Home Administration ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷତା ବୃଦ୍ଧି ସମ୍ଭବ

ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷତା ବୃଦ୍ଧି ସମ୍ଭବ

ଭୁବନେଶ୍ୱର : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ପରିଦର୍ଶନରେ ଯାଇ ୧୫ତମ ସଂସ୍ଥାଗତ ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲାବେଳେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଉପସ୍ଥିତ ଥିଲେ ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ ସରକାରୀ ନୀତିନିୟମ ସହିତ ବୈଷୟିକ ଶିକ୍ଷାର ପ୍ରୟୋଗ ମାଧ୍ୟମରେ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସୁଚାରୁ ରୂପେ ନିର୍ବାହ କରିବା ଉପରେ ଗୁରୁତ୍ୱରୋପ କରିଥିଲେ । ପ୍ରଶିକ୍ଷକ ତଥା ପ୍ରଶିକ୍ଷାର୍ଥୀ ଉଭୟଙ୍କ ମଧ୍ୟରେ ଉପଯୁକ୍ତ ଯୋଗାଯୋଗ ଦ୍ୱାରା ହିଁ ଉନ୍ନତ ମାନର ପ୍ରଶିକ୍ଷଣ ସମ୍ଭବ ।

ସରକାରୀ କାର୍ଯ୍ୟ ନିମନ୍ତେ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ଜନସାଧାରଣ କିପରି ଉପକୃତ ହେବେ ଓ ସେମାନଙ୍କ ମଧ୍ୟରେ ଆତ୍ମସନ୍ତୋଷର ଭାବ କିପରି ପରିଲକ୍ଷିତ ହେବ ଏହା ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ ଓ ଏଥି ପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ନିଜର ଆଭିମୁଖ୍ୟ ବ୍ୟକ୍ତ କରିଥିଲେ ।

ସ୍ନେହ, ସହାନୁଭୂତି ଆଦି ଉତ୍ତମ ମାନବୀୟ ଆଚରଣ ପ୍ରଦର୍ଶନ ମାଧ୍ୟମରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ଉଚିତ । ସେହିପରି ନିଜର ବିଦେଶ ଭ୍ରମଣର ଅଭିଜ୍ଞତା ବର୍ଣ୍ଣନା କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ପ୍ରଶିକ୍ଷାର୍ଥୀ ଅଭିମନୁ୍ୟଙ୍କର ଚକ୍ରବୁ୍ୟହର ଭେଦ କରିବା ଭଳି କୌଶଳରେ ପାରଦର୍ଶୀ ହେବା ସହ ଧର୍ମପଦଙ୍କ ଭଳି କୋଣାର୍କ ମନ୍ଦିର ମୁଣ୍ଡି ମାରିବା କାର୍ଯ୍ୟରେ ନିଜର କୁଶଳତା ପ୍ରଦର୍ଶନ କରିବା ଆବଶ୍ୟକ ।

ଆମେ ବ୍ୟବହାରିକ ଜ୍ଞାନକୁ ପ୍ରୟୋଗ କରି କୌଣସି ଅବସ୍ଥାକୁ ସ୍ୱାଭାବିକ କରାଇ ପାରିବା ତଥା ପ୍ରତ୍ୟେକ ମୁହୂର୍ତ୍ତକୁ ଜରୁରୀ ଅବସ୍ଥା ଭାବି କାର୍ଯ୍ୟ ସମ୍ପାଦନା କଲେ ସଫଳତା ମିଳିପାରିବ ବୋଲି ଗୁରୁତ୍ୱାରୋପ କରିଥିଲେ । ଉପସ୍ଥିତ ରାଜସ୍ୱ ସେବାର ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଓଡ଼ିଶା ରାଜସ୍ୱ ସେବା ଅଧିନରେ କାର୍ଯ୍ୟରତ ଅଫିସରମାନେ ନିଜ ଘର ପାଖ ଜିଲ୍ଲାରେ କାର୍ଯ୍ୟ କରିବାର ଆଗ୍ରହ ପୋଷଣ ନକରି ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ ସମ୍ପାଦନ ପାଇଁ ଆଗ୍ରହ ପ୍ରକାଶ କରନ୍ତୁ । ତାହା ହେଲେ ଯାଇ ପ୍ରଶାସନିକ ସ୍ତରରେ ସନ୍ତୁଳନ ବଜାୟ ରହିପାରିବ । ଏହି ଅବସରରେ ରାଜସ୍ୱ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ତିନିଗୋଟି ପୁସ୍ତିକାକୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ ।

ଏହି ଉଦ୍‌ଘାଟନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ରାଜସ୍ୱ ବିଭାଗ ହେଉଛି ରାଜ୍ୟ ସରକାରଙ୍କ ଆଖି ଓ କାନ । ଏଣୁ ରାଜସ୍ୱ ବିଭାଗରେ ଆପଣମାନେ ଯୋଗଦେଇ ନିଜକୁ ଗୌରବାନ୍ୱିତ ମନେ କରିବା ସହ ଜନସାଧାରଣଙ୍କର ନିକଟତର ହୋଇ ପଛରେ ଥିବା ଲୋକମାନଙ୍କୁ କିପରି ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ ସେ ଦିଗରେ ଚେଷ୍ଟା କରିବା

ଦରକାର । ଏଥି ସହିତ ଜଣେ ଆବେଦନକାରୀଙ୍କ ଆବେଦନକୁ ବିଚାର କରିବା ନିମନ୍ତେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ମାଧ୍ୟମରେ କିପରି ମାମଲାର ଫଇସଲା କରିଥିଲେ ତା’ର ଦୃଷ୍ଟାନ୍ତ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିପ୍ରକାଶ ଦାସ ସ୍ୱାଗତ ସୂଚନା ଦେଇଥିବାବେଳେ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀ ତିଲୋଚନ ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା)ଙ୍କ ଅଧିନରେ ନିର୍ମାଣାଧିନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅନୁଷ୍ଠାନ (ଏସ୍‌ଆଇଡିଏମ୍‌) ପରିଦର୍ଶନରେ ଯାଇ ନିର୍ମାଣାଧିନ ଅନୁଷ୍ଠାନ ବୁଲି ଦେଖିଥିଲେ ।

ଏହି ଅନୁଷ୍ଠାନ ଭବିଷ୍ୟତ ରୂପରେଖ ଅନୁଯାୟୀ ଏହା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ିଉଠିବ । ଏଠାରେ ସରକାରୀ ଅଫିସର, ନିର୍ବାଚିତ ପ୍ରତିନିଧି ଓ ଗୋଷ୍ଠୀଗତ ସେ୍ୱଚ୍ଛାସେବୀ, ଓଡ୍ରାଫ୍‌ର କର୍ମଚାରୀ ଓ ଅନ୍ୟ ସହଭାଗୀମାନଙ୍କୁ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ଦିଗ ସମ୍ପର୍କରେ ତାଲିମ ଦିଆଯିବ । ମାନ୍ୟବର ମନ୍ତ୍ରୀ ଏହି ଅବସରରେ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ଖୁବ୍‌ଶୀଘ୍ର ଏହାର କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ମାନ୍ୟବର ମନ୍ତ୍ରୀ ଓଡ୍ରାଫ୍‌ରେ ତାଲିମରତ ଜବାନ୍‌ମାନଙ୍କ ସହ ଭାବ ବିନିମୟ କରିବା ଅବସରରେ ସେମାନଙ୍କର ଦକ୍ଷତା ବୃଦ୍ଧି ସହ ଆପଦକାଳୀନ ପରିସ୍ଥିତିରେ ଜୀବନ ରକ୍ଷା କରିବାର କୌଶଳ ଓ ଅନେ୍ୱଷଣ ଓ ଉଦ୍ଧାର କାର୍ଯ୍ୟରେ ପାରଦର୍ଶିତା ହାସଲ କରିବାକୁ ପରାମର୍ଶ ଦେଇଥିଲେ । ଜବାନ୍‌ମାନେ ସେମାନଙ୍କର ଆପଦକାଳୀନ ଅପରେସନ୍‌ର କଳାକୌଶଳ ପ୍ରଦର୍ଶନ କରିଥିଲେ ।

ଆପଦକାଳୀନ ସ୍ଥିତିରେ ଓଡ୍ରାଫ୍‌ର କାର୍ଯ୍ୟଶୈଳୀକୁ ମାନ୍ୟବର ମନ୍ତ୍ରୀ ପ୍ରଶଂସା କରିବା ସହ କେମିକାଲ, ବାୟୋଲୋଜିକାଲ, ରେଡ଼ିଓଲୋଜିକାଲ ନୁ୍ୟକ୍ଲିଅର ଓ ଅନ୍ୟ ବିପର୍ଯ୍ୟୟକର ସମ୍ମୁଖୀନ ହେବା ପାଇଁ ଜବାନ୍‌ମାନଙ୍କର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀଙ୍କ ସହ ସ୍ୱତନ୍ତ୍ର ରିଲିଫ୍‌ କମିଶନର ତଥା ଓସ୍‌ଡ୍‌ମାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତ୍ୟବ୍ରତ ସାହୁ, ଓସ୍‌ଡମାର ବରିଷ୍ଠ ଅଧିକାରୀ, ପୂର୍ତ୍ତ, ଟିପିକୋଡିଏଲ୍‌ ଓ ୱାଟ୍‌କୋର ଅଫିସରମାନେ ଉପସ୍ଥିତ ଥିଲେ ।