ଭୁବନେଶ୍ୱର : ପୌର ସଂସ୍ଥା ହସ୍ତାନ୍ତର କରୁଥିବା ରାସ୍ତାକୁ ପୂର୍ତ୍ତ ବିଭାଗ ଗ୍ରହଣ କରୁନଥିବା ଯୋଗୁଁ ବହୁ ସ୍ଥାନରେ ରାସ୍ତାଗୁଡିକର ମରାମତି ହୋଇପାରୁ ନାହିଁ । ଏଭଳି କେତେକ ରାସ୍ତାକୁ ପୂର୍ତ୍ତ ବିଭାଗ କିମ୍ବା ପୌରସଂସ୍ଥା କେହି ହେଲେ ରକ୍ଷଣା ବେକ୍ଷଣ କରୁନାହାନ୍ତି ।
ପୌରାଞ୍ଚଳଗୁଡିକରେ ଏଭଳି ଖାଲଖମା ରାସ୍ତା ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ଭାରତର ମହା ଲେଖାକାର (ସିଏଜି) । ଓଡିଶା ବିଧାନସଭାରେ ସଦ୍ୟ ଉପସ୍ଥାପିତ ସିଏଜି ରିପୋର୍ଟରେ ଏଭଳି କେତେକ ପୌରାଞ୍ଚଳ ରାସ୍ତାର ସଚିତ୍ର ସୂଚନା ପ୍ରଦାନ କରାଯାଇଛି ।
ଏଥିରେ ଦର୍ଶାଯାଇଛି ଯେ ୭୪ତମ ସମ୍ବିଧାନ ସଂଶୋଧନ ଅନୁଯାୟୀ ପୌରସଂସ୍ଥାଗୁଡିକୁ ରାସ୍ତା ଓ ସେତୁ କାର୍ଯ୍ୟ କରିବାକୁ ପଡିବ । ତେବେ ରାଜ୍ୟ ସକାର ସମୟ ସମୟରେ ବିଜ୍ଞପ୍ତି ମାଧ୍ୟମରେ ପୌରସଂସ୍ଥା ଦ୍ୱାରା ସମ୍ପାଦିତ ହେଉଥିବା କୌଣସି ସାର୍ବଜନୀନ ରାସ୍ତାକୁ ବାଦ୍ ଦେଇ ମରାମତି ଏବଂ ଉତ୍ତମ ରକ୍ଷଣା ବେକ୍ଷଣ ପାଇଁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିପାରିବେ ।
ତେବେ ଅଡିଟ୍ ସମୟରେ ଜଣାପଡିଲା ଯେ ପୌରାଞ୍ଚଳଗୁଡିକର ସୁପାରିଶ୍ ଯୋଗୁଁ ଗୃହ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ୪୦ଟି ପୌରସଂସ୍ଥାର ୨୨୧ଟି ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଥିଲୋ ଏଥି ମଧ୍ୟରୁ ପୂର୍ତ୍ତ ବିଭାଗ ୧୦୮ଟି ରାସ୍ତାକୁ ନେବାପାଇଁ ରାଜି ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ୨୦ଟି ପୌରସଂସ୍ଥାର ନମୂନା ଯାଞ୍ଚ ସମୟରେ ଜଣାଗଲା ଯେ ୧୪ଟି ପୌରସଂସ୍ଥାର୯୮ଟି ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିବାବେଳେ ୪୨ଟିକୁ ପୂର୍ତ୍ତ ବିଭାଗ ଗ୍ରହଣ କରିଥିଲା ।
ଯେଉଁ ରାସ୍ତାଗୁଡିକୁ ପୂର୍ତ୍ତ ବିଭାଗ ଗ୍ରହଣ କରିନଥିଲା ସେଗୁଡିକର ରକ୍ଷଣା ବେକ୍ଷଣ ପୌରସଂସ୍ଥା ଦ୍ୱାରା ହେବା ଆବଶ୍ୟକ ଥିଲା । ହେଲେ ପୌରସଂସ୍ଥାଗୁଡିକ ତାହା କରିନଥିଲେ । ଏଥି ମଧ୍ୟରୁ ସିଏଜି ୪ଟି ରାସ୍ତା ଯଥା କେନ୍ଦ୍ରାପଡା ପୌରପାଳିକାର ତିନିମୁହାଣି ଠାରୁ ଇଚ୍ଛାପୁର, ବ୍ୟାସନଗର ପୌରପାଳିକାର ଧବଳଗିରି ଛକ ଠାରୁ ମୁଣ୍ଡମାଳ ନିକଟରେ ଜୋଦାବର ଗାଁ ମଧ୍ୟ ଦେଇ ବ୍ୟାସ ସରୋବର ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତା, ବ୍ରହ୍ମପୁର ମହାନଗର ନିଗମରେ ଥିବା କଂଗ୍ରେସ ଭବନ ଛକ ଠାରୁ ବିଜିପୁର ଛକ ପର୍ଯ୍ୟନ୍ତ ରାସ୍ତା ଓ ଭଦ୍ରକ ପୌରପାଳିକାର ୧୬ ନମ୍ବର ଜାତୀୟ ରାଜପଥରୁ ଶନିମନ୍ଦିର ପର୍ଯ୍ୟନ୍ତ ନୂତନ ବସଷ୍ଟାଣ୍ଡ ଦେଇ ଯାଇଥିବା ରାସ୍ତା ସଂକ୍ରାନ୍ତରେ ଉଲ୍ଲେଖ କରିଛନ୍ତି ।
ଏହିସବୁ ରାସ୍ତାକୁ ନା ପୌରସଂସ୍ଥା ମରାମତି କରୁଛି ନା ପୂର୍ତ୍ତ ବିଭାଗ । ଫଳରେ ଏହି ରାସ୍ତାଗୁଡିକ କିଭଳି ଖାଲଖମାରେ ଭର୍ତ୍ତି ତାହାର ସିଏଜି ତାହାର ସଚିତ୍ର ସୂଚନା ପ୍ରଦାନ କରିଛନ୍ତି । ଏହି ରାସ୍ତାର ହସ୍ତାନ୍ତର ପ୍ରସ୍ତାବ ଦିଆଯିବାର ଇତି ମଧ୍ୟରେ ୨ରୁ ୮ବର୍ଷ ବିତି ଯାଇଥିଲେ ମଧ୍ୟ କେହି ହେଲେ ଏହାର ରକ୍ଷଣା ବେକ୍ଷଣ କରୁନାହାନ୍ତି । ହେଲେ ରାଜ୍ୟ ସରକାର ସିଏଜିଙ୍କୁ ଦେଇଥିବା ସୂଚନାରେ ଦର୍ଶାଇଛନ୍ତି ଅର୍ଥ କମିଶନ ଠାରୁ ପ୍ରାପ୍ତ ଅନୁଦାନ ଏବଂ ନିଜସ୍ୱ ପାଣ୍ଠିକୁ ବ୍ୟବହାର କରି ପୌରସଂସ୍ଥାଗୁଡିକ ସହରାଞ୍ଚଳ ରାସ୍ତାଗୁଡିକୁ ପର୍ଯ୍ୟାୟକ୍ରମେ ରକ୍ଷଣା ବେକ୍ଷଣ ଓ ମରାମତି କରୁଛନ୍ତି । (ତଥ୍ୟ)