Home General ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ

ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର : ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଅଖିଳ ଭାରତୀୟ ମହାନିର୍ଦ୍ଦେଶକ/ମହାନିରୀକ୍ଷକ ସମ୍ମିଳନୀ -୨୦୨୪ରେ ଯୋଗ ଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଠାରେ ଆସି ପହଞ୍ଚିଛନ୍ତି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି।

ଆଜି ଭୁବନେଶ୍ୱରର ଏୟାରପୋର୍ଟ ଛକ, କ୍ୟାପିଟାଲ୍‌ ହସ୍ପିଟାଲ୍‌, ଏ. ଜି. ଛକ, ଭୁବନେଶ୍ୱର କ୍ଲବ ଏବଂ ବିଭିନ୍ନ ସ୍ଥାନରେ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ସମ୍ବଲପୁରୀ ଲୋକନୃତ୍ୟ, ସାହିଯାତ, ଦୁଲଦୁଲି, ପଶୁମୁଖା, ଘୁମୁରା,ଶବର-ଶବରଣୀ, ସାନ୍ଥାଳୀ, ଘୋଡାନାଚ, ଧାରୁଆ, ଢ଼େମସା, ପରଜା ଆଦି ନୃତ୍ୟ ସହ ଘଣ୍ଟମାର୍ଦ୍ଦଳ ଏବଂ ସଂକୀର୍ଣ୍ଣନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଥିଲା।

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଲୋକନୃତ୍ୟ ସମ୍ବଲପୁରୀ, ପୁରୀର ସାହିଯାତ, କଳାହାଣ୍ଡିର ଘୁମୁରା, କୋରାପୁଟର ଢ଼େମସା ଓ ଧାରୁଆ ନୃତ୍ୟ ଆଦି ଆଜିର କାର୍ଯ୍ୟକ୍ରମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ପ୍ରକାଶଯୋଗ୍ୟ ଯେ, ଓଡ଼ିଶାର ବିଭିନ୍ନ ଲୋକନୃତ୍ୟ ଓ ପାରମ୍ପାରିକ ବାଦ୍ୟ ଆଦି ହେଉଛି ଆମ ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାର ନିଚ୍ଛକ ନିଦର୍ଶନ। ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ଅବସରରେ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଥିବା ସହ କାର୍ଯ୍ୟକ୍ରମରେ ବେଶ ଜନସମାଗମ ମଧ୍ୟ ପରିଲକ୍ଷିତ ହୋଇଥିଲା ।