ଭୁବନେଶ୍ୱର : ଓଡିଶା ସରକାରଙ୍କ ରାଜ୍ୟ ଅଭିଲେଖାଗାର ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଯୋଗଦାନ ସଂକ୍ରାନ୍ତରେ ଓଡିଆ ଭାଷାରେ ଏକ ସଂକ୍ଷିପ୍ତ ଇତିହାସ ପ୍ରସ୍ତୁତ କରିବ । ଏଥିଲାଗି ଓଡିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଅଭିଲେଖାଗାରକୁ ଦାୟିତ୍ୱ ଦେଇଛି । ବିଶେଷଜ୍ଞମାନଙ୍କ ନେଇ ଏଥିପାଇଁ ଏକ କମିଟି ଗଢିବାକୁ ସ୍ଥିର ହୋଇଛି ।
ଏଠାରେ ଉଲ୍ଲେଖନୀୟ ଯେ ବହୁ ଲବ୍ଧ ପ୍ରତିଷ୍ଠିତ ଐତିହାସିକ ଓ ଗବେଷକମାନଙ୍କ ଦ୍ୱାରା ପୂର୍ବରୁ ଅଭିଲେଖାଗାର ସ୍ୱାଧୀନତା ସଂଗ୍ରାମ ଉପରେ ବଡ ବଡି ଗ୍ରନ୍ଥମାନ ପ୍ରକାଶ କରିଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଫଗାନ, ମୋଗଲ, ମହରଟ୍ଟା, ଫରାସୀ ଓ ଇଂରେଜମାନଙ୍କ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାଜା ମହାରାଜାମାନେ କିଭଳି ସଂଗ୍ରାମ କରିଥିଲେ ଏବଂ ଆଦିବାସୀଙ୍କ ଠାରୁ ଆରମ୍ଭ କରି ପାଇକମାନେ ମାତୃଭୂମିର ସୁରକ୍ଷା ଲାଗି କରିଥିବା ପ୍ରାଣପାତ ସଂଘର୍ଷ ସଂକ୍ରାନ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି । ଏହାଛଡା ସ୍ୱାଧୀନତା ଆନ୍ଦୋଳନରେ ଓଡିଶାର ମହିଳାମାନଙ୍କ ଯୋଗଦାନ ସଂକ୍ରାନ୍ତରେ ମଧ୍ୟ ସ୍ୱତନ୍ତ୍ର ଭାବେ ରାଜ୍ୟ ଅଭିଲେଖାଗାର ଅନେକ ଉପାଦେୟ ପୁସ୍ତକ ପ୍ରକାଶ କରିଛି ।
ତେବେ ଏହି ଗବେଷଣାଧର୍ମୀ ପୁସ୍ତକଗୁଡିକର କଳେବର ବେଶ୍ ବଡ ରହିଥିବା ଏବଂ ଅନେକ ଭାଗରେ ଏହି ପୁସ୍ତକ ସବୁ ପ୍ରକାଶିତ ହୋଇଥିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ସମୟରେ ଏଭଳି ବଡ ବଡ ବହି ପଢିବାପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ତେଣୁ ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଗୌରବାବହ ଇତିହାସ ସଂକ୍ରାନ୍ତରେ ଛାତ୍ରଛାତ୍ରୀମାନଙ୍କୁ ପରିଚିତି କରିବାଲାଗି ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ରାଜ୍ୟ ଅଭିଲେଖାଗାର ଏ ସଂକ୍ରାନ୍ତରେ ସଂକ୍ଷିପ୍ତ ପୁସ୍ତକ ପ୍ରକାଶନ ଉପରେ ଗୁରୁତ୍ୱ ଦେଉଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ଅଭିଲେଖାଗାର ପ୍ରକାଶ କରିଥିବା ଗବେଷଣାଧର୍ମୀ ବିସ୍ତୃତ ପୁସ୍ତକରେ ଆଫଗାନ ଓ ମୋଗଲମାନଙ୍କ ସହ ଓଡିଆ ଯୋଦ୍ଧାଙ୍କ ଯୁଦ୍ଧ ଓ ଯୁଦ୍ଧଭୂମିରେ ବିଶ୍ୱାସଘାତକଙ୍କ ଚକ୍ରାନ୍ତ ଯୋଗୁଁ ଗୋହିରାଟିକିରି ଯୁଦ୍ଧରେ ଓଡିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ହତ୍ୟା, ଫରାସୀ ଓ ଇଂରେଜମାନଙ୍କ ବିରୁଦ୍ଧରେ ପାରଳାର ବିଦ୍ରୋହ ଓ ସେଥିରେ ଆଦିବାସୀମାନଙ୍କ ଭୂମିକା, ଘୁମୁସର ଆନ୍ଦୋଳନ, ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁଙ୍କ ବିଦ୍ରୋହ ସମୟରେ ଗଜପତିଙ୍କ ଭୂମିକା ଓ ପାଇକମାନଙ୍କ ପ୍ରାଣମୂର୍ଚ୍ଛା ଲଢେଇ, ବାଣପୁରକୁ ସ୍ୱାଧୀନ କରିବା ଅଭିଯାନରେ କୃତିବାସ ପାଟ୍ଟଶାଣୀଙ୍କ ଯୋଗଦାନ ସମେତ ବିଭିନ୍ନ ଗଡଜାତ ଅଞ୍ଚଳରେ କନ୍ଧ, କୋହ୍ଲ, ଭୂୟାଁ ଓ ଅନ୍ୟ ସମ୍ପ୍ରଦାୟର ଆଦିବାସୀମାନଙ୍କ ସଶସ୍ତ୍ର ବିପ୍ଳବ ଆଦିର ବହୁ ରୋମାଞ୍ଚକର ତଥ୍ୟ ରହିଛି ।
ଏହାଛଡା ବ୍ରିଟିଶ ରାଜତ୍ୱ ସମୟରେ କନିକା, ଢେଙ୍କାନାଳ, ନୀଳଗିରି, ରଣପୁର, ନୟାଗଡ, ତାଳଚେର, ଗାଙ୍ଗପୁର ଆଦି ଗଡଜାତ ଅଞ୍ଚଳରେ ହୋଇଥିବା ନରସଂହାର ଏବଂ ଗାନ୍ଧୀଜୀଙ୍କ ନେତୃତ୍ୱରେ ପରିଚାଳିତ ସ୍ୱାଧୀନତା ସଂଗ୍ରାମର ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ବାଣି ସତ୍ୟାଗ୍ରହ, ଭାରତଛାଡ ଆନ୍ଦୋଳନ ଆଦିରେ ଓଡିଆ ସତ୍ୟାଗ୍ରହୀଙ୍କ ସକ୍ରିୟ ଅଭିଯାନ ସମେତ ମାଥିଲି, ପାପଡାହାଣ୍ଡି, ଇରମ, ତୂରୀଗଡିଆ, ଖଇରାଡିହି, କଟସାହି, ଲୁଣିଆ, କାଇପଡା, କଳାମାଟିଆ, ନିମାପଡା ଆଦିରେ ଘଟିଥିବା ନରସଂହାର ଏବଂ ଲକ୍ଷ୍ମଣନାୟକ, ରଘୁନାଥ ମହାନ୍ତି, ଦିବାକର ପରିଡା ଆଦିଙ୍କୁ ଫାଶୀ ଓ ବିଭିନ୍ନ ଜେଲ୍ରେ ଓ ବାହାରେ ଅତ୍ୟାଚାରରେ ବହୁ ସଂଗ୍ରାମୀଙ୍କ ମୃତ୍ୟୁ ସଂକ୍ରାନ୍ତରେ ଅନେକ ଅନାଲୋଚିତ ତଥ୍ୟ ରହିଛି ।
ଏହି ପୁସ୍ତକ ସବୁ ଗବେଷକମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ହୋଇଥିବାବେଳେ ସାଧାରଣ ଛାତ୍ରଛାତ୍ରୀ ଓ ପାଠକମାନଙ୍କ ପାଇଁ ଓଡିଶା ଇତିହାସର ସଂକ୍ଷିପ୍ତ ବଳିଦାନ ଗାଥା ରାଜ୍ୟ ଅଭିଲେଖାଗାର ପ୍ରକାଶ କରିବାକୁ ଯାଉଛି । (ତଥ୍ୟ)