Home Election ପ୍ରଚାର ସାରି ଉପକୂଳ ମୁହାଁ ନେତା

ପ୍ରଚାର ସାରି ଉପକୂଳ ମୁହାଁ ନେତା

ଭୁବନେଶ୍ୱର : ଚାରିଟି ଲୋକସଭା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଏବଂ ଏହା ଅଧିନରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ଆଜି ସଂଧ୍ୟାରେ ପ୍ରଚାର ସରିବାପରେ ସେହିଭଳି ସ୍ଥାନରେ ଥିବା ତିନି ପ୍ରମୁଖ ଦଳର ନେତା ଏବେ ଅଞ୍ଚଳ ଛାଡିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଉପକୂଳ ମୁହାଁ ହୋଇଥିବାବେଳେ ଆଉ କେତେକ ଚାରି ଲୋକସଭା ସୀମା ବାହାରେ ଡେରା ପକାଇଛନ୍ତି ।

ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣବିଧି ଅନୁଯାୟୀ ପ୍ରଚାର ସମୟ ଅବଧି ପୂରିବାପରେ ନିର୍ବାଚନମଣ୍ଡଳୀ ବାହାର ଲୋକମାନେ ଆଉ ସେଠାରେ ରହିପାରିବେ ନାହିଁ । ତେଣୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଲାଗି ପଡିଥିବା ବହୁ ନେତା ବିଶେଷକରି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଭୋଟ ହେବାକୁ ଥିବା ଅଞ୍ଚଳର ନେତାମାନେ ଆଜି ଏହିସବୁ ସ୍ଥାନ ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଉପକୂଳିଆ ନେତା ନିଜ ନିଜ ଅଞ୍ଚଳକୁ ଫେରି ଆସିଛନ୍ତି । ତେବେ କେତେକ ଆଗଧାଡିର ନେତା ଚାରି ଲୋକସଭା ନିର୍ବାଚନ ସୀମା ବାହାରେ ଆସି ଡେରା ପକାଇଥିବା ଲକ୍ଷ୍ୟ କରାଯାଇଛି ।

ଉପକୂଳ ଜିଲ୍ଲାର ୬ଟି ଲୋକସଭା କ୍ଷେତ୍ର ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଓ ଜଗତ୍‍ସିଂହପୁର ଲୋକସଭା ଆସନ ଏବଂ ଏହା ଅଧିନରେ ଥିବା ବିଧାନସଭା ନିର୍ବାଚନ କ୍ଷେତ୍ରରେ ଏବେ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ କାର୍ଯ୍ୟ ଜାରି ରହିଛି । ଏହା ଆଗାମୀ ୧୪ ତାରିଖରେ ସରିବ । ଏଠାରେ ଆଗାମୀ ଜୁନ୍‍ ୧ତାରିଖରେ ଭୋଟ ହେବ । ତେବେ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ଛଅଟି ଲୋକସଭା ଯଥା ସମ୍ବଲପୁର, କେନ୍ଦୁଝର ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି । ଏଠାରେ ଆଗାମୀ ୨୫ ତାରିଖରେ ଭୋଟ ହେବ ।

ତେଣୁ ମଇ ୧୧ ତାରିଖରେ ପ୍ରଚାର କାର୍ଯ୍ୟ ସାରିବାପରେ ବିଜେଡି, ବିଜେପି ଓ କଂଗ୍ରେସର ଏକାଧିକ ନେତା ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ର୍ନିବାଚନ ହେବାକୁ ଥିବା ଅଞ୍ଚଳକୁ ଫେରିବାରେ ଲାଗିଛନ୍ତି । ୧୩ ତାରିଖ ଦିନ ଭୋଟ ସରିଲା ପରେ ପ୍ରାର୍ଥୀମାନେ ପ୍ରଚାର ପାଇଁ ଅନ୍ୟ ଜିଲ୍ଲାକୁ ଗସ୍ତ କରିବେ ।

ତେବେ ଆଜି ପ୍ରଚାର ସରିଥିବା ଲୋକସଭା କ୍ଷେତ୍ର ସୀମା ବାହାରେ ଯେଉଁମାନେ ଡେରା ପକାଇଛନ୍ତି ସେମାନଙ୍କ ଉପରେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଠାରୁ ଆରମ୍ଭକରି ସାଧାରଣ ଲୋକେ ଓ ଗଣମାଧ୍ୟମ ତୀକ୍ଷ୍ଣ ନଜର ରଖିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଯେଭଳି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଓ ଟଙ୍କା ବଣ୍ଟନର ଅଭିଯୋଗମାନ ଆସିବାରେ ଲାଗିଛି ତାହାକୁ ଦୃଷ୍ଟିରେ ରଖି କମିଶନଙ୍କ କଟକଣା ସୀମା ଆରପଟେ ରହିଥିବା ନେତାମାନଙ୍କ ଉପରେ ସମସ୍ତେ ସତର୍କ ଦୃଷ୍ଟି ରଖିଛନ୍ତି ।

ତେବେ ଦୁଇ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ସେହିସବୁ ଅଞ୍ଚଳର ପ୍ରାର୍ଥୀଙ୍କ ସମେତ ଡେରା ପକାଇଥିବା ନେତାମାନେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାକୁ ଆସିବା ପରେ ନିର୍ବାଚନ ପ୍ରଚାର ଆହୁରି ଜୋରଦାର ହେବ ବୋଲି ଆଶା କରାଯାଉଛି । ଇତି ମଧ୍ୟରେ ଅନ୍ତିମ ଦୁଇ ପର୍ଯ୍ୟାୟରେ ରାଜ୍ୟର ତିନି ପ୍ରମୁଖ ଦଳର ଷ୍ଟାର ପ୍ରଚାରକମାନେ କେଉଁ କେଉଁ ସ୍ଥାନରେ ସଭାମାନ କରିବେ ତାହାର ତାଲିକା ପ୍ରସ୍ତୁତି ଚାଲିଛି । (ତଥ୍ୟ)