ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀ ସଜେଇ ହେଉଥିବାବେଳେ ପ୍ରବାସୀମାନଙ୍କ ନଜରରେ ଯେଭଳି ସହରର ଉଠାଦୋକାନୀ, ଅଳିଆ ଆବର୍ଜନା ଆଦି ନପଡେ ସେଥିପାଇଁ ପ୍ରତିଦିନ ବିଭିନ୍ନ ସ୍ଥାନରେ ଉଚ୍ଛେଦ ଓ ସଫେଇ ଚାଲିଛି । ତେବେ ସହରରେ ଯେଭଳି ଭାବେ ଖୋଲା ମେଲାରେ ମାଂସ କଟା ଚାଲିଛି ତାହା ନିଶ୍ଚିତ ଭାବେ ପ୍ରବାସୀଙ୍କ ଆଖିରେ ପଡିବ ବୋଲି କୁହାଯାଉଛି ।
ରାଜଧାନୀର ପ୍ରମୁଖ ରାସ୍ତା ପାଶ୍ୱର୍ରେ ଥିବା ଉଠାଦୋକାନୀମାନଙ୍କୁ ବିଏମ୍ସି ହଟାଇବାରେ ଲାଗିଛି । ସେମାନେ ଯେଭଳି ପୂର୍ବ ସ୍ଥାନରେ ବସି ନପାରିବେ ସେଥିପାଇଁ ତୁରନ୍ତ ସେହି ସ୍ଥାନରେ ଖୁଣ୍ଟ ପୋତି ଦେଉଛି । ପ୍ରତିଦିନ ସେଠାରେ ଝାଡୁ ମାରିବା ସହିତ ବ୍ଲିଚିଂ ସିଞ୍ଚନ କରୁଛି ।
ତେବେ ସହରରର ରାସ୍ତାକଡରେ ଥିବା ମାଂସ ଓ ମାଛ ଦୋକାନୀଙ୍କୁ ହଟାଇବା ସେତେଟା ସହଜ ହେଉନାହିଁ । କାରଣ ସେମାନଙ୍କୁ ଅନ୍ୟ ସ୍ଥାନକୁ ଉଠାଇଲେ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିପାରେ । ମାଛ ଓ ମାଂସ ବ୍ୟବସାୟୀମାନେ ସେହିସବୁ ସ୍ଥାନକୁ ପୂତ୍ତି ଗନ୍ଧମୟ କରିଦେବେ । ଗନ୍ଧ ହେଲେ ସେଠାକାର ଲୋକ ବିରୋଧ କରିବେ ।
ତେଣୁ ସହରର ଯେଉଁସବୁ ସ୍ଥାନରେ ଖୋଲାମେଲାରେ ମାଂସା, ମାଛ ଆଦି ବିକ୍ରି ହେଉଥିଲା ତାହା ଜାରି ରହିଛି । ଯଦି କୌଣସି ପ୍ରବାସୀ ରାଜଧାନୀ ବୁଲି ବାହାରିବେ ଓ ସହରର ଗଳି କନ୍ଦିରେ ପଶିବେ ତେବେ ସେମାନଙ୍କ ନଜରରେ ନିଶ୍ଚିତ ଏହି ଦୃଶ୍ୟ ପଡିବ ।
ରାଜଧାନୀରେ ଏବେ ପ୍ରାୟତଃ ରାସ୍ତା କଡରେ ହିଁ ମାଂସ କଟା ହେଉଛି । ମହାନଗର ନିଗମର କଂସେଇଖାନାଟିଏ ନଥିବାରୁ ଯିଏ ଯେଉଁଠି ପାରୁଛି ଲୋକଙ୍କ ସାମ୍ନାରେ ବେଧଡକ ଭାବେ ଛେଳି କାଟିବାରେ ଲାଗିଛି । ଦେଢ କୋଟି ଟଙ୍କା ବ୍ୟୟରେ ବିଏମ୍ସି ନିର୍ମାଣ କରିଥିବା କଂସେଇଖାନାରେ ଗୋଟିଏ ହେଲେ ପଶୁବଧ ହୋଇନଥିବାବେଳେ ଟଙ୍କାସବୁ ଏକ ପ୍ରକାର ପାଣିରେ ପଡିଛି ।
ସେହିଭଳି ସହର ମଧ୍ୟସ୍ଥଳରେ ଥିବା ପାଇକାରୀ ମାଛ ହାଟକୁ ମଧ୍ୟ ବାରମ୍ବାର ପ୍ରତିଶ୍ରୁତି ସତ୍ୱେ ସହର ବାହାକୁ ଉଠାଯାଇ ପାରୁନାହିଁ । ଚାରିନମ୍ବର ଅଞ୍ଚଳରେ ଥିବା ଏହି ପାଇକାରୀ ମାଛ ହାଟ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କେବଳ ପୂତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହେଉନାହିଁ ଏକାଧିକ ମାଛବୁହା ଗାଡି ସ୍ଥାନୀୟ ଅଞ୍ଚଳରେ ଗୁରୁତର ଟ୍ରାଫିକ ସମସ୍ୟା ଉଠାଉଛନ୍ତି । ପ୍ରବାସୀମାନେ ଯଦି କୌଣସି କାରଣରୁ ବିଧାନସଭା ଆଖପାଖରେ ବୁଲାବୁଲି କରନ୍ତି ତେବେ ସେମାନଙ୍କ ନାକରେ ପଚା ମାଛର ଗନ୍ଧ ବାଜିବା ନେଇ ଚିନ୍ତା ପ୍ରକଟ କରାଗଲାଣି ।
ସେହିଭଳି ବିଏମ୍ସି ପକ୍ଷରୁ ଉଠା ଦୋକାନୀଙ୍କୁ ଆଖିବୁଜା ଉଚ୍ଛେଦ କରାଯାଉଥିବାରୁ ସେମାନେ ମୁଖ୍ୟ ରାସ୍ତା ଛାଡି ଏବେ ଗଳିକନ୍ଦିରେ ଅଣଓସାରିଆ ରାସ୍ତା କଡରେ ପସରା ଖୋଲିବାରେ ଲାଗିଛନ୍ତି । ସେହିସବୁ ସ୍ଥାନରେ ଲୋକେ ଏବେ ଟ୍ରାଫିକ ସମସ୍ୟାରେ ପଡି ନାକେଦମ ହେଉଥିବା ଦେଖିବାକୁ ମିଳୁଛି ।
ତେବେ ପ୍ରବାସୀ ଭାରତୀୟମାନେ ସହରରେ ଆତଯାତ ହେବା ପୂର୍ବରୁ ଅନ୍ତତଃ ପକ୍ଷେ ରାସ୍ତାକଡରେ ଥିବା ମାଂସ, କୁକୁଡା ଓ ମାଛ ଦୋକାନର ବିକଳ ଚିତ୍ର ଯେଭଳି ସେମାନଙ୍କ ନଜରକୁ ନଆସିବ ସେ ଦିଗରେ ବ୍ୟବସ୍ଥା କରିବାକୁ ମତ ପ୍ରକାଶ ପାଉଛି । ଏହା ନହେଲେ ପ୍ରଶାସନର ସମସ୍ତ ଉଦ୍ୟମ ‘ବାର ବର୍ଷର ତପ ଶୁଖୁଆ ପୋଡାରେ ଯିବା’ ଭଳି ହେବ । (ତଥ୍ୟ)