Home Election ପ୍ରଚାର ରାସ୍ତାରେ ଅସନ୍ତୁଷ୍ଟ କଣ୍ଟା

ପ୍ରଚାର ରାସ୍ତାରେ ଅସନ୍ତୁଷ୍ଟ କଣ୍ଟା

ଭୁବନେଶ୍ୱର : ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ମଇ ସାତ ତାରିଖରେ ବିଜ୍ଞପ୍ତି ପ୍ରକାଶ ସହିତ ନାମାଙ୍କନ ଆରମ୍ଭ ହେବାକୁ ଯାଉଥିବାବେଳେ ବିଜେଡି ଓ ବିଜେପିର ଟିକଟ ବଣ୍ଟନ ସରିଛି । ତେବେ ଅସନ୍ତୁଷ୍ଟଙ୍କ ପାଇଁ ଅନେକ ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲାଇ ପାରୁନାହାନ୍ତି ।

ମଇ ସାତ ତାରିଖରେ ଅନ୍ତିମ ପର୍ଯ୍ୟାୟରେ ହେବାକୁ ଥିବା ଛଅଟି ଲୋକସଭା ଯଥା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଓ ଜଗତ୍‍ସିଂହପୁର ସହିତ ଏହା ଅଧିନରେ ଥିବା ୪୨ଟି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ସହିତ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ । ମଇ ଛଅ ତାରିଖରେ ତୃତୀୟ ପର୍ଯ୍ୟାୟର ନାମାଙ୍କନପତ୍ର ଦାଖଲ ସରିଛି ।

ଇତି ମଧ୍ୟରେ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବାରୁ କେଉଁଠାରୁ କିଏ ଲଢିବେ ତାହା ଏକ ପ୍ରକାର ଚୂଡାନ୍ତ ହୋଇଛି । ହେଲେ ପ୍ରାର୍ଥୀମାନେ ଯେଉଁଭଳି ଭାବେ ପ୍ରଚାର ମଇଦାନକୁ ଓହ୍ଲାଇବାକଥା ତାହା ହୋଇପାରୁ ନାହିଁ । ଏଥିପାଇଁ ଦଳୀୟ ଅସ୍ତନ୍ତୁଷ୍ଟମାନେ କଣ୍ଟା ସାଜିଥିବା କୁହାଯାଉଛି । ତୃତୀୟ ପର୍ଯ୍ୟାୟ ଅର୍ଥାତ୍‍ ମଇ ୨୫ତାରିଖରେ ଖୋର୍ଦ୍ଧା, ନୟାଗଡ, ପୁରୀ ଆଦି ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ମତଦାନ ହେବ । ଏଠାରେ ପ୍ରାର୍ଥୀପତ୍ର ଦାଖଲ ସରିଲାଣି । ହେଲେ ଖୋର୍ଦ୍ଧା, ବେଗୁନିଆ, ପୁରୀ, ସତ୍ୟବାଦୀ ଆଦି ବିଧାନସଭା କ୍ଷେତ୍ରରେ ଯେଭଳି ଜୋରଦାର ପ୍ରଚାର ହେବାକଥା ତାହା ହୋଇପାରି ନାହିଁ ।

ଏଥିପାଇଁ ଦଳୀୟ ଅସନ୍ତୁଷ୍ଟ କଣ୍ଟା ସାଜିଥିବା କୁହାଯାଉଛି । ଏମାନଙ୍କୁ ମନାଇବାରେ ଏବେ ପ୍ରାର୍ଥୀମାନେ ଲାଗିପଡିଛନ୍ତି । ଏହି ଅସନ୍ତୁଷ୍ଟମାନଙ୍କ ମଧ୍ୟରୁ ଅନେକ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ କୌଣସି ମତେ ଏମାନଙ୍କୁ ମଇଦାନରୁ ଓହରାଇ ଆଣିବାପାଇଁ ଏବେ ଜୋରଦାର କସରତ ଚାଲିଛି । ଅଧିକାଂଶ ଦଳୀୟ ଅସନ୍ତୁଷ୍ଟଙ୍କୁ ରାଜ୍ୟ କାର୍ଯ୍ୟାଳୟକୁ ଡାକି ବୁଝାଇବାରେ ଲାଗିଛନ୍ତି । କେତେକ ମତ ବଦଳାଉଥିବାବେଳେ ଅଧିକାଂଶ କିନ୍ତୁ ଲଢିବା ସ୍ଥିତିରେ ରହିଛନ୍ତି । ଯେଉଁଥିପାଇଁ ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇ ପାରୁନାହାନ୍ତି । କାରଣ ଟିକଟରୁ ବଞ୍ଚିତ ହୋଇଥିବା ଅସନ୍ତୁଷ୍ଟମାନେ ପ୍ରଚାର ସମୟରେ ଗଣ୍ଡଗୋଳ କରିବାର ଆଶଙ୍କା ରହିଛି ।

ଇତି ମଧ୍ୟରେ ପୁରୀଠାରେ କଂଗ୍ରେସ ଟିକଟ ବଦଳରେ ପରେ ସେଠାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ପରେ ନୂତନ କଂଗ୍ରେସ ପ୍ରାର୍ଥୀ ଉମା ବଲ୍ଲଭ ରଥଙ୍କ ପରେ ମରଣାନ୍ତକ ଆକ୍ରମଣ ହୋଇଛି । କଂଗ୍ରେସ ଏକକାଳୀନ ୫ଟି ସ୍ଥାନରେ ବିଧାୟକ ପ୍ରାର୍ଥୀ ବଦଳି ଥିବାରୁ ଅସନ୍ତୋଷ ପ୍ରବଳ ପରିଲକ୍ଷିତ ହୋଇଛି ।

ତେବେ ବିଜେଡି ଓ ବିଜେପିରେ ହତାଶ ଟିକଟ ଆଶାୟୀମାନେ ଏବେ ଦଳ ଓ ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ବିଷ ଓଗାଳିବା ସହିତ ସ୍ୱାଧୀନ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଜଣେ ଦଳୀୟ ପ୍ରାର୍ଥୀଙ୍କ ହରାଇବାପାଇଁ ପରସ୍ପରର ଶତ୍ରୁଥିବା ଏକାଧିକ ଆଶାୟୀ ଏବେ ବନ୍ଧୁ ପାଲଟି ଯାଉଛନ୍ତି । ଏହା ସଂଖ୍ୟାଧିକ ପ୍ରାର୍ଥୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଦଳୀୟ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଉ ନଥିବାରୁ ବିଭିନ୍ନ ନିର୍ବାଚନମଣ୍ଡଳୀ ବିଶେଷକରି ଉପକୂଳର ଅନେକ ବିଧାନସଭା ଆସନରେ ଭୋଟରମାନେ ନିରବତା ଅବଲମ୍ବନ କରୁଛନ୍ତି । କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ଖୋଲାଖୋଲି ଭାବେ ବାହାରିବା ତ ଦୂରରକଥା ସେମାନଙ୍କ ବିରୁଦ୍ଧରେ ପଦୁଟିଏ ହେଲେ କହିବାକୁ ରାଜି ହେଉନାହାନ୍ତି । ତେବେ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲ ସରିବା ବିଶେଷକରି ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ଯିବାପରେ ବହୁ ପ୍ରାର୍ଥୀ ନିଶ୍ଚିତ ହୋଇ ମଇଦାନକୁ ଓହ୍ଲାଇବେବୋଲି ଜଣାଯାଇଛି । (ତଥ୍ୟ)