Home Culture ପୌରାଞ୍ଚଳରେ ଓଡ଼ିଆ ଭାଷା ସମ୍ମିଳନୀ

ପୌରାଞ୍ଚଳରେ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର : ରାଜ୍ୟର ସମସ୍ତ ପୌରାଞ୍ଚଳ ମାନଙ୍କରେ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରିବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି l ଏ ନେଇ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ମହାନଗର ନିଗମର କମିଶନର ଏବଂ ପୌର ପରିଷଦ ଓ ଏନ୍ ଏ ସିର ନିର୍ବାହୀ ଅଧିକାରୀ ମାନଙ୍କୁ ପତ୍ର ଲେଖିବା ସହ ଆବାସି ମାଧ୍ୟମରେ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି I

ଶ୍ରୀ ନାୟକ ଲେଖିଥିବା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ୱରଠାରେ ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବା ବାବଦରେ ଆପଣମାନେ ସମସ୍ତେ ଅବଗତ ଅଛନ୍ତି । ଭୁବନେଶ୍ୱରଠାରେ ଅନୁଷ୍ଠିତ ହେଉଥିବା ଏହି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ବ୍ୟାପକ କରିବା ନିମନ୍ତେ ସବୁ ସହରାଞ୍ଚଳ , ସ୍ୱାୟତ୍ତ ଶାସନ ସଂସ୍ଥାମାନଙ୍କରେ ଏହା ପାଳନ କରିବାର ଆବଶ୍ୟକତା ରହିଛି । ଏହି ଆୟୋଜନ ନିମନ୍ତେ ନିମ୍ନଲିଖିତ କାର୍ଯ୍ୟକ୍ରମଗୁଡ଼ିକ ଗ୍ରହଣ କରାଯାଇପାରେ ବୋଲି ସେ ପରାମର୍ଶ ଦେଇଛନ୍ତି l

ବ୍ୟାପକ ସଚେତନତା ନିମନ୍ତେ ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ଅବଦାନ ରଖିଥିବା ପ୍ରସିଦ୍ଧ କବି, ଲେଖକ ଓ ଭାଷାବିତ୍‌ଙ୍କ ପରି ଓଡ଼ିଆ ବ୍ୟକ୍ତିତ୍ୱମାନଙ୍କ ଚିତ୍ର / ଛବିର ପେଣ୍ଟିଂ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ପ୍ରମୁଖ ସ୍ଥାନଗୁଡ଼ିକରେ ରଖାଯାଇପାରେ ।  ଓଡ଼ିଆ ଗବେଷକ, ବିଦ୍ୱାନ ଓ ବୁଦ୍ଧିଜୀବୀମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ସମ୍ବର୍ଦ୍ଧିତ କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରେ ।  ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ତର୍କ, ପ୍ରବନ୍ଧ ଓ ତତ୍କାଳ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇପାରେ ।

ସମ୍ମିଳନୀର ଯଥାର୍ଥ ଆୟୋଜନକୁ ଦୃଷ୍ଟିରେ ରଖି ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ବିଭିନ୍ନ ୱାର୍ଡରେ ଓଡ଼ିଆ ଅସ୍ମିତା ରଥର ପରିକ୍ରମା କରାଯାଇପାରେ ।ଓଡ଼ିଆରେ ସାଇନ୍‌ବୋର୍ଡ/ବିଲ୍‌ବୋର୍ଡ/ ହୋର୍ଡିଂଗୁଡ଼ିକ ଲେଖାଯିବା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରାଯାଇପାରେ ।

ଏପରି କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନକୁ ସୁନିଶ୍ଚିତ କରିବା ନିମନ୍ତେ ଏବଂ ସଂପୃକ୍ତ କାର୍ଯ୍ୟକ୍ରମର ବିବରଣୀ ଓ ଉଚ୍ଚ ମାନର ( ହାଇ ରିଜୋଲୁସନ୍‌) ଫଟୋଗୁଡ଼ିକ ଏହି ବିଭାଗର ଅବଗତି ତଥା ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଠାଇବାକୁ ପୌର ନିର୍ଦ୍ଦେଶକ ଶ୍ରୀ ନାୟକ ଲେଖିଥିବା ପତ୍ରରେ ଅନୁରୋଧ କରିଛନ୍ତି l                  

ଏ ନେଇ ଆଭାସୀ ଆଲୋଚନା କାଳରେ ସମସ୍ତ ପୌର ପରିଷଦ ଏହି ଆଲୋଚନା ରେ ଯୋଗଦାନ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ରକ୍ଷା କରିବା ନିମନ୍ତେ ସେମାନଙ୍କ ପ୍ରତିବଦ୍ଧତା ଜଣାଇଥିଲେ l