ଭୁବନେଶ୍ୱର : ବିଗତ ଦେଢ ବର୍ଷ ମଧ୍ୟରେ ରାଜ୍ୟରେ ମାଳ ମାଳ କାରଖାନା ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଉଲ୍ଲଙ୍ଘନ କରିଥିବା ନଜରକୁ ଆସିଛି । ତେବେ ରାଜ୍ୟ ପ୍ରଦୂଷଣ ବୋର୍ଡ ଏମାନଙ୍କ ମଧ୍ୟରୁ କାହାରି ଉପରେ ଜୋରିମାନା ଲାଗୁ କରାଯାଇ ନାହିଁ ।
ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ମୋଟ୍ ୮୩ଟି ଶିଳ୍ପସଂସ୍ଥା ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ କରିଛନ୍ତି । ଏମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୨୩ଟି ଶିଳ୍ପସଂସ୍ଥା ଥିବାବେଳେ ଝାରସୁଗୁଡାର ୧୦ଟି, ଯାଜପୁରର୧୦ଟି, ସମ୍ବଲପୁରର ୧୬ଟି, ଢେଙ୍କାନାଳର ୫ଟି, ଅନୁଗୁଳର ୭ଟି ଓ କଟକର ଦୁଇଟି ସଂସ୍ଥା ରହିଛନ୍ତି ।
ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ କରିଥିବା ସଂସ୍ଥା ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛୋଟ ବଡ ଇସ୍ପାତ କାରଖାନା ଓ ତାପଜ ବିଦ୍ୟୁତ୍ କେନ୍ଦ୍ର । ଝାରସୁଗୁଡାରେ ପ୍ରଦୂଷଣ ନିୟନ୍ତ୍ରଣ ଉଲ୍ଲଙ୍ଘନ କରିଥିବା ସଂସ୍ଥା ମଧ୍ୟରେ ସରକାରଙ୍କ ଓପିଜିସିର ଇବ୍ ତାପଜ କେନ୍ଦ୍ର ରହିଥିବାବେଳେ ସୁନ୍ଦରଗଡରେ ରାଷ୍ଟ୍ରାୟତ ସଂସ୍ଥା ଏନ୍ଟିପିସି-ସେଲ ତାପଜ କେନ୍ଦ୍ର ରହିଛନ୍ତି । ଏଥି ସହିତ ସୁନ୍ଦରଗଡ ଜିଲ୍ଲାରେ ଏନ୍ଟିପିସିର ଦର୍ଲିପାଲି ତାପଜ କେନ୍ଦ୍ର ରହିଛି ।
ଯାଜପୁର ଜିଲ୍ଲାରେ ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲ, ନୀଳାଚଳ ଇସ୍ପାତ, ଟାଟା ଷ୍ଟିଲ୍, ମୈଥାନ ଇସ୍ପାତ ଭଳି ସଂସ୍ଥା ରହିଥିବାବେଳେ ସମ୍ବଲପୁର ଜିଲ୍ଲାରେ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍, ଆଦିତ୍ୟ ଆଲୁମିନିୟମ, ହିଣ୍ଡାଲକୋ ଭଳି ବୃହତ୍ ସଂସ୍ଥା ରହିଛନ୍ତି । ସେହିଭଳି ଢେଙ୍କାନାଳ ଜିଲ୍ଲାରେ ଭୂଷଣକୁ ଅଧିଗ୍ରହଣ କରିଥିବା ଟାଟା ଓ ରିମ୍ଝିମ୍ ଇସ୍ପାତ ରହିଛି । ଅନୁଗୁଳ ଜିଲ୍ଲାରେ ଏନ୍ଟିପିସିର ତାଳଚେର ସୁପର ଥର୍ମାଲ ପାୱାର, ଜିନ୍ଦର ଇଣ୍ଡିଆ ଥର୍ମାଲ ପାୱାର ଆଦି ରହିଛନ୍ତି । କଟକ ଜିଲ୍ଲାରେ ନିୟମ ଉଲ୍ଲଙ୍ଘନ କରିଥିବା ଦୁଇଟି ସଂସ୍ଥା ମଧ୍ୟରେ ଗୋଟିଏ ଇସ୍ପାତ ଓ ଅନ୍ୟଟି ତାପଜ ବିଦ୍ୟୁତ କେନ୍ଦ୍ର ରହିଥିବା ଜଣାଯାଇଛି । ଏହି ସମସ୍ତ କାରଖାନାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।
ମନ୍ତ୍ରୀଙ୍କ ଉତ୍ତରରୁ ଜଣାଯାଇଛି ଯେ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟର ଶିଳ୍ପସଂସ୍ଥାଗୁଡିକରେ ୧୩ ହଜାରରୁ ଅଧିକ ଯାଞ୍ଚ କରାଯାଇଛି । ଏଥି ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୧୬୭୨ଟି ଯାଞ୍ଚ ହୋଇଥିବାବେଳେ କଟକ ଜିଲ୍ଲାରେ ୧୧୦୬ ଟି ଯାଞ୍ଚ, ଗଞ୍ଜାମ ଜିଲ୍ଲାରେ ୧୦୯୦ଟି ଯାଞ୍ଚ କରାଯାଇଛି । ସବୁଠାରୁ କମ୍ ମାତ୍ର ୨୭ଟି ଯାଞ୍ଚ କନ୍ଧମାଳ ଜିଲ୍ଲାରେ ହୋଇଛି । (ତଥ୍ୟ)

