ଭୁବନେଶ୍ୱର : ଅବକାରୀ କାରବାରରୁ ରାଜ୍ୟ ସରକାର ଯେତିକି ଟଙ୍କାର ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରୁଛନ୍ତି ପ୍ରତିବର୍ଷ ତାହାଠାରୁ ଅଧିକ ରାଜସ୍ୱ ପାଉଛନ୍ତି । ଗତ ୫ବର୍ଷର ଅବକାରୀ ରାଜସ୍ୱ ଆଦାୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଓ ମିଳିଥିବା ରାଜସ୍ୱରୁ ଏହା ଲକ୍ଷ୍ୟ କରାଯାଇଛି ।
୨୦୨୦-୨୧ ବର୍ଷରେ ରାଜ୍ୟ ସରକାର ଅବକାରୀ ରାଜସ୍ୱ ବାବଦରେ ୫୨୫୦ କୋଟି ଟଙ୍କାର ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ । ତେବେ ବର୍ଷ ଶେଷରେ ଦେଖାଗଲା ଯେ ଏହି କ୍ଷେତ୍ରରୁ ସରକାର ୫୪୦୦ କୋଟି ୨୧ଲକ୍ଷ ଟଙ୍କା ପାଇଛନ୍ତି । ସେହିଭଳି ୨୦୨୧-୨୨ ବର୍ଷରେ ଅବକାରୀ ରାଜସ୍ୱରୁ ରାଜକୋଷକୁ ୫୫୦୦ କୋଟି ଟଙ୍କା ଆସିବ ବୋଲି ସରକାର ଆକଳନ କରିଥିବାବେଳେ ଆସିଥିଲା ୭୬୨୨ କୋଟି ୪୧ଲକ୍ଷ ଟଙ୍କା । ଉକ୍ତ ବର୍ଷରେ ଭାଟ୍କୁ ବାଦ ଦେଲେ ସରକାର ଧାର୍ଯ୍ୟ ଲକ୍ଷ୍ୟର ୧୦୧ ପ୍ରତିଶତ ରାଜସ୍ୱ ଆଦାୟ କରିଥିଲେ । ଏôତ ସହିତ ୨୦୯୪ କୋଟି ଟଙ୍କା ଭାଟ୍ ମିଶିବା ଫଳରେ ରାଜସ୍ୱ ପରିମାଣ ଢେର ବୃଦ୍ଧି ପାଇଥିଲା ।
୨୦୨୨-୨୩ ବର୍ଷରେ ଅବକାରୀ ରାଜସ୍ୱରୁ ୬୫୦୦ କୋଟି ଟଙ୍କା ପାଇବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିଲେ । ଏହିବର୍ଷ ରାଜକୋଷକୁ ଆସିଥିଲା ୮୯୬୭ କୋଟି ୪୯ଲକ୍ଷ ଟଙ୍କା । ଏଥି ମଧ୍ୟରେ ୨୫୧୨ କୋଟି ଟଙ୍କାର ଭାଟ୍ ଅର୍ନ୍ତଭୁକ୍ତ ଥିଲା । ୨୦୨୩-୨୪ ବର୍ଷରେ ସରକାର ରାଜସ୍ୱ ଆଦାୟ ଲକ୍ଷ୍ୟକୁ ୭୮୦୦କୋଟି ଟଙ୍କାକୁ ବୃଦ୍ଧି କରିଥିଲେ । ବର୍ଦ୍ଧିତ ରାଜସ୍ୱ ଆଦାୟଧାରା ଜାରି ରହିବା ସହିତ ସେହିବର୍ଷ ଅବକାରୀ ରାଜସ୍ୱ ୧୦ହଜାର କୋଟି ଟଙ୍କାକୁ ଅତିକ୍ରମ କରିଯାଇଥିଲା । ଗତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୪-୨୫ ବର୍ଷରେ ରାଜ୍ୟ ସରକାର ଧାର୍ଯ୍ୟ ଲକ୍ଷ୍ୟକୁ ୮୬୮୦ କୋଟି ଟଙ୍କାକୁ ବଢାଇ ଦେଇଥିବାବେଳେ ରାଜସ୍ୱ ଆକାରରେ ପାଇଥିଲେ ୧୧,୪୨୯ କୋଟି ଟଙ୍କା ।
ରାଜ୍ୟରେ ଏବେ ଅବକାରୀ ରାଜସ୍ୱର ମୁଖ୍ୟ ଆୟ ମଦରୁ ହେଉଥିବାବେଳେ ରାଜ୍ୟରେ ପ୍ରତିବର୍ଷ ମଦ ବିକ୍ରି ପରିମାଣ ବୃଦ୍ଧି ପାଉଥିବା ଆକଳନ କରାଯାଉଛି । କାରଣ ରାଜ୍ୟରେ ବହୁଭାବେ ବ୍ୟବହାର ହେଉଥିବା ଗଞ୍ଜେଇ ଓ ବ୍ରାଉନସୁଗାର ଭଳି ନିଶା ସାମଗ୍ରୀ ବିକ୍ରି ବେଆଇନ୍ ହୋଇଥିବାରୁ ସରକାର ସେଥିରୁ କୌଣସି ପ୍ରକାର ଟିକସ ପାଆନ୍ତି ନାହିଁ । ତେଣୁ ଭାରତ ତିଆରି ବିଦେଶୀ ମଦ, ବିୟର, ବାହାର ଭାଟି ମଦ ଓ ଦେଶୀ ମଦ ବିକ୍ରି ହିଁ ସରକାରଙ୍କର ଅବକାରୀ ରାଜସ୍ୱର ମୁଖ୍ୟ ଉତ୍ସ ପାଲଟିଛି ।
ସମଗ୍ର ରାଜ୍ୟରେ ଏବେ ନିଶା ବିଶେଷକରି ମଦ କାରବାର ବିରୁଦ୍ଧରେ ଧାରଣା,ଧର୍ମଘଟ ଆଦି ଜାରି ରହିଥିବାବେଳେ ସରକାରଙ୍କର ଅବାକରୀ ରାଜସ୍ୱ ପରିମାଣ ପ୍ରତିବର୍ଷ ବଢିବା ଏବେ ନିଶାମୁକ୍ତ ଭାରତ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବାରେ ଲାଗିଛି । (ତଥ୍ୟ)

