ଭୁବନେଶ୍ୱର : ଆଗାମୀ ପୌରସଂସ୍ଥା ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥ୍ରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବା ସହ ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବ୍ୟବହାର ହେବ । ବାଲାଟ୍ ପେପରର ସବାଶେଷରେ ନୋଟା ବଟନ୍ ରହିବ ।
ନିର୍ବାଚନ ମଇଦାନରେ ଭୋଟରଙ୍କ ମନପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବେ । ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥ୍ରେ ଦୁଇଟି ଲେଖାଏଁ ଇଭିଏମ୍ ରହିବ । ସେଥିରୁ ଗୋଟିଏ କର୍ପୋରେଟର/କାଉନ୍ସିଲର ନିର୍ବାଚନ ପାଇଁ ଓ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ ।
କର୍ପୋରେଟର/କାଉନ୍ସିଲର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ୍ ପେପର ଓ ଅଧ୍ୟକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ହଳଦିଆ ରଙ୍ଗର ବାଲାଟ୍ ପେପର ନିର୍ବାଚନରେ ବ୍ୟବସ୍ଥା କରାଯିବ । ଏତଦ୍ବ୍ୟତୀତ ଭୋଟରମାନଙ୍କ ସୁବିଧା ନିମନ୍ତେ କର୍ପୋରେଟର/କାଉନ୍ସିଲର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ଗୋଲାପି ରଙ୍ଗର ଗୋଲ ଷ୍ଟିକର ଓ ଅଧ୍ୟକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ହଳଦିଆ ରଙ୍ଗର ଗୋଲ ଷ୍ଟିକର ଲଗାଯିବ ।
ଏହା ଦ୍ୱାରା କେଉଁ ପ୍ରାର୍ଥୀଙ୍କୁ କେଉଁ ଇଭିଏମ୍ରେ ଭୋଟ ଦେବାକୁ ହେବ, ତାହା ସହଜରେ ଭୋଟରମାନେ ଜାଣିପାରିବେ । ପ୍ରତ୍ୟେକ ବୁଥ୍ ମଧ୍ୟରେ ମତଦାନ କରିବା ନିମନ୍ତେ ଦୁଇଟି ମତଦାନ ପ୍ରକୋଷ୍ଠ ରହିଛି । ପ୍ରଥମେ ଭୋଟରମାନେ ପ୍ରଥମ ପ୍ରକୋଷ୍ଠକୁ ଯାଇ ଆଗ ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ମତଦାନ କରିସାରି ଦ୍ୱିତୀୟ ପ୍ରକୋଷ୍ଠକୁ ଯିବେ ଓ ସେଠାରେ କର୍ପୋରେଟର/କାଉନ୍ସିଲର ପଦବୀ ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ମତଦାନ କରିବେ ବୋଲି ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି ।
ସେହିପରି ପୌର ନିର୍ବାଚନରେ ଦୃଷ୍ଟିହୀନ ଭୋଟରମାନଙ୍କ ପାଇଁ ବ୍ରେଲି ବାଲାଟ ପେପର ସୁବିଧା କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରୁ ବଛାବଛା ମାଷ୍ଟର ଟ୍ରେନରମାନଙ୍କର ଦୁଇଦିନିଆ ଇଭିଏମ୍ ତାଲିମ କାର୍ଯ୍ୟକ୍ରମ ନିର୍ବାଚନ କମିଶନଙ୍କ ଦ୍ୱାରା ରାଜ୍ୟସ୍ତରରେ ଶେଷ ହୋଇଛି । ପୌର ନିର୍ବାଚନ ପାଇଁ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ୱାର୍ଡ ପୁନର୍ଗଠନ, ବୁଥ ଓ ଭୋଟର ତାଲିକା ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟକୁ ଅନୁମୋଦନ କରିସାରିଛନ୍ତି । ପୌର ନିର୍ବାଚନ ନିମନ୍ତେ ସମସ୍ତ ଦିଗରୁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତ ଥିବା କମିଶନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।