜି ବିକାଶ ନାମରେ ବିନାଶ ଚାଲିଛି, ଯାହା ବିସ୍ଥାପନ ଓ ବିଷମତାକୁ ବଢ଼ାଇ ଚାଲିଛି। ଯେଉଁ ଶ୍ରମିକ ଓ କୃଷକ ମାନେ ସେମାନଙ୍କ ଲହୁ ଲୁହ ଦେଇ ହିନ୍ଦୁସ୍ଥାନକୁ ବଞ୍ଚାଉଛନ୍ତି, ସେମାନଙ୍କୁ ମାରିବା ପାଇଁ ସରକାର ଯୋଜନା କରୁଛନ୍ତି, ସେମାନଙ୍କ ଜୀବନ ଜୀବିକାର ଅଧିକାରକୁ ଛଡ଼ାଇ ନିଆଯାଉଛି, ଯାହା ଆମେ କରୋନା କାଳରେ ଅନୁଭବ କରିଛନ୍ତି। ଅର୍ଥ ବ୍ୟବସ୍ଥା, କାର୍ଯ୍ୟକାରୀ ବ୍ୟବସ୍ଥା ତଥା ଜୀବନ – ଜୀବିକା ପ୍ରଣାଳୀ ମଧ୍ୟରେ ପାରସ୍ପରିକ ସାମଞ୍ଜସ୍ୟ ରହିବା ବଦଳରେ ସେମାନଙ୍କ ଭିତରେ ଅସାମଞ୍ଜସ୍ୟ ବଢ଼ିଚାଲିଛି। ନଦୀ ତଥା ଜଳ ଉତ୍ସଗୁଡିକୁ ମାରି ଦିଆଯାଉଛି।
ନଦୀରେ ନିଷ୍କାସିତ ହେଉଥିବା ବର୍ଜ୍ୟବସ୍ତୁ ଆଜି ନଦୀକୁ ପ୍ରଦୂଷିତ କରୁଛି, ନଦୀର ପାଣି ଏବେ ବିଷାକ୍ତ ଓ ବ୍ୟବହାର ଯୋଗ୍ୟ ନୁହେଁ। ଲଘୁ ଖଣିଜ ସମ୍ପଦ ଭାବରେ ବିବେଚିତ ହେଉଥିବା ବାଲି ଖନନ ଆଜି ବାଲି ମାଫିଆମାନଙ୍କ ଦ୍ୱାରା କବଳିତ, ଯାହା ନଦୀକୁ ମୃତ୍ୟୁ ମୁହଁକୁ ଠେଲି ଦେଉଛି। ଜଳ-ଜମି ଓ ଜଙ୍ଗଲରେ ଅସ୍ମିତାକୁ ଆଜି ମହାକୁମ୍ଭ ବା ଚାରିଧାମ ଯାତ୍ରା ଭିତରେ ବିଲୀନ କରିଦିଆଯାଇଛି, ଉତ୍ତରାଖଣ୍ଡ ଆଜି ଖଣ୍ଡ ବିଖଣ୍ଡିତ, ଯାହା ପରିବେଶକୁ ବିପର୍ଯ୍ୟସ୍ତ କରୁଛି ଓ ପ୍ରଦ୍ୟୁଷଣ ମାତ୍ରା ବୃଦ୍ଧି କରିଚାଲିଛି।
ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଅରବିନ୍ଦ ବେହେରାଙ୍କ ଜଙ୍ଗଲ ସହିତ ନଦୀ ଉତ୍ସଗୁଡ଼ିକର ସମ୍ବନ୍ଧ ସମ୍ପର୍କୀୟ ମତକୁ ସମର୍ଥନ କରି ସେ ଗଙ୍ଗା, ମହାନଦୀ,ନର୍ମଦା, ବ୍ରହ୍ମପୁତ୍ର, କ୍ରିଷ୍ଣା, କାବେରୀ, ଋଷିକୂଲ୍ୟା ଆଦି ସବୁ ନଦୀର ଉତ୍ସ ହେଉଛି ଜଙ୍ଗଲ, କିନ୍ତୁ ସେହି ଜଙ୍ଗଲକୁ ଆଜି କର୍ପୋରେଟ୍ ହାତରେ ଟେକି ଦିଆଯାଉଛି। ନଦୀର ଜଳକୁ ପିଇବା ପାଣି ଓ ଜଳସେଚନ ବଦଳରେ କମ୍ପାନୀ ତଥା ଶିଳ୍ପ ପ୍ରତିଷ୍ଠାନ ପାଇଁ ବ୍ୟବହାର କରାଯାଉଛି। ଯେତେବେଳେ ଆମେରିକା ଏବଂ ୟୁରୋପରେ ବଡ ବଡ଼ ନଦୀବନ୍ଧକୁ ବିଲୋପ କରାଯାଉଛି, ସେତେବେଳେ ଆମେ ବଡ଼ ବଡ଼ ନଦୀବନ୍ଧ ଯୋଜନା କରୁଛୁ, ନଦୀର ସ୍ରୋତ ତଥା ଉତ୍ସକୁ ଅବରୋଧ କରୁଛି, ଯାହା ନଦୀକୁ ଅଧିକରୁ ଅଧିକ ପ୍ରଦୂଷିତ କରୁଛି।ଏଥିପାଇଁ କେବଳ ଆଇନର ଲଢେଇ ନୁହେଁ, ସମ୍ବିଧାନରେ ରାଷ୍ଟ୍ରର ନିର୍ଦ୍ଦେଶକ ନୀତି ଅନୁଯାୟୀ “ସଂଶାଧାନ ବଞ୍ଚାଇବା ଦାୟିତ୍ଵ ସରକାରଙ୍କ” ଘୋଷଣାକୁ ଆମକୁ କାର୍ଯ୍ୟକାରୀ କରିବାକୁ ପଡିବ।
ମୁଷ୍ଟିମେୟଙ୍କ ହାତରେ ଦେଶର ସମସ୍ତ ସମ୍ପଦ ଠୁଳ ହେବା କଥା ନୁହେଁ କି ଏ ଦେଶ ପୁଞ୍ଜିପତି ମାନଙ୍କ ଜାଗିର୍ ନୁହେଁ। ସେଥିପାଇଁ ଆମକୁ ଉଭୟ ସଂଘର୍ଷ ଓ ନିର୍ମାଣ ପାଇଁ ତଥା ଏକ ସମତା ମୂଳକ ସମାଜ ପ୍ରତିଷ୍ଠା ପାଇଁ ସମ୍ମିଳିତ ଲଢେଇ କରିବାକୁ ସେ ଆହ୍ୱାନ ଦେଇଥିବା ବେଳେ ଦ୍ୱିତୀୟ ଅଧିବେଶନ ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା।