ଭୁବନେଶ୍ୱର : ପଛୁଆବର୍ଗ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ପୁଣି ବିଳମ୍ବ ହୋଇପାରେ ପୌରସଂସ୍ଥା ନିର୍ବାଚନ । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚନ ପାଇଁ କରାଯାଇଥିବା ଜାତିଭିତ୍ତିକ ଆସନ ସଂରକ୍ଷଣ ବ୍ୟବସ୍ଥାକୁ ଝଟକା ଲାଗିବା ପରେ ଏହାର ସିଧାସଳଖ ପ୍ରଭାବ ପୌର ନିର୍ବାଚନ ଉପରେ ପଡିବାକୁ ଯାଉଛି । ଫଳରେ ପୌର ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ରହିନପାରେ ।
ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଏକ ପ୍ରକାର ଚୂଡାନ୍ତ ହୋଇସାରିଥିବା ବେଳେ କେବଳ ବିଜ୍ଞପ୍ତି ପ୍ରକାଶ ବାକି ଥିଲା । ତେବେ ତାହା ପୂର୍ବରୁ ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗକୁ କେନ୍ଦ୍ରକରି ଓଡ଼ିଶା ହାଇକୋର୍ଟରେ କେତେଗୁଡିଏ ମାମଲା ରୁଜୁ ହୋଇଥିଲା । ନିକଟରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ପାଇଁ ସେଠାକାର ସରକାର କରିଥିବା ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଟପିବା ଅଭିଯୋଗ କରି ଅନେକ ଗୁଡିଏ ମାମଲା ସଂପୃକ୍ତ ରାଜ୍ୟର ହାଇକୋର୍ଟଗୁଡିକରେ ରୁଜୁ ହୋଇଥିଲା ଏବଂ ପରେ ଏହା ସୁପ୍ରିମକୋର୍ଟକୁ ଆସିଥିଲା ।
ସୁପ୍ରିମକୋର୍ଟ ମହାରାଷ୍ଟ୍ର ମାମଲାରେ ସ୍ଥାନ ସଂରକ୍ଷଣ ସୀମା ୫୦ ପ୍ରତିଶତକୁ ଟପି ପାରିବ ନାହିଁ ଏବଂ ପଛୁଆବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା କରିବା ପୂର୍ବରୁ ଅଦାଲତଙ୍କ ୨୦୧୦ ମସିହା ରାୟର ଅନୁପାଳନ କରି ଏହି ବର୍ଗଙ୍କ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରାଯାଇ ନଥିବାରୁ ସଂରକ୍ଷଣ ଦିଆଯାଇପାରିବ ନାହିଁ ବୋଲି କୋର୍ଟ ରୋକ୍ଠୋକ୍ ଭାବେ ଶୁଣାଇ ଦେଇଥିଲେ । ପରେ ପରେ ମଧ୍ୟପ୍ରଦେଶ ମାମଲାରେ ବି ସୁପ୍ରିମକୋର୍ଟ ଅନୁରୂପ ମତ ରଖିଛନ୍ତି ।
ଏହି ଦୁଇ ମାମଲାରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଆଖିଆଗରେ ରଖି ଓଡ଼ିଶା ସରକାର ପଛୁଆବର୍ଗଙ୍କ ପାଇଁ ପଞ୍ଚାୟତିରାଜ ନିର୍ବାଚନ ଲାଗି କରାଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ପ୍ରତ୍ୟାହାର କରିନେବା ପାଇଁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ତଦନୁଯାୟୀ ସାନି ବିଜ୍ଞପ୍ତି ପ୍ରକାଶ କରି ଜନଶୁଣାଣି ପରେ ଅନୁସୂଚୀତ ଜାତି ଓ ଜନଜାତି ବର୍ଗ ଏବଂ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରି ସରକାର ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇବେ ଏବଂ କମିଶନ ଆସନ୍ତା ମାର୍ଚ୍ଚ ୮ ତାରିଖ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସାରିବା ଲାଗି ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ପୌର ଓ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ରଖିବା ଲାଗି ରାଜ୍ୟ ସରକାର ଆଇନ ପ୍ରଣୟନ କରିଥିଲେ ଏବଂ ଅଦାଲତି ଝଟକା ଲାଗିବା ପରେ ପୁଣି ବିଧାନସଭାରେ ସ୍ୱତନ୍ତ୍ର ବିଲ୍ ଆଣି ଏହି ସଂରକ୍ଷଣ ସୀମାକୁ ହ୍ରାସ କରି ମୋଟ ଆସନ ସଂରକ୍ଷଣକୁ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିଥିଲେ । ତେବେ ପଛୁଆବର୍ଗଙ୍କ ସଂକ୍ରାନ୍ତରେ କ୍ୱାଣ୍ଟିଫିଏବୁଲ ଡାଟା ସଂଗ୍ରହ କରାଯାଇନଥିବାରୁ ରାଜ୍ୟ ସରକାର ଏବେ ଏହି ନିର୍ବାଚନ ଲାଗି ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ନ ରଖି ଆଗକୁ ବଢ଼ୁଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ତଥ୍ୟ ସଂଗ୍ରହ ହେବା ପରେ ପଛୁଆବର୍ଗଙ୍କ ପାଇଁ କେତେ ପ୍ରତିଶତ ଆସନ ସଂରକ୍ଷିତ ରହିବ ସେ ସଂକ୍ରାନ୍ତରେ ପୁଣି ଆଇନ ପ୍ରଣୀତ ହେବ ।
ଇତିମଧ୍ୟରେ କେନ୍ଦ୍ର ସରକାର ଏବଂ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କ ରାୟ ଉପରେ ରିଭ୍ୟୁ ପିଟିସନ ଦାଖଲ କରିବା ଲାଗି ପ୍ରସ୍ତୁତ ହେଉଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଆଇନ ବିଶାରଦମାନେ କହୁଛନ୍ତି ଯେ ଓଡ଼ିଶା ସରକାର ଚାହିଁଲେ ଏ ପ୍ରସଙ୍ଗ ସୁପ୍ରିମକୋର୍ଟରେ ଉଠାଇପାରିବେ ।
ଅନ୍ୟପକ୍ଷରେ ଚାକିରି କ୍ଷେତ୍ରରେ ମୋଟ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖି କେନ୍ଦ୍ର ସରକାର ପଛୁଆବର୍ଗଙ୍କ ଲାଗି ୨୭ ପ୍ରତିଶତ ଆସନ ସଂରକ୍ଷିତ ରଖିଛନ୍ତି । ଓଡ଼ିଶା ସରକାର ଚାକିରି ଲାଗି ଏସ୍ସି ଓ ଏସ୍ଟିଙ୍କ ପାଇଁ ଜନସଂଖ୍ୟା ଅନୁପାତରେ ୩୮.୭୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିଥିବା ବେଳେ ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାରୁ ତାହା ୫୦ ପ୍ରତିଶତ ସୀମା ଅତିକ୍ରମ କରିଯାଇଥିଲା ଏବଂ ପରେ ଏହାକୁ ଅଦାଲତ ଅଗ୍ରାହ୍ୟ କରିବାରୁ ସରକାର ବାଧ୍ୟ ହୋଇ ଏସଇବିସିଙ୍କ ସଂରକ୍ଷଣ ସୀମା ୧୧.୨୫ ପ୍ରତିଶତରେ ସୀମିତ ରଖିଛନ୍ତି । ତେବେ ଏଯାବତ କ୍ୱାଣ୍ଟିଫିଏବୁଲ ଡାଟା ସଂଗୃହୀତ ହୋଇନାହିଁ ।

