Home General ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ବଢୁଛି

ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ବଢୁଛି

ଭୁବନେଶ୍ୱର : ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ କାମ ଅନ୍ୱେଷଣରେ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରୁ କେତେକ ଶବ ହୋଇ ଫେରୁଛନ୍ତି । ବର୍ଷକୁ ବର୍ଷ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । କେଉଁ ଶବ ସରକାରଙ୍କ ସହାୟତାରେ ଫେରୁଛି ତ ଆଉ କିଏ ବେସରକାରୀ ଅନୁଷ୍ଠାନ ଓ ରାଜୈନତିକ ହସ୍ତକ୍ଷେପ ପରେ ଆସୁଛି ।

ରାଜ୍ୟ ବାହାରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକମାନଙ୍କ ମୃତ୍ୟୁବରଣ ସଂଖ୍ୟା ବର୍ଷକୁ ବର୍ଷ ବଢିବାରେ ଲାଗିଛି ।୨୦୨୧ ମସିହାରେ ରାଜ୍ୟ ବାହାରେ ୧୪ଜଣ ଶ୍ରମକ ମୃତ୍ୟୁବରଣ କରିଥିବାବେଳେ ୨୦୨୨ରେ ଏମାନଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଥିଲା । ୨୦୨୩ରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ସଂଖ୍ୟା ୪୨ ହୋଇଥିବାବେଳେ ଗତ ବର୍ଷ ୧୨୦ଜଣ ଶ୍ରମିକ ରାଜ୍ୟ ବାହାରେ କାର୍ଯ୍ୟରତ ଥିବାବେଳେ ମୃତ୍ୟୁବରଣ କରିଥିଲେ । ଚଳିତବର୍ଷ ଅଗଷ୍ଟ ସୁଦ୍ଧା ଏଭଳି ଶ୍ରମିକମାନଙ୍କର ମୃତ୍ୟୁସଂଖ୍ୟା ୮୨ରେ ପହଞ୍ଚିଗଲାଣି ।

ରାଜ୍ୟ ବାହାରକୁ କାମ ପାଇଁ ଯାଉଥିବା ବ୍ୟକ୍ତିମାନଙ୍କ ପାଇଁ ସରକାର ଠିକାଦାରମାନଙ୍କୁ ଲାଇସେନ୍ସ ପ୍ରଦାନ କରିଥାନ୍ତି । ଲାଇସେନ୍ସପ୍ରାପ୍ତ ଏହି ଠିକାଦାରମାନେ ଶ୍ରମିକମାନଙ୍କୁ ଓଡିଶାରୁ ନେଇ ଅନ୍ୟ ରାଜ୍ୟରେ କାମରେ ଲଗାଇଥାନ୍ତି । ୨୦୨୪ ମସିହାରେ ଶ୍ରମିକ ନେବାପାଇଁ ୧୦୩୭ ଜଣ ଠିକାଦାରଙ୍କୁ ସରକାର ଲାଇସେନ୍ସ ପ୍ରଦାନ କରିଥିଲେ । ୭୦ହଜାରରୁ ଅଧିକ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ନେବାପାଇଁ ସେମାନଙ୍କୁ ଅନୁମତି ମିଳିଥିଲା । ଚଳିତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ୨୧୭ଜଣ ଶ୍ରମ ଠିକାଦାରଙ୍କୁ ସରକାର ଅନୁମତି ପ୍ରଦାନ କରିଛନ୍ତି ।

ଶ୍ରମିକ ଠିକାଦାରମାନଙ୍କ ବାହାରେ ବି ବହୁ ସଂଖ୍ୟକ ଲୋକ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି । ବିଶେଷକରି ପଶ୍ଚିମଓଡିଶା ଓ ଦକ୍ଷିଣଓଡିଶାରୁ ଅଧିକ ସଂଖ୍ୟାରେ ଲୋକେ ଓଡିଶାରେ ବାହାରେ କାର୍ଯ୍ୟରତ ଅଛନ୍ତି । ଯେଉଁମାନେ ଲାଇସେନ୍ସପ୍ରାପ୍ତ ଠିକାଦାରଙ୍କ ବ୍ୟତିରକେ କାମ ଅନ୍ୱେଷଣରେ ଯାଉଛନ୍ତି ସେମାନଙ୍କର ସୂଚନା ପ୍ରାୟତଃ ସରକାରଙ୍କ ନିକଟରେ ରହୁନାହିଁ । ତେଣୁ ସେହିସବୁ ଶ୍ରମିକ କେଉଁଠାରେ ଅସୁବିଧାରେ ପଡିଲେ କିମ୍ବା ମୃତ୍ୟୁବରଣ କଲେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିପାରୁ ନାହାନ୍ତି । ତେଣୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକମାନେ ସେମାନଙ୍କ ତଥ୍ୟ ଲାଇସେନ୍ସପ୍ରାପ୍ତ ଠିକାଦାର କିମ୍ବା ରାଜ୍ୟ ପ୍ରଶାସନ ନିକଟରେ ଦାଖଲ କରିବାକୁ ବାରମ୍ବାର କୁହାଯାଉଛି ।

ତେବେ ଅନ୍ୟ ରାଜ୍ୟରୁ ଉଦ୍ଧାର ହେଉଥିବା ଓଡିଶାର ଶ୍ରମିକମାନଙ୍କ ସଂଖ୍ୟାରେ କିଛିଟା ହ୍ରାସ ପରିଲକ୍ଷିତ ହୋଇଛି । ସରକାରୀ ତଥ୍ୟ ଅନୁସାରେ ୨୦୨୨ ମସିହାରେ ରାଜ୍ୟ ବାହାରକୁ କାମ ପାଇଁ ଯାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ୧୧୯୬ ଜଣ ଉଦ୍ଧାର ହୋଇଥିବାବେଳେ ୨୦୨୩ରେ ଏହି ସଂଖ୍ୟା ୧୬୩୯କୁ ବୃଦ୍ଧି ପାଇଥିଲା । ତେବେ ୨୦୨୪ରେ ଉଦ୍ଧାର ଶ୍ରମିକଙ୍କ ସଂଖ୍ୟା ୧୦୫୫ କୁ ହ୍ରାସ ପାଇଥିବାବେଳେ ଚଳିତବର୍ଷ ଅଗଷ୍ଟ ସୁଦ୍ଧା ଉଦ୍ଧାର ଶ୍ରମିକଙ୍କ ସଂଖ୍ୟା ୯୩୭ ହୋଇଛି ।

ରାଜ୍ୟରେ କୃଷି ଭିତ୍ତିକ ଶିଳ୍ପ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ପୋଷାକ ଶିଳ୍ପ ଆଦିର ସେତେଟା ବିକାଶ ହୋଇପାରିନଥିବାରୁ କୁଶଳୀ ଶ୍ରମିକମାନେ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଯାଉଛନ୍ତି । କେତେକ ଶ୍ରମିକ ମଧ୍ୟ ଅଧିକ ପାରିଶ୍ରମିକ ଆଶାରେ ରାଜ୍ୟ ବାହାରକୁ ଏପରିକି ଦେଶ ବାହାକୁ ଯାଉଛନ୍ତି । ତେବେ ସରକାର ବର୍ତ୍ତମାନ ଏମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ସେମାନଙ୍କ ସୂଚନା ସଂଗ୍ରହ କରୁଥିବାରୁ ଆଗାମୀ ଦିନରେ ଉଦ୍ଧାର ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି । (ତଥ୍ୟ)