ଭୁବନେଶ୍ୱର : ପ୍ରଶାସନ ଡାଳେ ଡାଳେ ଯାଉଥିବାବେଳେ ବଙ୍ଗଳାଦେଶୀମାନେ ଏବେ ପତ୍ରେ ପତ୍ରେ ଯାଉଛନ୍ତି । ସେମାନଙ୍କୁ ତଡିବାପାଇଁ ସରକାର ଅଣ୍ଟା ଭିଡିଥିବାବେଳେ ବଙ୍ଗଳଦେଶୀମାନେ ବି ଜାଲିଆ କରି ନିଜର ଆଧାରକାର୍ଡ, ଭୋଟର ପ୍ରମାଣପତ୍ର ଏପରିକି ପାସପୋର୍ଟ ବି ପ୍ରସ୍ତୁତ କରିବାରେ ସଫଳ ହେଉଛନ୍ତି ।
ନିକଟରେ ଦେଶାନ୍ତର ନୋଟିସ୍ ପାଇଥିବା ୭୭ଜଣ ବଙ୍ଗଳାଦେଶୀଙ୍କ ମଧ୍ୟରୁ ୨ଜଣ ଅନୁପ୍ରବେଶକାରୀ ଜାଲ୍ କାଗଜପତ୍ର ଦେଇ ନିଜର ଭାରତୀୟ ପାସପୋର୍ଟ ବାହାର କରିଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଆଉଜଣେ କନ୍ଧମାଳ ଜିଲ୍ଲାର । ପାସ୍ପୋର୍ଟ ପାଇଁ ଆବଶ୍ୟକ ବ୍ୟାଙ୍କ୍ ଆକାଉଣ୍ଟ, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଶିକ୍ଷାଗତ ପ୍ରମାଣପତ୍ର ଆଦି ଏମାନେ ଅନ୍ୟାୟସରେ ପ୍ରସ୍ତୁତ କରିଛନ୍ତି ।
ରାଜ୍ୟରେ ବେଆଇନ୍ ଅନୁପ୍ରବେଶକରୀ ଏମାନେ କାୟା ବିସ୍ତାର କରୁଥିବାବେଳେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଗୁଇନ୍ଦା ବିଭାଗ କିଭଳି ଏହାର ଟେର ପାଉନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏମାନଙ୍କ ଭଳି ରାଜ୍ୟରେ ଆଉ କେତେ ରହିଛନ୍ତି ତାହାର ଯାଞ୍ଚ ପାଇଁ ସାଧାରଣରେ ମତପ୍ରକାଶ ପାଇଲାଣି ।
ଉଲ୍ଲେଖନୀୟ ଯେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସ୍ତରରେ ଧରପଗଡ କରାଯ।।ଇ ୨୨୬୧ ଜଣଙ୍କୁ ଠାବ କରାଯାଇ ସେମାନଙ୍କର ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା । ତେବେ ଏମାନଙ୍କ ମଧ୍ୟରୁ ୨୧୮୪ ଜଣ ଭାରତୀୟ ନାଗରିକ ବୋଲି ଜଣାପଡିବାପରେ ସେମାନଙ୍କ ଛାଡି ଦିଆଯାଇଛି ।
ଚିହ୍ନଟ ହୋଇଥିବା ୭୭ଜଣ ବଙ୍ଗଳାଦେଶୀଙ୍କ ମଧ୍ୟରୁ ଭୁବନେଶ୍ୱର ସର୍ବାଧିକ ୨୬ଜଣ ଥିବାବେଳେ, ଜଗତ୍ସିଂହପୁରରେ ୨୧, କଟକରେ ୧୫, ବ୍ରହ୍ମପୁରରେ ୬, କନ୍ଦମାଳରେ ୪ ଓ କେନ୍ଦ୍ରାପଡାରେ ୩ଜଣ ରହିଛନ୍ତି । ଅଳ୍ପ କେଇ ଦିନର ଧରପଗଡରୁ ଏତେ ସଂଖ୍ୟାରେ ଚିହ୍ନଟ ହୋଇଥିବାବେଳେ ନିୟମିତ ଯାଞ୍ଚ ଜାରି ରହିଲେ ଆହୁରି ଅଧିକ ଅନୁପ୍ରବେଶକାରୀ ପୁଲିସ୍ ହାବୁଡରେ ପଡିବେ ବୋଲି କୁହାଯାଉଛି । କାରଣ ଯେତେବେଳେ ଯାଞ୍ଚ ହେବାର ସୂଚନା ପାଉଛନ୍ତି ସେତେବେଳେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରାଞ୍ଚଳରୁ ହଠାତ୍ କିଛି ବୁଲା ବିକାଳି, ଫେରିବାଲା ହଠାତ୍ ଗାଏବ ହୋଇଯାଉଛନ୍ତି । ମାମଲା ଥଣ୍ଡା ପଡିଲା ପରେ ପୁଣି ସେମାନେ ଫେରୁଛନ୍ତି ।
ତେବେ ରାଜ୍ୟରେ କିଛିଦିନ ଧରି ଯେଭଳି କିଛି ବୁଲା ବିକାଳିଙ୍କ ଉପରେ ଅସାମାଜିକ ଯୁବକମାନେ ଆକ୍ରମଣ କରି ତାହାକୁ ସୋସିଆଲ ମିଡିଆରେ ଛାଡୁଛନ୍ତି ତାହା ଅନପ୍ରବେଶକାରୀ ଚିହ୍ନଟ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଥିବା ପୁଲିସ୍ ବାବୁମାନେ କହୁଛନ୍ତି । ଏଭଳି ଆକ୍ରମଣ ଯୋଗୁଁ ଅସଲି ଅନୁପ୍ରବେଶକାରୀମାନେ ଆଇନ୍ ଫାସରୁ ବର୍ତ୍ତି ଯାଉଥିବାବେଳେ ସୋମନଙ୍କ ଧରିବାପାଇଁ ଉପକୂଳ ଓଡିଶାରେ ନିୟମିତ ଯାଞ୍ଚ ନିହାତି ଜରୁରୀ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)

