ଭୁବନେଶ୍ୱର: ସଡ଼କ ଦୁର୍ଘଟଣାର ଆହତମାନଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟରେ ଥିବା ସ୍ୱାସ୍ଥ୍ୟସେବାରେ ୫୫ ଟି ଟ୍ରମା କେୟାର ସୁବିଧା (ଟିସିଏଫ୍) ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଲିନୀ ପଣ୍ଡିତ ଗୁରୁବାର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ସଡକ ଦୁର୍ଘଟଣା ହେତୁ ମୃତ୍ୟୁ ହାରକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ମେଡିକାଲ କେୟାର (ଟ୍ରମା କେୟାର) କୁ ମଜବୁତ କରିବାକୁ ଓଡିଶା ସରକାର ଆଗ୍ରହୀ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨୬.୧୦.୨୦୧୮ ତାରିଖର ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ସରକାର ୩୩ ଟିସିଏଫ୍ ପ୍ରତିଷ୍ଠା କରିସାରିଛନ୍ତି ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି ଜାତୀୟ ରାଜପଥରେ ଟ୍ରମା କେୟାର ସୁବିଧା ବିକାଶ ପାଇଁ ଦକ୍ଷତା ବିକାଶ ଉପରେ କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ୟାନ-ଇଣ୍ଡିଆ ଟ୍ରମା କେୟାର ବିକାଶ କରି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ୧୦% କୁ ହ୍ରାସ କରାଯିବ । କୌଣସି ଦୁର୍ଘଟଣା ପୀଡିତଙ୍କୁ ୫୦ କିଲୋମିଟରରୁ ଅଧିକ ଦୂରକୁ ପରିବହନ କରିବାକୁ ପଡିବ ନାହିଁ ଏବଂ ପ୍ରତି ୧୦୦ କିଲୋମିଟରରେ ଏକ ର୍ନିଦ୍ଦିଷ୍ଟ ଟ୍ରମା କେନ୍ଦ୍ର ଉପଲବ୍ଧ ହେବ ।
ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଟ୍ରମା ପୀଡ଼ିତଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟରେ ପ୍ରଥମ ସ୍ତର ଟ୍ରମା କେୟାର ସୁବିଧା ସହିତ ୧୮ କର୍ପୋରେଟ୍ ହସ୍ପିଟାଲକୁ ତାଲିକାଭୁକ୍ତ କରିଛନ୍ତି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ୨୫ ଟି ଜାତୀୟ ରାଜପଥ ପାଶ୍ୱର୍ରେ ସରକାରଙ୍କର ଏପରି ସୁବିଧା ରହିଛି । ଆହୁରି ୫୫ ଟି ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ନିଷ୍ପତତି ସହିତ ୫୦ କିଲୋମିଟର ମଧ୍ୟରେ ଗୋଟିଏ ଟ୍ରମା କେୟାର ସୁବିଧା ଉପଲବ୍ଧ ହେବ ।
ଭିତ୍ତିଭୂମି, ମାନବ ଶକ୍ତି, ଯନ୍ତ୍ରପାତି ପାର୍ଥକ୍ୟକୁ ଆକଳନ କରିବା ଏବଂ ନୂତନ ଟ୍ରମା କେୟାର ସୁବିଧାକୁ ଦୃଢ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପଦକ୍ଷେପ ନେଉଛି ।