ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଏକାଧିକ ପ୍ରତିଶ୍ରୁତି ସତ୍ୱେ ରାଜଧାନୀର କେନ୍ଦ୍ରସ୍ଥଳୀରେ ଥିବା ପାଇକାରୀ ମାଛ ହାଟ ସ୍ଥାନାନ୍ତରିତ ହୋଇପାରିଲା ନାହିଁ । ବୃହତ୍ ମାଛ ବଜାର ସହିତ ଏଠାରେ ମାଂସ ବଜାରର ବର୍ଜ୍ୟ ଯୋଗୁଁ ସାଧାରଣ ଲୋକେ ଅତିଷ୍ଠ ହେଉଥିବାବେଳେ ଅତ୍ୟନ୍ତ ଦୂଷିତ ପରିବେଶରେ ମାଛ, ମାଂସ କଟାଯାଇ ବିକ୍ରି ହେଉଛି ।
ଲୋକସେବା ଭବନ ଓ ରାଜ୍ୟ ବିଧାନସଭାର ଅନତିଦୂରରେ ଚାରି ନମ୍ବର ଅଞ୍ଚଳରେ ଥିବା ହୋଲସେଲ୍ ମାଛ ମାର୍କେଟକୁ ଉଠାଇ ନିଆଯିବ ବୋଲି ବିଏମ୍ସି ବାରମ୍ବାର ପ୍ରତିଶ୍ରୁତି ଦେଉଛି । ଶେଷଥର ପାଇଁ ଏହି ମାଛ ବଜାରକୁ କୁଆଖାଇ ପଠାକୁ ସ୍ଥାନାନ୍ତରିତ କରାଯିବ ଏବଂ ସେଠାରେ ଏଥିପାଇଁ ସ୍ଥାନ ଚିହ୍ନଟ ହୋଇଥିବା କୁହାଯାଇଥିଲା । ହେଲେ କୌଣସି କାରଣବଶତଃ ତାହା ଆଉ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।
ସହର ମଧ୍ୟସ୍ଥଳୀରେ ହୋଲସେଲ୍ ମାଛ ବଜାର ରହିଥିବାରୁ ଦୈନିକ ଏଠାକୁ ଶହ ଶହ ଯାନବାହାନ ଆସି ଛିଡା ହେଉଛନ୍ତି । ଗାଡିମୋଟର ରଖିବାପାଇଁ ସ୍ଥାନ ନଥିବାରୁ ସେମାନେ ଗଳିକନ୍ଦିରେ ବିଭିନ୍ନ ଲୋକଙ୍କ ଘର ଆଗରେ ଗାଡି ରଖୁଛନ୍ତି ଓ ରାସ୍ତା ଅବରୋଧ କରିଦେଉଛନ୍ତି । ସେହିଭଳି ଏଠାକୁ ଦୈନିକ ଟନ୍ ଟନ୍ ମାଛ, କଙ୍କଡା, ଚିଙ୍ଗୁଡି ଆଦି ଆସିବା ସହିତ ବିକ୍ରିବଟା ହେଉଥିବାରୁ ବହୁ ପରିମାଣରେ ବର୍ଜ୍ୟ ବାହାରୁଛି । ସେଗୁଡିକୁ ରାସ୍ତାକଡରେ ଗଦା କରିବା ଫଳରେ ଦୁର୍ଗନ୍ଧରେ ସ୍ଥାନୀୟ ଅଞ୍ଚଳ ଫାଟି ପଡୁଛି । ରାସ୍ତା ଉପରେ ମାଛ କାତି, ପୁଟା ଆଦି ପଡି ରହୁଛି ।
ମାଛ ହାଟ ମଧ୍ୟରେ ବି ପରିବେଶ ଅତ୍ୟନ୍ତ ଦୂଷିତ । ଡ୍ରେନ ଉପରେ ମାଛ କଟାଯାଇ ବିକ୍ରି ହେଉଛି । ଅତ୍ୟନ୍ତ ସଙ୍କୀର୍ଣ୍ଣ ଅଞ୍ଚଳରେ ଏକାଧିକ ଶୌଚାଳୟ ପାଶ୍ୱର୍ରେ ଥିବା ମାଛ ଦୋକାନ ଆଖପାଖରେ ପୋକ ସାଲୁବାଲୁ ହେଉଛନ୍ତି । ଅତ୍ୟନ୍ତ ପୂତ୍ତିଗନ୍ଧମୟ ପରିବେଶରେ ମାଛ କଟାଯାଇ ବିକ୍ରି ହେଉଥିଲେ ମଧ୍ୟ ବିଏମ୍ସି କିମ୍ବା ଖାଦ୍ୟ ନିରୀକ୍ଷକ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି ।
ମାଛ ହାଟର ଏଭଳି ଅବସ୍ଥା ଥିବାବେଳେ ନିକଟରେ କୁକୁଡା ଓ ଖାସିମାଂସର ବଜାର ରହିଛି । ସେମାନେ ମଧ୍ୟ ଖୋଲାଖୋଲି ଭାବେ ରାସ୍ତାକଡ ନର୍ଦ୍ଦମା ଉପରେ ମାଂସ ବିକ୍ରି କରୁଛନ୍ତି । ଏହିସବୁ ଦୋକାନରୁ ବାହାରୁଥିବା ବର୍ଜ୍ୟ ନିକଟବର୍ତ୍ତୀ ଅଞ୍ଚଳରେ ପଡୁଛି । ଅବସ୍ଥା ଏଭଳି ହୋଇଛି ଯେ ଏହି ଅଞ୍ଚଳରେ ଦିନ କିମ୍ବା ରାତି, ନାକରେ ରୁମାଲ ନଦେଲେ ସାଧାରଣ ଲୋକେ ଯା ଆସ କରିପାରୁ ନାହାନ୍ତି ।
ରାଜଧାନୀର ଏହି ସର୍ବବୃହତ୍ ମାଛ ହାଟରୁ ବାହାରୁଥିବା ବର୍ଜ୍ୟକୁ ସଂଗ୍ରହ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ଫଳରେ ବ୍ୟବସାୟୀମାନେ ନିକଟସ୍ଥ ଅଳିଆ କୁଣ୍ଡରେ କିମ୍ବା ରାସ୍ତାକଡରେ ଜରିରେ ବାନ୍ଧି ଏହାକୁ ପକାଇ ଦେଉଛନ୍ତି । ଯେଉଁଦିନ ଅଳିଆ ଉଠିବାରେ ସାମାନ୍ୟ ବିଳମ୍ବ ହେଉଛି ସେହି ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଛି । ସ୍ମାର୍ଟସିଟି ମଝିରେ ଏଭଳି ମାଛ ହାଟ ଓ ଦୁର୍ଗନ୍ଧ ଯୋଗୁଁ ସ୍ଥାନୀୟ ଲୋକେ ତ୍ରାହି ତ୍ରାହି ଡାକୁଥିବାବେଳେ ବିଏମ୍ସି କିନ୍ତୁ ଏକ ପ୍ରକାର ନିରବଦ୍ରଷ୍ଟା ସାଜିଛି । (ତଥ୍ୟ)