ଭୁବନେଶ୍ୱର : ରାଜ୍ୟରେ ଧାନ ବିହନ ସଂଗ୍ରହ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ଧାନ ଉତ୍ପାଦନ କମିବା ଆଶଙ୍କା ଉପୁଜିଲାଣି । ଓଡିଶା ରାଜ୍ୟ ବିହନ ନିଗମ ଲାଭଜନକ ଉଦ୍ୟାନକୃଷିରେ ଅଧିକ ମନୋନିବେଶ କରିବା ଫଳରେ ଏବେ ଧାନ ବିହନ ସଂଗ୍ରହ ହ୍ରାସ ପାଇବାରେ ଲାଗିଛି ।
ରାଜ୍ୟରେ ପ୍ରତିବର୍ଷ ଚାଷୀମାନେ ୫ ରୁ ୬ଲକ୍ଷ ପର୍ଯ୍ୟନ୍ତ ଉନ୍ନତ କିସମର ଧାନ ବିହନ ଆବଶ୍ୟକ କରୁଥିବାବେଳେ ଓଡିଶା ରାଜ୍ୟ ବିହନ ନିଗମ ବିହନଚାଷୀମାନଙ୍କ ଠାରୁ ବିହନ ସଂଗ୍ରହକରି ଚାଷୀଙ୍କୁ ଯୋଗାଇଥାଏ । ରାଜ୍ୟରେ ପ୍ରାୟ ୫ହଜାର ଧାନ ବିହନ ଚାଷୀ ଥିବାବେଳେ ସେମାନେ ନିଗମକୁ ବିହନ ଯୋଗାଇଥାନ୍ତି । ସାଧାରଣ ଧାନ ଅପେକ୍ଷା ବିହନ ଧାନର ଦର ଅଧିକ ରହୁଥିବାରୁ ଏବଂ ସରକାରଙ୍କୁ ବିକ୍ରି କରାଯାଉଥିବାରୁ ଚାଷୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି ।
କିନ୍ତୁ ଚଳିତବର୍ଷ ନିଗମର ଧାନ ବିହନ ସଂଗ୍ରହ ୨ଲକ୍ଷ ଟନ୍ରୁ ସାମାନ୍ୟ ଅଧିକ ରହିବ ବୋଲି ନିଗମକୁ ବିହନ ଯୋଗାଣ କରୁଥିବା ଚାଷୀମାନେ ସୂଚନା ଦେଇଛନ୍ତି । ସେମାନଙ୍କ ମତରେ ନିଗମର ଅନ୍ଲାଇନ୍ କାରବାର ଯୋଗୁଁ ଅଧିକାଂଶ ଚାଷୀ ଆଉ ବିହନ ଚାଷ କରିବାକୁ ରାଜି ହେଉନାହାନ୍ତି କି ଯେଉଁମାନେ ବିହନ ଚାଷ କରୁଛନ୍ତି ସେମାନେ ନିଗମକୁ ବିହନ ବିକ୍ରି କରୁନାହାନ୍ତି । ଚାଷୀ କହିବାକଥା ଯେ ପିଣ୍ଡ ବିହନ ସଂଗ୍ରହ ଠାରୁ ଆରମ୍ଭକରି ବିହନ ଅର୍ଥ ସଂଗ୍ରହ ପାଇଁ ଚାଷୀଙ୍କୁ ଅନ୍ଲାଇନ୍ରେ ଏକାଧିକ କାର୍ଯ୍ୟ କରିବାକୁ ପଡୁଛି । ତେଣୁ ଚାଷୀମାନେ ଆଉ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ଅମଳ ଧାନ ବିହନକୁ ସେମାନେ ବେପାରୀଙ୍କ ହାତକୁ ଟେକି ଦେଉଛନ୍ତି ।
ପୂର୍ବରୁ କମ୍ ପରିମାଣରେ ଧାନ ବିହନ ସଂଗ୍ରହ ହେଉଥିବାରୁ ବିହନ ନିଗମ ଶେଷ ମୂହୂର୍ତ୍ତରେ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରୁ ବିହନ ଆଣି ଓଡିଶାଚାଷୀଙ୍କୁ ଯୋଗାଣ କରୁଥିଲା । ତେବେ କୃଷି ବିଭାଗର ପଦକ୍ଷେପ ଯୋଗୁଁ କିଛିବର୍ଷ ଧରି ଆବଶ୍ୟକ ପରିମାଣର ଧାନ ବିହନ ସଂଗ୍ରହ ସହିତ ଚାଷୀଙ୍କୁ ଯୋଗାଇ ଦିଆଯାଉଥିଲା । ଧାନ ବିହନ ସଂଗ୍ରହରେ ଯେଭଳି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇ ଦେଇଥିଲେ ।
କିନ୍ତୁ ବିହନ ନିଗମକୁ ଏବେ ଉଦ୍ୟାନ କୃଷିର ଦାୟିତ୍ୱ ମିଳିଛି । ରାଜ୍ୟରେ ଉଦ୍ୟାନ କୃଷିର ବିକାଶ ପାଇଁ ଆବଶ୍ୟକ ମଞ୍ଜି ଓ ଚାରା ନିଗମ ଜରିଆରେ ଖରିଦ କରାଯାଇ ଯୋଗାଯାଉଛି । ଏହା ଫଳରେ ନିଗମର ଆୟ ବୃଦ୍ଧି ପାଇଛି । ଚଳିତ ଆର୍ଥିକ ବର୍ଷରେ ଏଥିପାଇଁ ନିଗମର କାରବାର ୩୫୦ କୋଟିରେ ପହଞ୍ଚିଛି ।
ହେଲେ ରାଜ୍ୟର ପ୍ରମୁଖ ଫସଲ କୁହାଯାଉଥିବା ଧାନ ବିହନ ସଂଗ୍ରହ ହ୍ରାସ ଆଗାମୀ ଦିଗରେ ରାଜ୍ୟର ଧାନ ଚାଷ ଉପରେ ପ୍ରଭାବ ପକାଇବ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି । ଚାଷୀଙ୍କୁ ଉନ୍ନତ ବିହନ ନମିଳିବା ଫଳରେ ସେମାନେ ବାଧ୍ୟହୋଇ ପୁରୁଣା କିସମର ବିହନକୁ ବ୍ୟବହାର କରିବେ ଏବଂ ରୋଗପୋକ ଭଳି ସମସ୍ୟାରେ ପଡିବେ । ଏଥି ସହିତ ଅତି ପୁରୁଣା ବିହନ ମଧ୍ୟ ଅଧିକ ଅମଳକ୍ଷମ ନୁହେଁ । ଏଥିଯୋଗୁଁ ଆଗାମୀ ଦିନରେ ରାଜ୍ୟରେ ଧାନ ଉତ୍ପାଦନ ଢେର ପରିମାଣରେ ହ୍ରାସ ପାଇବ ବୋଲି ଚାଷୀମାନେ ଖୋଲା ମତ ଦେଉଛନ୍ତି । (ତଥ୍ୟ)