Home Industry ପ୍ରତିଷ୍ଠା ହେବ ଓଡ଼ିଶା ଜଳ ଏକାଡେମୀ

ପ୍ରତିଷ୍ଠା ହେବ ଓଡ଼ିଶା ଜଳ ଏକାଡେମୀ

ଭୁବନେଶ୍ୱର : ସେଣ୍ଟର ଅଫ୍ ଏକ୍ସେଲେନ୍ସି ଭାବରେ ରାଜ୍ୟରେ ‘ଓଡ଼ିଶା ଜଳ ଏକାଡେମୀ’ ପ୍ରତିଷ୍ଠା ହେବ । ଏହି ଏକାଡେମୀ ଜଳ ଏବଂ ବର୍ଜ୍ୟଜଳ ସେବା ଯୋଗାଣ କ୍ଷେତ୍ରରେ ଗ୍ରାହକ ସନ୍ତୁଷ୍ଟି ଓ ସେବାର ଗୁଣବତ୍ତା ବୃଦ୍ଧିର ଲକ୍ଷ୍ୟ ସହିତ ଏକ ଅଗ୍ରଗଣ୍ୟ ତାଲିମ ଏବଂ ଦକ୍ଷତା ବିକାଶ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିବ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁପ୍ରେରଣାରେ ‘ଓଡ଼ିଶା ଜଳ ଏକାଡେମୀ’ ପ୍ରତିଷ୍ଠା ରାଜ୍ୟ ସରକାରଙ୍କଜଳ ଯୋଗାଣ ଏବଂ ବର୍ଜ୍ୟଜଳ ପରିଚାଳନା ସଂସ୍କାର କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ସଫଳତା ।

ଏହି ଅବସରରେ ରାଜ୍ୟର ଗୃହ ଓ ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ଏବଂ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଛନ୍ତି ଯେ ପ୍ରତ୍ୟେକ ସହରୀ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଏବଂ ବର୍ଜ୍ୟଜଳ ପରିଚାଳନା ସେବା ଯୋଗାଇ ଦେବା ସରକାରଙ୍କ ପାଇଁ ସବୁବେଳେ ଏକ ପ୍ରାଥମିକତା ରହି ଆସିଛି । ଓଡ଼ିଶା ଜଳ ନିଗମ (WATCO), ଜନସ୍ୱାସ୍ଥ୍ୟ କାରିଗରୀ ସଂସ୍ଥା (PHEO), ଓଡିଶା ଜଳ ଯୋଗାଣ ଓ ପରିମଳ ପରିଷଦ (OWSSB)ଏବଂ ଅନ୍ୟାନ୍ୟ ଆନୁସଂଗିକ ସଂଗଠନ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ଏହି ଏକାଡେମୀ ଏକ ଅଗ୍ରଣୀ ଅନୁଷ୍ଠାନ ଓ ଉତ୍କର୍ଷ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ।

ପୂର୍ବାପେକ୍ଷା ରାଜ୍ୟରେ ପାନୀୟ ଜଳ ଯୋଗାଣ ଏବଂ ବର୍ଜ୍ୟଜଳ ପରିଚାଳନାକୁ ଅଧିକ ଦକ୍ଷତାର ସହିତ ସମ୍ପାଦନ କରିବା ପାଇଁ ଏହି ଏକାଡେମୀରେ ଉଭୟ ପରିଚାଳକ ଏବଂ କର୍ମଚାରୀ ସବୁ ପର୍ଯ୍ୟାୟରେ ଅତ୍ୟାଧୁନିକ ଓ ଅଭିନବ ପ୍ରଯୁକ୍ତି ସହାୟତାରେ ତାଲିମ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସୋସାଇଟିସ୍ ରେଜିଷ୍ଟ୍ରେସନ୍ ଆକ୍ଟ, ୧୮୬୦ ଅନୁଯାୟୀ ଏହି ଏକାଡେମୀ ଏକ ସୋସାଇଟି ଭାବରେ ପଞ୍ଜୀକୃତ ହେବ ଏବଂ ଓଡ଼ିଶା ଜଳ ନିଗମ(WATCO)ର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବ ।

ଏହାର ନିଜସ୍ୱ ମେମୋରେଣ୍ଡମ୍ ଅଫ୍ ଆସୋସିଏସନ୍ ଏବଂ ନିୟମାବଳୀ ଅଧୀନରେ ଏହି ଏକାଡେମୀ ଓଡ଼ିଶା ଜଳ ନିଗମ(WATCO)ର ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ବୃତ୍ତିଗତ ତାଲିମ ସହଭାଗୀ ଦଳ ଓ ବିଶ୍ୱସ୍ତରୀୟ ସହଭାଗିତା ଦ୍ୱାରା ପରିଚାଳିତ ହେବ ।