ଭୁବନେଶ୍ୱର : ରୋଜଗାର ପାଇଁ ରାଜ୍ୟ ବାହାରକୁ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କ ସଂଖ୍ୟା ସରକାରୀ ତାଲିକାରେ ହ୍ରାସ ପାଇବାରେ ଲାଗିଛି । କେବଳ ପ୍ରବାସୀ ଶ୍ରମିକ ନୁହନ୍ତି ଏମାନଙ୍କୁ ନେବାପାଇଁ ଲାଇସେନ୍ସ ପାଉଥିବା ଠିକାଦାରଙ୍କ ସଂଖ୍ୟା ବି କମିଛି ।
ବିଗତ ତିନି ବର୍ଷର ପ୍ରବାସୀ ଶ୍ରମିକମାନଙ୍କ ସଂଖ୍ୟାକୁ ଅନୁଧ୍ୟାନ କଲେ ଏହା ଦେଖିବାକୁ ମିଳୁଛି । ୨୦୨୩ ମସିହାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୧ ହଜାରରୁ ଅଧିକ ଶ୍ରମିକ ରୋଜଗାର ପାଇଁ ରାଜ୍ୟ ବାହାରକୁ କାମପାଇଁ ଯାଇଥିବାବେଳେ ସେହିବର୍ଷ ୧୨୩୧ ଜଣ ଶ୍ରମିକ ଠିକାଦାର ସରକାରଙ୍କ ଠାରୁ ଲାଇସେନ୍ସ ପାଇଥିଲେ । ତେବେ କାମ ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଇଥିବା ଶ୍ରମକମାନଙ୍କ ମଧ୍ୟରୁ ସର୍ବାଧିକ ୫୪ହଜାର ବଲାଙ୍ଗିର ଜିଲ୍ଲାରୁ ଯାଇଥିବାବେଳେ ନୂଆପଡାରୁ ୧୫ ହଜାରରୁ ଅଧିକ ଶ୍ରମିକ ଏହି ତାଲିକାରେ ଥିଲେ । ଗଞ୍ଜାମ ଜିଲ୍ଲାରୁ ୩୨୨୫ ଜଣ ଶ୍ରମିକ ଯାଇଥିବାବେଳେ ବରଗଡ ଜିଲ୍ଲାରୁ ୧୧୫୦ ଜଣ ଶ୍ରମିକ ବାହାର ରାଜ୍ୟକୁ ଯାଇଥିବା ରେକର୍ଡ ହୋଇଛି । ତେବେ ଏହିବର୍ଷ ଭଦ୍ରକ, ଦେବଗଡ, କନ୍ଧମାଳ, ମାଲକାନଗିରି ଓ ସୁନ୍ଦରଗଡ ଜିଲ୍ଲାରୁ କୌଣସି ଶ୍ରମିକ ବାହାର ରାଜ୍ୟକୁ କାମ ପାଇଁ ଯାଇନଥିବା ସରକାରୀ ତାଲିକାରେ ଦର୍ଶାଯାଇଛି ।
୨୦୨୪ ମସିହାରେ ପ୍ରବାସୀ ଶ୍ରମିକମାନଙ୍କ ସଂଖ୍ୟା ୭୦ହଜାରକୁ ହ୍ରାସ ପାଇଥିବାବେଳେ ଶ୍ରମିକ ଠିକାଦାରଙ୍କ ସଂଖ୍ୟା ମଧ୍ୟ ୧୦୩୭କୁ ହ୍ରାସ ପାଇଥିଲା । ଗତବର୍ଷ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ବଲାଙ୍ଗିର ଜିଲ୍ଲାରେ ୫୦ହଜାର ତଳକୁ ଖସି ଆସିଥିବାବେଳେ ନୂଆପଡା ଜିଲ୍ଲାରେ ବି ଏମାନଙ୍କ ସଂଖ୍ୟା ୧୨ହଜାକୁ କମିଥିଲା ।
ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଓଡିଶାରୁ ୭୦ ହଜାର ପ୍ରବାସୀ ଶ୍ରମିକ କାମ ପାଇଁ ଯାଇଥିବା ରେକର୍ଡ କରାଯାଇଛି । ତେବେ ଏହିବର୍ଷ ବଲାଙ୍ଗିରରୁ କାମ ପାଇଁ ବାହାରକୁ ଯାଇଥିବା ଶ୍ରମିକ ସଂଖ୍ୟା ୫୧ ହଜାରକୁ ଅତିକ୍ରମ କରିଥିବାବେଳେ ନୂଆପଡାରେ କିନ୍ତୁ ଏହି ସଂଖ୍ୟା ୯ହଜାର ତଳକୁ ଆସିଛି ।
ଶ୍ରମିକମାନଙ୍କର ରାଜ୍ୟ ବାହାରକୁ ପଳାୟନ ରୋକିବାପାଇଁ ସରକାର ଗ୍ରହଣ କରିଥିବା କେତେକ ପଦକ୍ଷେପ ଯୋଗୁଁ ସଂଖ୍ୟା ହ୍ରାସ ପାଇଥିବା କୁହାଯାଉଛି । ସରକାରଙ୍କ ପଦକ୍ଷେପ ମଧ୍ୟରେ ରହିଛି ଗତବର୍ଷ ଅକ୍ଟୋବର ମାସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟ୪ରେ ଏକ ଉଚ୍ଚ ସ୍ତରୀୟ ଟାସ୍କଫୋର୍ସ ଗଠନ ହୋଇଛି । ଏହି କମିଟି ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷାକରି ସ୍ୱରୋଜଗାର ଯୋଜନା ସୃଷ୍ଟି କରୁଛି । ଏହା ମଧ୍ୟରେ ୯ଟି ପ୍ରବାସୀ ପ୍ରବଣ ଜିଲ୍ଲାରେ ୩୦ଟି ବ୍ଲକ ଅଧିନସ୍ଥ ୭୦୪ ପଞ୍ଚାୟତରେ ଏମଜିନରେଗା କାର୍ଯ୍ୟଦିବସକୁ ୩୦୦ ଦିନକୁ ବୃଦ୍ଧି କରାଯାଇଛି ।
ଏହାଛଡା ୧୪ଟି ପ୍ରବାସୀ ପ୍ରବଣ ଜିଲ୍ଲା ଯଥା ବଲାଙ୍ଗିର, ବରଗଡ, କଳାହାଣ୍ଡି, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ, କେନ୍ଦ୍ରାପଡା ଆଦି ଜିଲ୍ଲାର ପଞ୍ଚାୟତ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଚଳାଯାଉଛି । ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଏହିସବୁ ଜିଲ୍ଲାରେ ଋତୁକାଳୀନ ହଷ୍ଟେଲ ବ୍ୟବସ୍ଥା ବି ହୋଇଛି । ଏଥି ସହିତ ବେଆଇନ୍ ଭାବେ ଶ୍ରମିକଙ୍କ ରାଜ୍ୟ ବାହାରକୁ ନେଉଥିବା ଶ୍ରମିକ ଠିକାଦାରଙ୍କ ଉପରେ ପୁଲିସ୍ ତୀକ୍ଷ୍ଣ ନଜର ରଖିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । (ତଥ୍ୟ)

