Home Education ପ୍ରତିଶ୍ରୁତି ଅନୁଯାୟୀ ସ୍କୁଲ ଖୋଲିବ କେବେ ?

ପ୍ରତିଶ୍ରୁତି ଅନୁଯାୟୀ ସ୍କୁଲ ଖୋଲିବ କେବେ ?

ଭୁବନେଶ୍ୱର : ଓଡିଶାରେ ବିଜେପି ସରକାରଙ୍କ ବର୍ଷପୂର୍ତ୍ତି ଅବସରରେ ପାଞ୍ଚଶହ ଗୋଦାବରୀଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯିବ ବୋଲି ଘୋଷଣା କରାଯାଇଥିବାବେଳେ ଗତ ସରକାର ସମୟରେ ବନ୍ଦ କରାଯାଇଥିବା ବିଦ୍ୟାଳୟଗୁଡିକ କେବେ ଖୋଲିବ ସେ ସଂକ୍ରାନ୍ତରେ କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିରବ ।

ବିଭିନ୍ନ ଆଳ ଦେଖାଇ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ୫ହଜାରରୁ ଅଧିକ ସରକାରୀ ବିଦ୍ୟାଳୟକୁ ବନ୍ଦକରି ଦିଆଯାଇଥିଲା । ତେବେ ୨୦୨୪ ସାଧାରଣ ନିର୍ବାଚନବେଳେ ଓଡିଶା ଶାଖା ବିଜେପି ପକ୍ଷରୁ ଜାରି କରାଯାଇଥିବା ସଙ୍କଳ୍ପପତ୍ରରେ କୁହାଯାଇଥିଲା ଯେ ସରକାରକୁ ଆସିବାର ଛଅମାସ ଭିତରେ ପୂର୍ବ ସରକାରଙ୍କ ସମୟରେ ବନ୍ଦ କରାଯାଇଥିବା ସମସ୍ତ ଆଠ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକୁ ପୁଣି ଖୋଲିବାର ନିଷ୍ପତ୍ତି ନିଆଯିବ ।

ତେବେ ଇତି ମଧ୍ୟରେ ଓଡିଶାରେ ବିଜେପି ସରକାରକୁ ଆସିବାର ବର୍ଷପୂର୍ତ୍ତି ପୂରଣ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ବନ୍ଦ ହୋଇଥିବା ସମସ୍ତ ବିଦ୍ୟାଳୟ ମଧ୍ୟରୁ ମାତ୍ର ଅଳ୍ପ କେତୋଟି ଖୋଲିଛି । ଏହି ବିଦ୍ୟାଳୟଗୁଡିକ ଖୋଲିବାପାଇଁ ଯେତେସବୁ ସର୍ତ୍ତ ରହିଛି ତାହା ପୂରଣ କରିବା ଅସମ୍ଭବପର ହୋଇ ପଡୁଥିବାରୁ ବିଦ୍ୟାଳୟ ଖୋଲିବାରେ ପ୍ରତିବନ୍ଧକ ଉପୁଜିଛି । ଏଥିପାଇଁ ଅନେକ ଜିଲ୍ଲାରେ ସ୍ଥାନୀୟ ଲୋକଙ୍କ କ୍ରୋଧ ବିଧାୟକମାନଙ୍କ ଉପରେ ପଡୁଛି ।

ବନ୍ଦ ଥିବା ହଜାର ହଜାର ସରକାରୀ ବିଦ୍ୟାଳୟଗୁଡିକୁ ବିଭିନ୍ନ ଯୋଜନାରେ ସାମିଲ କରାଯାଇ ତାହାର କୋଠାବାଡି ନିର୍ମାଣରେ ରାଜକୋଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଗୁଡିକରୁ ଅଧିକାଂଶ ବ୍ୟବହୃତ ହେଉନଥିବାରୁ ତାହା ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳରେ ପରିଣତ ହୋଇଛି । କେତେକ ବନ୍ଦ ଥିବା ବିଦ୍ୟାଳୟ ବସ୍ତୁତଃ ମଦୁଆମାନଙ୍କ ବାର୍‍ରେ ରୂପାନ୍ତରିତ ହୋଇଛି । ଆଉ କେତେକ ସ୍ଥାନରେ ପ୍ରଭାବଶାଳୀ ଲୋକମାନେ ଏହି ବିଦ୍ୟାଳୟଗୁଡିକର ଜମି ଓ କୋଠାବାଡି ଆଦିକୁ ନିଜ ଅକ୍ତିଆରକୁ ନେଇ ଯାଉଛନ୍ତି ।

ସାଧାରଣ ଲୋକଙ୍କ ବିରୋଧ ସତ୍ୱେ ଅନେକ ସ୍ଥାନରେ ବିଦ୍ୟାଳୟଗୁଡିକୁ ବନ୍ଦକରି ଦିଆଯାଇଥିଲା । ଏଥିପାଇଁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍‍ ଥିବାକୁ ଆଳ କରାଯାଉଥିଲା । ତେବେ ସରକାରୀ ବିଦ୍ୟାଳୟଗୁଡିକରେ ଶିକ୍ଷକ ଅଭାବ ପରିସ୍ଥିତି ଉତ୍କଟତର ଥିବାରୁ ଗୁଡିଏ ବିଦ୍ୟାଳୟ ବନ୍ଦ କରିଦେଇ ଏଠି କାର୍ଯ୍ୟରତ ଶିକ୍ଷକମାନଙ୍କୁ ଅନ୍ୟ ସ୍ଥାନକୁ ପଠାଯାଇଥିଲା । ବିଦ୍ୟାଳୟ ବନ୍ଦ ରହିବାରୁ ବାଧ୍ୟହୋଇ ସ୍ଥାନୀୟ ଲୋକେ ନିଜ ନିଜ ପିଲାଙ୍କୁ ଦୂର ଦୂରାନ୍ତର ବିଦ୍ୟାଳୟରେ ନାମାଙ୍କନ କରାଇଥିଲେ । ଏହି ପରିସ୍ଥିତିରୁ ଇଂରାଜୀ ମାଧ୍ୟମ ଓ ଅନ୍ୟ ଘରୋଇ ସ୍କୁଲମାନେ ବେଶ୍‍ ଫାଇଦା ଉଠାଇଥିଲେ । ଏବେ ଗାଁର ପିଲା ଅନ୍ୟ ଗାଁ ସ୍କୁଲରେ ପଢୁଥିବାବେଳେ ବନ୍ଦ ସ୍କୁଲ କେବେ ଖୋଲିବ ସେଥିପାଇଁ ଭରସି ପାରୁନାହାନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ସରକାର ତାଙ୍କ ନିର୍ବାଚନୀ ସଙ୍କଳ୍ପ ମୁତାବକ ଅନେକ ପ୍ରତିଶ୍ରୁତି ପାଳନ କରିଥିବାବେଳେ ବନ୍ଦ ଥିବା ସମସ୍ତ ସ୍କୁଲକୁ ଖୋଲିବାପାଇଁ ଯେଉଁ ସଙ୍କଳ୍ପ ଘୋଷଣା କରିଥିଲେ ତାହା ନିର୍ଦ୍ଧାରିତ ଛଅ ମାସର ସମୟସୀମା ମଧ୍ୟରେ କିନ୍ତୁ ପୂରଣ ହୋଇପାରି ନାହିଁ । ତେବେ ବିଭାଗୀୟ କର୍ତ୍ତୃପକ୍ଷ କହୁଛନ୍ତି ଯେ ଏହି ବିଦ୍ୟାଳୟଗୁଡିକୁ ପୁଣିଥରେ କାର୍ଯ୍ୟକ୍ଷମ କରିବାପାଇଁ ଯେଉଁସବୁ ମାର୍ଗଦର୍ଶିକା ଜାରି କରାଯାଇଛି ତାହା ଆଧାରରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସୁପାରିଶ୍‍କୁ ଭିତ୍ତିକରି ସେଗୁଡିକୁ ଖୋଲିବାପାଇଁ ପ୍ରକ୍ରିୟା ଜାରି ରହିଛି । ଅନ୍ୟ ପକ୍ଷରେ ସର୍ବଶିକ୍ଷା ଅଭିଯାନ, ୫-ଟି ଓ ଅନ୍ୟାନ୍ୟ ଯୋଜନାରେ ଏହି ବିଦ୍ୟାଳୟଗୁଡିକର ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ଯେଭଳି ପାଣିରେ ନପଡି କାମରେ ଲାଗେ ତାହା ଉପରେ ଗୁରୁତ୍ୱ ଦେବାକୁ ବିଭିନ୍ନ ଜିଲ୍ଲାର ଗ୍ରାମବାସୀମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)