ଭୁବନେଶ୍ୱର : ଗାଡି ଚାଳକଙ୍କ ଠାରୁ ଜୋରିମାନା ଅର୍ଥ ଡିଜିଟାଲ ଉପାୟରେ ଆଦାୟ କରିବାପାଇଁ ପୁଲିସ୍ ଅମଙ୍ଗ । ପୁଲିସ୍ ନିକଟରେ ଏଥିପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପୋସ୍ ମେସିନ୍ ରହିଥିଲେ ତାହାକୁ ବାହାର କରିବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଗାଡି ଚାଳକମାନଙ୍କ ଠାରୁ ଡିଜିଟାଲ ଉପାୟରେ ଜୋରିମାନା ଅର୍ଥ ଆଦାୟ ପାଇଁ ପୁଲିସ୍ ବିଭାଗକୁ ପରିବହନ କର୍ତ୍ତୃପକ୍ଷ ୯୦୦ରୁ ଅଧିକ ପୋସ୍ ମେସିନ ଯୋଗାଇ ଦେଇଛନ୍ତି । ଏହି ମେସିନ୍ ଜରିଆରେ ଉଭୟ କାର୍ଡ ଏବଂ ୟୁପିଆଇ ଜରିଆରେ ଅର୍ଥ ପଇଠ କରିହେବ । ପରିବହନ ବିଭାଗ ମଧ୍ୟ ନିଜ ପାଖରେ ୨୫୧ଟି ମେସିନ୍ ରଖିଛି ।
ତେବେ ପୋସ୍ ମେସିନ୍ ଥିବାସତ୍ୱେ ପୁଲିସ୍ କର୍ତ୍ତୃପକ୍ଷ କିନ୍ତୁ ନଗଦ ଆଦାୟକୁ ଅଗ୍ରାଧିକାର ଦେଉଛନ୍ତି । ଯିଏ ଡିଜିଟାଲ ପଦ୍ଧତିରେ ଅର୍ଥ ଦେବାକଥା କହୁଛନ୍ତି ତାକୁ ନାଲିଆଖି ଦେଖାଇବାକୁ ପଛାଉ ନାହାନ୍ତି । ନିକଟରେ ଖୋଦ୍ ରାଜଧାନୀରେ ନଗଦ ଅର୍ଥ ନଥିବାରୁ ଜଣେ ବକ୍ତିଙ୍କ ଛୋଟି ପିଲାଟିକୁ ଚାରିଚକିଆ ଯାନ ଭିତରେ ଭୋକ ଉପାସରେ ଅଟକ ରଖି ପୁଲିସ୍ କର୍ମଚାରୀମାନେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି । ସେହି ଗାଡିର ଡ୍ରାଇଭର ଜୋରିମାନା ଅର୍ଥ ଡିଜିଟାଲ ଉପାୟରେ ଦେବାକୁ କହିଥିଲେ ମଧ୍ୟ ପୁଲିସ୍ ବାବୁମାନେ ଶୁଣିନଥିଲେ ।
ପ୍ରାୟ ତିନି ବର୍ଷ ହେଲା ପରିବହନ ଓ ପୁଲିସ୍ ବିଭାଗ ଏହି ପୋସ୍ ମେସିନ୍ ପାଇଥିଲେ ମଧ୍ୟ ଅଳ୍ପ ମେସିନ୍ରେ ପରିବହନ ବିଭାଗ ଅଧିକଅର୍ଥ ଆଦାୟ କରିଛି । ପରିବହନ ବିଭାଗ ଏହି ସମୟ ମଧ୍ୟରେ ୧୭୦ କୋଟି ଟଙ୍କାର ଅଧିକ ଅର୍ଥ ଆଦାୟ କରିଥିବାବେଳେ ପୁଲିସ୍ କର୍ତ୍ତୃପକ୍ଷ ୨୯କୋଟି ଟଙ୍କାରୁ କମ୍ ଅର୍ଥ ଆଦାୟ କରିଛନ୍ତି ।
ଉଲ୍ଲେଖନୀୟ ଯେ ପୋସ୍ ମେସିନ୍ରେ ଅର୍ଥ ଆଦାୟକଲେ ତାହା ସିଧାସଳଖ ରାଜକୋଷକୁ ଯିବ । ଏଥିରେ ପୁଲିସ୍ ବାବୁମାନଙ୍କ ହାତରେ ଟଙ୍କାଟିଏ ବି ଲାଗିବ ନାହିଁ । ତେଣୁ କମିଶନରେଟ ପୁଲିସ୍ କ’ଣ ପାଇଁ ପୋସ୍ ମେସିନ୍କୁ ଅଧିକ ଭାବେ ବ୍ୟବହାର କରୁନାହିଁ ଏଥିରୁ ତାହା ସହଜରେ ଅନୁମେୟ ବୋଲି ଜୋରିମାନା ଗଣିଥିବା କିଛି ବ୍ୟକ୍ତି ମତ ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ହେଲମେଥ୍ ନଥିବା ହେଉ କିମ୍ବା ଜେବ୍ରା କ୍ରସିଂ ଡିଆଁ ହେଉ ପୁଲିସ୍ ବାବୁମାନଙ୍କ ନିକଟରେ ଜୋରିମାନା ପଇଠପାଇଁ ପହଁଚିଲେ ସେମାନେ ସିଧାସଳଖ ନଗଦ ମାଗୁଛନ୍ତି । ପୋସ୍ ମେସିନ୍ ରହିଥିବାର କୌଣସି ସୂଚନା ବି ଦେଉ ନାହାନ୍ତି । ତେଣୁ ପୁଲିସ୍ କମିଶନର ଏହା ଉପରେ ନଜର ଦେବାପାଇଁ ଏବେ ସାଧାରଣରେ ମତ ପ୍ରକାଶ ପାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜିଟାଲ ନେଣ ଦେଣ ଉପରେ ଜୋର ଦେବା ସହିତ ପ୍ରୋତ୍ସାହିତ କରୁଥିବାବେଳେ କମିଶନରେଟ ପୁଲିସ୍ ପାଇଥିବା ପୋସ୍ ମେସିନକୁ ବାହାର ନକରିବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । (ତଥ୍ୟ)