Home Cooperation ପ୍ରତିଷ୍ଠା ହୋଇପାରୁନି ଶୀତଳଭଣ୍ଡାର

ପ୍ରତିଷ୍ଠା ହୋଇପାରୁନି ଶୀତଳଭଣ୍ଡାର

ଭୁବନେଶ୍ୱର : ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯେତେ ପ୍ରକାର ରିହାତି ପ୍ରଦାନ କଲେ ମଧ୍ୟ ବଡ ବଡ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ବେସରକାରୀ ସ୍ତରରେ ଉଦ୍ୟୋଗୀମାନେ ଆଗେଇ ଆସୁ ନାହାନ୍ତି । ଫଳରେ ଆଳୁ ଭଳି କୃଷିଜାତ ସାମଗ୍ରୀ ପାଇଁ ଆମକୁ ବର୍ଷ ସାରା ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାବେଳେ ବାହାର ରାଜ୍ୟର ବ୍ୟବସାୟୀମାନେ ଓଡିଶାର ଖାଉଟିଙ୍କୁ ମନଇଚ୍ଛା ଶୋଷଣ କରିବାରେ ଲାଗିଛନ୍ତି ।

ସମବାୟ ସ୍ତରରେ ମାତ୍ର ୪ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଥିବାବେଳେ ବେସରକାରୀ ସ୍ତରରେ ଶୀତଳଭଣ୍ଡାର ପ୍ରତିଷ୍ଠା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ବ୍ୟାପକ ରିହାତି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଏପରିକି ଗୋଟିଏ ଶୀତଳଭଣ୍ଡାର ନିର୍ମାଣ ପାଇଁ ସର୍ବାଧିକ ୨କୋଟି ୮୦ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି । ଏଥି ସହିତ ବିଜୁଳି ବିଲ୍‍ ଉପରେ ମଧ୍ୟ ପ୍ରାରମ୍ଭିକ ସ୍ଥିତିରେ ରିହାତି ବ୍ୟବସ୍ଥା ରହିଛି ।

ହେଲେ ଘରୋଇ ଉଦ୍ୟମରେ ବଡ ବଡ ଶୀତଳଭଣ୍ଡାର ନିର୍ମାଣ ପାଇଁ ଉଦ୍ୟୋଗୀମାନେ ଆଗେଇ ଆସୁନାହାନ୍ତି । ବର୍ତ୍ତମାନ ରାଜ୍ୟରେ ୪୧ଟି ଶୀତଳଭଣ୍ଡାର କାର୍ଯ୍ୟ କରୁଥିବାବେଳେ ଏଥିରୁ ଗୋଟିଏର ସର୍ବାଧିକ କ୍ଷମତା ୨୨୦ ମେଟ୍ରିକ ଟନ୍‍ ରହିଛି । ଅନ୍ୟଗୁଡିକର କ୍ଷମତା ୫ ରୁ ୧୦ ମେଟ୍ରିକ ଟନ୍‍ ମଧ୍ୟରେ ରହିଛି । ତେବେ ଏଥିରୁ ଅନେକ ଶୀତଳଭଣ୍ଡାର ସୌରଚାଳିତ ହୋଇଥିବାବେଳେ ଏଥିରେ କେବଳ ଫଳ ଓ ପନିପରିବା କିଛିଦିନପାଇଁ ରହିପାରିବ । ଗୋଟିଏ ଶୀତଳଭଣ୍ଡାରେ ସାମୁଦ୍ରିକ ଖାଦ୍ୟ ରହିବାର ବ୍ୟବସ୍ଥା ରହିଛି ।

ଏହି ସୌରଚାଳିତ ଛୋଟ ଛୋଟ ଶୀତଳଭଣ୍ଡାରରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି କିମ୍ବା ଘରୋଇ ଭାବେ ଉତ୍ପାଦିତ ପନିପରିବା ରଖାଯାଉଛି । ଏଠାରେ ଉତ୍ପାଦିତ ଆଳୁକୁ ଅଧିକ ଦିନ ରଖିବା ସମ୍ଭବପର ନୁହେଁ । ମୋଟାମୋଟି ଭାବେ ରାଜ୍ୟରୁ ଉତ୍ପାଦିତ କିମ୍ବା ଅମଳ ଋତୁରେ ଅନ୍ୟ ରାଜ୍ୟରୁ ଶସ୍ତାରେ ଆଳୁ ଆଣି ମହଜୁଦ ପାଇଁ ଓଡିଶାରେ ପର୍ଯ୍ୟାପ୍ତ ଶୀତଳଭଣ୍ଡାର ନାହିଁ । ଯାହାର ପରିମାଣ ଏବେ ରାଜ୍ୟର ଖାଉଟିମାନେ ଭୋଗୁଛନ୍ତି ।

ଉଲ୍ଲେଖନୀୟ ଯେ ରାଜ୍ୟରେ ବାର୍ଷିକ ପ୍ରାୟ ୧୧ଲକ୍ଷ ମେଟ୍ରିକ ଟନ୍‍ ଆଳୁ ଆବଶ୍ୟକତା ଥିବାବେଳେ ଓଡିଶାରେ ମାତ୍ର ୪ଲକ୍ଷ ମେଟ୍ରିକ ଟନ୍‍ ପର୍ଯ୍ୟନ୍ତ ଆଳୁ ଉତ୍ପାଦିତ ହେଉଛି । ଉତ୍ପାଦିତ ଆଳୁର ସିଂହଭାଗ ଶୀତଳଭଣ୍ଡାର ଅଭାବ ଯୋଗୁଁ ଚାଷୀମାନେ ଶାଗମାଛ ଦରରେ ଅନ୍ୟ ରାଜ୍ୟର ବେପାରୀଙ୍କ ହାତରେ ଟେକି ଦେଉଛନ୍ତି । ସେମାନେ ପରବର୍ତ୍ତୀ ସମୟରେ ଓଡିଶାର ଖାଉଟିଙ୍କୁ ଚଢା ଦରରେ ତାହାକୁ ବିକ୍ରି କରୁଛନ୍ତି । ବର୍ତ୍ତମାନ ଓଡିଶା ବଜାରରେ ଆଳୁ କିଲୋ ୩୫ଟଙ୍କା ଛୁଇଁଥିବାବେଳେ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଓଡିଶାକୁ ଆଳୁ ବିକି ମାଲେମାଲ ହେବାରେ ଲାଗିଛନ୍ତି ।

ଶୀତଳଭଣ୍ଡାର ନଥିବା ଯୋଗୁଁ କେବଳ ଆଳୁ ନୁହେଁ ଅନ୍ୟାନ୍ୟ ପନିପରିବା ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ହୋଇପାରୁ ନାହାନ୍ତି । ଯାହାର ଫଳ ସ୍ୱରୂପ ଦୈନିକ ଟ୍ରକ ଟ୍ରକ ପନିପରିବା ଅନ୍ୟ ରାଜ୍ୟରୁ ଆସିବାରେ ଲାଗିଛି ଏବଂ ଟ୍ରକଭଡା ବାବଦରେ ଓଡିଶାର ଖାଉଟିମାନେ କୋଟି କୋଟି ଟଙ୍କା ଗଣୁଛନ୍ତି । (ତଥ୍ୟ)