ଭୁବନେଶ୍ୱର : ପ୍ରତ୍ୟେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି (ଏସଏଚଜି)କୁ ୨୦୨୨-୨୩ ଆର୍ଥିକ ବର୍ଷରେ ୪ଲକ୍ଷ ଟଙ୍କା କରି ଋଣ ଦେବାପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଗତ ଆର୍ଥିକ ବର୍ଷରେ ଏହା ହାରାହାରି ୨.୨୦ ଲକ୍ଷ ଟଙ୍କା ଥିଲା ।
ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ରାଜ୍ୟ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ଆଧାରରେ ଯୋଜନା ପ୍ରସ୍ତୁତ ପାଇଁ ବ୍ୟାଙ୍କ୍ଗୁଡିକୁ କହିଛନ୍ତି । ନିକଟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଶ୍ରୀ ଦେବ ଏସଏଚ୍ଜିଗୁଡିକୁ ଜୀବିକା ପ୍ରକଳ୍ପ ଏବଂ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଅଧିକ ଋଣ ଯୋଗାଇବାକୁ କହିଥିଲେ । ମିଶନ ଶକ୍ତି ଏସ୍ଏଚ୍ଜିଗୁଡିକୁ ବ୍ୟାଙ୍କ୍ ସହିତ ଜଡିତ ଯୋଜନା ଗୁଡିକ ଦ୍ୱାରା ୬ଲକ୍ଷ ଏସ୍ଏଚ୍ଜିର ୭୦ଲକ୍ଷ ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ କରାଯାଉଛି ।
ବାର୍ଷିକ ୬୮୦୦ କୋଟି ଟଙ୍କାର ଅର୍ଥ ଯୋଗାଣ ସହିତ ମିଶନ ଶକ୍ତି ମହିଳା ଗୋଷ୍ଠି ନିଜସ୍ୱ ଉଦ୍ୟୋଗ ଚଳାଉଛନ୍ତି ଯାହାକି ସ୍ଥାନୀୟ ଅର୍ଥନୀତି ବିକାଶରେ ସହାୟକ ହୋଇଛି । ଗତ ଆର୍ଥିକ ବର୍ଷରେ ୩,୧୦,୮୧୯ ଏସଏଚଜିକୁ ୬୮୩୬.୪୮ କୋଟି ଟଙ୍କାର ଯୋଗାଣ ହୋଇଥିଲା । ତେବେ ୨,୮୦,୧୫୦ ଏସଏଚ୍ଜିକୁ ୬୦୦୨.୫୨ କୋଟି ଟଙ୍କାର ଋଣ ଯୋଗାଣର ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ୧୧୪ ପ୍ରତିଶତ ଅଧିକ ଋଣ ଯୋଗାଣ ହୋଇଥିଲା । ଏହି ଅର୍ଥରେ ଏସ୍ଏଚ୍ଜି ଗୁଡିକ ବିଭିନ୍ନ ଉଦ୍ୟୋଗ ଚଳାଉଥିବାବେଳେ ଚଳିତ ଆର୍ଥିକ ବର୍ଷରେ ୩,୫୦,୦୦୦ ଗୋଷ୍ଠିକୁ ୮୭୫୦ କୋଟି ଟଙ୍କାର ଋଣ ଯୋଗାଣ ଲକ୍ଷ୍ୟ ରହିଛି ।
୨୦୧୭-୧୮ ବର୍ଷରେ ପ୍ରତ୍ୟେକ ଏସଏଚ୍ଜିକୁ ହାରାହାରି ୧.୪୭ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିବାବେଳେ ପରବର୍ତ୍ତୀ ବର୍ଷରେ କିନ୍ତୁ ଏହି ପରିମାଣ ୧.୧୦ଲକ୍ଷ ଟଙ୍କାକୁ ହ୍ରାସ ପାଇଥିଲା । ତେବେ ୨୦୧୯-୨୦ବର୍ଷରେ ଏହି ପରିମାଣ ୧.୪୯ ଲକ୍ଷ ଟଙ୍କାକୁ ବଢିଥିବାବେଳେ ୨୦୨୦-୨୧ରେ ୧.୭୦ଲକ୍ଷ ଏବଂ ଗତ ଆର୍ଥିକ ବର୍ଷରେ ଏହା ୨.୨୦ ଲକ୍ଷ ଟଙ୍କା ଥିଲା ।
ସମଗ୍ର ରାଜ୍ୟରେ ମହିଳା ଭିତ୍ତିକ ଉଦ୍ୟୋଗ ପାଇଁ ପ୍ରଥମ ଥର ପାଇଁ ଋଣ ନେଉଥିବା ଗୋଷ୍ଠିକୁ ଅତି କମ୍ରେ ୨ଲକ୍ଷ ଟଙ୍କା ଯୋଗାଇବାକୁ କୁହାଯାଇଛି । ଅନୁରୂପ ଭାବେ ଦ୍ୱିତୀୟ ଓ ତୃତୀୟଥର ପାଇଁ ଋଣ ନେଉଥିବା ଏସଏଚଜିକୁ ଯଥାକ୍ରମେ ୪ଲକ୍ଷ ଓ ୬ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାର କହିଛନ୍ତି । ନିୟମିତ ଋଣ ପରିଶୋଧ କରୁଥିବା ଗୋଷ୍ଠିକୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯେଗାଇ ଦିଆଯାଉଛି ।
ରାଜ୍ୟ ସରକାର ୨୦୨୧-୨୨ ବର୍ଷରେ ଋଣର ସୁଧ ବାବଦକୁ ରାଜ୍ୟ ସରକାର ବ୍ୟାଙ୍କ୍ଗୁଡିକୁ ୧୬୨ କୋଟି ଟଙ୍କା ଦେଇଥିବାବେଳେ ଏହା ଦ୍ୱାରା ୨.୮୭ଲକ୍ଷ ଏସଏଚଜି ଉପକୃତ ହୋଇଛନ୍ତି । ୨୦୨୨-୨୩ ବର୍ଷରେ ଏ ବାବଦରେ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ପଇଠର ଲକ୍ଷ୍ୟ ରଖିଛନ୍ତି । ଅନ୍ଲାଇନ୍ ଡିଜିଟାଲ କାରବାର ପାଇଁ ଏମଆଇଏସ୍ ଓ ଟିସିଏସ୍ ସହିତ ମିଶନଶକ୍ତି ମିଳିତ ଭାବେ ‘ମିଶନ ଶକ୍ତି ଲୋନ୍’ ପ୍ଲାଟଫର୍ମ ପ୍ରସ୍ତୁତ କରିଛନ୍ତି । ଗତ ବର୍ଷ ଏହି ପୋର୍ଟାଲ ଜରିଆରେ ୧.୭୯ ଏସଏଚ୍ଜିଙ୍କ ଋଣର ସୁଧ ବାବଦକୁ ୫୮.୮୧ କୋଟି ଟଙ୍କା ସିଧାସଳଖ ଭାବେ ଟ୍ରାନ୍ସଫର ହୋଇଥିଲା ।
ଅନୁରୂପ ଭାବେ ବ୍ୟାଙ୍କଶାଖା ନଥିବା ଅଞ୍ଚଳରେ ଏସ୍ଏଚ୍ଜିର ମହିଳାମାନଙ୍କୁ ବିଜିନେସ କରେସପେଣ୍ଡେଣ୍ଟ (ବିସି) ଭାବେ ନିଯୁକ୍ତ କରାଯାଉଛି । ରାଜ୍ୟରେ ଏବେ ୨୨୦୩ ବିସି ରହିଥିବାବେଳେ ଗତ ଆର୍ଥିକ ବର୍ଷରେ ଏମାନେ ୯୭୯.୯୪ କୋଟି ଟଙ୍କାର କାରବାର କରିଛନ୍ତି । ଆସନ୍ତା ୫ବର୍ଷରେ ବ୍ୟାଙ୍କ୍ମାନେ ଏସଏଚଜିକୁ ୫୦ହଜାର କୋଟି ଟଙ୍କାର ଋଣ ଯୋଗାଇବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ୨୦୧୯-୨୦ ବର୍ଷରେ ୬୬,୨୪୦ ଏସଏଚଜିକୁ ୧୦୧୦ କୋଟି ଟଙ୍କାର ସରକାରୀ କାର୍ଯ୍ୟ ମିଳିଥିଲା । ୨୦୨୦-୨୧ ଓ ୨୦୨୧-୨୨ ବର୍ଷରେ ଏହା ଯଥାକ୍ରମେ ୧୨୬୪ କୋଟି ୨୩୭୨ କୋଟି ରହିଥିଲା । (ତଥ୍ୟ)