ଭୁବନେଶ୍ୱର : ଉତ୍ତର ଓଡ଼ିଶାରେ ଏବେ ମକର ପର୍ବ ଓ ଦକ୍ଷିଣ ଓଡ଼ିଶାରେ ପୋଙ୍ଗଲ ଧୁମ୍ଧାମ୍ରେ ପାଳିତ ହେଉଥିବା ପରିପ୍ରେକ୍ଷୀରେ ମଦ ବେପାର ଢେର ଅଧିକ ବଢ଼ିଯାଇଛି । ଏହି ପର୍ବ ପାଳନକୁ ଆଖି ଆଗରେ ରଖି ଚୋରା ମଦ ବେପାରୀମାନେ ପୂର୍ବରୁ ଯେଉଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବେ ସେଥିରୁ ମୁନାଫା ଉଠାଉଛନ୍ତି । ଏଥିସହ ତାଳ ଦେଇ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକରେ ବି ବେପାର ଜମିବାରେ ଲାଗିଛି ।
ମକର ସଂକ୍ରାନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ଏହାକୁ ଗଭୀର ଆଧ୍ୟାତ୍ମିକାର ସହ ସାରା ରାଜ୍ୟରେ ପାଳନ କରାଯାଇଥାଏ । ଏଥିଲାଗି ଘରେଘରେ ମକର ଚାଉଳ, ସଂକ୍ରାନ୍ତି ହୋମ ଆଦି କରାଯିବା ସହିତ ମନ୍ଦିରମାନଙ୍କରେ ବି ଢେର ଭିଡ଼ ଜମିଥାଏ । ଏହି ପର୍ବରେ ଆଗରୁ ନିଶା ସେବନ କଥା ଚିନ୍ତା କରାଯାଉନଥିଲା । ଏବେ କିନ୍ତୁ ସମୟ ବଦଳିବା ସହିତ ଆଧ୍ୟାତ୍ମିକ ବାତାବରଣକୁ ନଗଣ୍ୟ କରି ବିଭିନ୍ନ ଅଞ୍ଚଳରେ ଗୀତନାଚର ଆସର ସହିତ ନିଶାର ବ୍ୟବହାର ଅଧିକ ପରିମାଣରେ ହେଉଛି ।
ଏଠାରେ ଉଲ୍ଲେଖନୀୟ ଯେ ଗତ ବର୍ଷର ଶେଷ ସପ୍ତାହରେ କେବଳ ରାଜଧାନୀ ଭୁବନେଶ୍ୱରରେ ୩୨ କୋଟି ଟଙ୍କାର ଅଧିକ ମୂଲ୍ୟର ମଦ ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନଗୁଡ଼ିକରେ କାରବାର ହୋଇଥିବା ସରକାରୀ ସୂତ୍ରକୁ ଉଦ୍ଧାର କରି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏବେ ଉତ୍ତର ଓଡ଼ିଶା ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ମକର ପର୍ବ ପାଳିତ ହେଉଛି । ଏହି ଅବସରରେ ପ୍ରାୟ ପ୍ରତି ପରିବାର ଉତ୍ସବମୁଖର ହୋଇଉଠିଛି । ଗାଁ ଗାଁରେ ନାଚଗୀତ ଚାଲୁଛି । ଏଥିସହ ଭୋଜିଭାତ ବି ଜମୁଛି । ବିଶେଷକରି ଉତ୍ତର ଓଡ଼ିଶାର ଆଦିବାସୀ ସଂପ୍ରଦାୟ ମକର ପର୍ବକୁ ଶ୍ରେଷ୍ଠ ପର୍ବ ଭାବେ ପାଳନ କରିବାର ପରମ୍ପରା ବର୍ଷବର୍ଷ ଧରି ଗଡ଼ିଆସୁଛି । ତେବେ କିଛିବର୍ଷ ଧରି ଏହି ପ୍ରତିପାଳନ ସମୟରେ ବ୍ୟାପକ ମଦ କାରବାର ହେଉଛି ।
ତେଲଗୁ ସଂପ୍ରଦାୟର ମହାପର୍ବ ପୋଙ୍ଗଲ ବି ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇଥାଏ । ଏହି ପର୍ବ ମଧ୍ୟ ୩/୪ଦିନ ଧରି ଚାଲେ । ଏଥିଲାଗି ଘରେଘରେ ପୂଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ । ନାଚଗୀତରେ ମାହୋଲ ଜମୁଥିବାବେଳେ ସେଥିରେ କିଛିବର୍ଷ ଧରି ଅନେକ ସ୍ଥାନରେ ମଦର ବନ୍ୟା ଛୁଟୁଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି ।
ଏମିତିକି ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିକ୍ଷିପ୍ତ ଭାବେ ପୋଙ୍ଗଲ ଓ ମକର ପର୍ବ ପାଳନ କରାଯାଉଛି । ଏହି ଅବସରରେ ଦରିଦ୍ରତମ ଲୋକମାନେ ବି ସାହୁକାରଙ୍କଠାରୁ କରଜ ଆଣି ଉତ୍ସବ ମନାଇବାକୁ ପଛାଇ ନଥାନ୍ତି । ତେବେ ଆଗରୁ ଆଦିବାସୀ ବହୁଳ ଅଞ୍ଚଳରେ ହାଣ୍ଡିଆ ମହୁଲି ଭଳି ଘର ରନ୍ଧା ମଦ ବ୍ୟବହୃତ ହେଉଥିବାବେଳେ ଏବେ ବିଭିନ୍ନ ବ୍ରାଣ୍ଡର ଅସଲି ଓ ନକଲି ଦେଶୀ ବିଦେଶୀ ମଦର ପ୍ରାବଲ୍ୟ ବୃଦ୍ଧି ପାଉଛି । ଯେଉଁସବୁ ଜିଲ୍ଲାରେ ପୋଙ୍ଗଲ-ମକର ପର୍ବ ଆଦି ପାଳିତ ହେଉଛି ସେ ସମସ୍ତ ଜିଲ୍ଲା କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନରେ ଅର୍ନ୍ତଭୁକ୍ତ ହୋଇଛନ୍ତି । ଏହି ଜିଲ୍ଳାଗୁଡ଼ିକୁ ନିଶାମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି । ଅଥଚ ଲୋକଙ୍କ ହାତ ପାହାନ୍ତାରେ ମଦ ଓ ଅନ୍ୟାନ୍ୟ ନିଶା ଭଳି ବିପଜ୍ଜନକ ସାମଗ୍ରୀ ସହଜରେ ଉପଲବ୍ଧ ହେଉଥିବାରୁ ଏହି ଅଭିଯାନରୁ ଯେତେ ସୁଫଳ ମିଳିବା କଥା ତାହା ମିଳିପାରୁ ନାହିଁ ।(ତଥ୍ୟ)

