ଭୁବନେଶ୍ୱର : ରାଜ୍ୟର ପ୍ରତ୍ୟେକ ପୌରାଞ୍ଚଳରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଡିଜିଟାଲ ସମ୍ମିଳନୀକକ୍ଷ । ଗୃହ ଓ ନଗର ଉନ୍ନୟନ ବିଭାଗ ସହିତ ସିଧାସଳଖ ଭାବେ ଏହି ସମ୍ମିଳନୀ କକ୍ଷ ସଂଯୋଗ ହେବ ଏବଂ ରାଜଧାନୀରୁ ଅଧିକାରୀମାନେ ପୌରସଂସ୍ଥା ସହିତ ଯୋଗାଯୋଗରେ ରହିବେ ।
ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଭଳି ସମ୍ମିଳନୀ କକ୍ଷ ନିର୍ମାଣପାଇଁ ଆଜି ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ୍)ର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ପତ୍ର ଲେଖାଯାଇଛି । ଏଥିରେ ଦର୍ଶାଯାଇଛି ଯେ ପ୍ରଶାସିନିକ ବ୍ୟବସ୍ଥାରେ ଉନ୍ନତି ଆଣିବାପାଇଁ ବିଭାଗ ପକ୍ଷରୁ ଡିଜିଟାଲ ଜ୍ଞାନକୌଶଳ ବ୍ୟବସ୍ଥାକୁ ଆପଣାଯାଉଛି । ତଦନୁଯାୟୀ ପୌରସଂସ୍ଥାଗୁଡିକର ଦକ୍ଷତା ବିଭାଗ ପାଇଁ ସେଠାରେ ଓସୱାନ୍ ସମ୍ମିଳନୀ କକ୍ଷର ନିର୍ମାଣ ହେବ । ଏଥିରେ ଅତ୍ୟାଧୁନିକ ଶବ୍ଦ-ଦୃଶ୍ୟ ବ୍ୟବସ୍ଥା ସହିତ ଆଇଟି ଭିତ୍ତିଭୂମି ରହିବ ।
ଏହି ସମ୍ମିଳନୀକକ୍ଷଗୁଡିକ ଅନ୍ଲାଇନ୍ ବୈଠକ, ତାଲିମ ଏବଂ ଭର୍ଚୁଆଲ ସମୀକ୍ଷା ପାଇଁ ବ୍ୟବହୃତ ହେବ । ଓଡିଶା ଷ୍ଟେଟ୍ ୱାଇଡ୍ ନେଟୱାର୍କ (ଓସୱାନ) ଜରିଆରେ ଏହା କାର୍ଯ୍ୟକାରୀ ହେବ । ଏଥିରେ ଦ୍ରୁତଗାମୀ ନେଟୱାର୍କ ସଂଯୋଗ, ଡିସପ୍ଲେ ବୋର୍ଡ, ଭିଡିଓ କନଫରେନ୍ସିଂ ୟୁନିଟ୍, ଅଡିଓ ସିଷ୍ଟମ, ୟୁପିଏମ୍ ବ୍ୟାକ୍ଅପ୍ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାଜ ସରଞ୍ଜାମ ରହିଛି । ଏ ସଂକ୍ରାନ୍ତରେ ଓକାକ୍ ଚୂଡାନ୍ତ ନିଷ୍ପତ୍ତି ନେବ ।
ଉପରେକ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓକାକ୍ ପଦକ୍ଷେପ ଗ୍ରହଣ ସହିତ ବୈଷୟିକ ଢାଞ୍ଚା ପ୍ରସ୍ତୁତ ଲାଗି ବିଭାଗ ପକ୍ଷରୁ କୁହାଯାଇଛି । ଏଥିପାଇଁ ଓକାକ୍ର ବୈଷୟିକ ଟିମ୍ ପୌରାଞ୍ଚଳଗୁଡିକୁ ଗସ୍ତ କରିବାକୁ ବି ଏଥିରେ ପରାମର୍ଶ ଦିଆଯାଇଛି ।
ଉଲ୍ଲେଖନୀୟ ଯେ ପୌରାଞ୍ଚଳରେ ଅତ୍ୟାଧୁନିକ ସମ୍ମିଳନୀକକ୍ଷଟିଏ ନଥିବାରୁ କୌଣସି ଉଚ୍ଚସ୍ତରୀୟ ବୈଠକ ହେଉ କିମ୍ବା ତାଲିମ, ଜିଲ୍ଲା ସ୍ତରର ଏକାଧିକ ଅଧିକାରୀ ଓ କର୍ମଚାରୀ ବାରମ୍ବାର ରାଜଧାନୀକୁ ଆସିଥାନ୍ତି । ରାଜଧାନୀରେ ହୋଟେଲରେ ବୈଠିକ ଓ ରହଣୀ ଆଦି ବାବଦକୁ ବିପୁଳ ଅର୍ଥ ବ୍ୟୟ ସହିତ ଯିବା ଆସିବାରେ ବ୍ୟାପକ ସମୟ ଅପଚୟ ହୋଇଥାଏ । ଏହାଦ୍ୱାରା ପୌରାଞ୍ଚଳରେ ବିକାଶ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ ।
ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପ୍ରତ୍ୟେକ ପୌରାଞ୍ଚଳରେ ଗୋଟିଏ ଗୋଟିଏ ଓସ୍ୱାନ ସମ୍ମିଳନୀକକ୍ଷ ନିର୍ମାଣ ପାଇଁ ଯୋଜନା ହୋଇଛି । ଏହା କାର୍ଯ୍ୟକାରୀ ହେଲେ କେବଳ ଅର୍ଥ ବଞ୍ଚିବ ନାହିଁ, ସମୟ ଓ ମାନବସମ୍ବଳର ଅପଚୟକୁ ମଧ୍ୟ ରୋକାଯାଇ ପାରିବ । (ତଥ୍ୟ)

