ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ପୋଖରୀ ପୁନରୁଦ୍ଧାର ଯୋଜନା ବାଟବଣା । ପୌରସଂସ୍ଥାଗୁଡିକ ଏଥିପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି । ଖୋଦ୍ ରାଜଧାନୀରେ ବି ପୋଖରୀ ପୁନରୁଦ୍ଧାର ହୋଇପାରୁ ନାହିଁ । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ବିଏମସିକୁ ତାଗିଦା କରିବା ସହିତ ଆସନ୍ତାମାସ ୫ ତାରିଖ ସୁଦ୍ଧା କାର୍ଯ୍ୟ ଅଗ୍ରଗତି ସଂକ୍ରାନ୍ତରେ ଜଣାଇବାକୁ ବିଏମସି କମିଶନରଙ୍କୁ ପତ୍ର ଲେଖାଯାଇଛି ।
ବିଭାଗ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛି ଯେ ରାଜଧାନୀରେ ୬୭ଟି ପୋଖରୀର ପୁନରୁଦ୍ଧାର ପାଇଁ ଡିପିଆର ପ୍ରସ୍ତୁତ ହୋଇଥିବାବେଳେ ବିଭିନ୍ନ କାରଣ ପାଇଁ ଏଥିରୁ ୫ଟିକୁ ବାଦ୍ ଦିଆଯାଇଥିଲା । ତେବେ ଅମୃତ ଯୋଜନାରେ ୩୨ଟି ପୋଖରୀ କାର୍ଯ୍ୟ ହାତକୁ ନିଆଯାଇଥିଲା । ଏଥିରୁ ମାତ୍ର ୧୭ଟି ପୋଖରୀର କାର୍ଯ୍ୟ ହୋଇଥିବା ଜଣାଯାଇଛି । ତେବେ ଦୁଇବର୍ଷ ପରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ସରୁନାହିଁ । ଉଭୟ ଅମୃତ ୨.୦ ଓ ଅଣଅମୃତ ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଏବେ ଅଧାପନ୍ତରିଆ ରହିଛି ।
ତେବେ ଅମୃତ ୨.୦ ଯୋଜନାରେ ହାତକୁ ନିଆଯାଇଥିବା ୭ଟି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫ଟିର କାର୍ଯ୍ୟ ସରିପାରିନାହିଁ । ଯୋଜନା କାର୍ଯ୍ୟକାରୀରେ ବିଳମ୍ବକୁ ଏହା ଦର୍ଶାଉଛି । ୨୦୨୭ ମାର୍ଚ୍ଚ ରେ ଅମୃତ ୨.୦ ଯୋଜନା ଅବଧି ସରିବାକୁ ଯାଉଛି । ଏହି ଯୋଜନାର ଅବଧି ଆଉ ବଢିବାକୁ ନଥିବାରୁ ଏଭଳି ମନ୍ଥର କାର୍ଯ୍ୟ ଏବେ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି ।
ସେହିଭଳି ଅନ୍ୟ ପୋଖରୀଗୁଡିକର ରକ୍ଷଣା ବେକ୍ଷଣ ଓ ପରିଚାଳନା ନେଇ କୌଣସି କାର୍ଯ୍ୟାଦେଶ ଜାରି ହୋଇନାହିଁ । ପୌରସଂସ୍ଥାଗୁଡିକର ଦୁର୍ବଳ ପ୍ରଦର୍ଶନ ଏବେ ସ୍ଥିତିକୁ ବିଗାଡିବାରେ ଲାଗିଛି । କେବଳ ପୋଖରୀ ପୁନରୁଦ୍ଧାରେ ବିଳମ୍ବ ନୁହେଁ, ଏ ସଂକ୍ରାନ୍ତରେ ଡକାଯାଉଥିବା ବୈଠକରେ ଅଧିକାରୀମାନେ ଉପସ୍ଥିତ ରହୁନାହାନ୍ତି କି ଏ ସଂକ୍ରାନ୍ତୀୟ କୌଣସି କାଗଜପତ୍ର ଦାଖଲ କରୁନାହାନ୍ତି । ଯାହା ଏବେ ରାଜ୍ୟରେ ଅମୃତ ୨.୦ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି କଲାଣି ।
କେବଳ ବିଏମସି ଅଞ୍ଚଳରେ ନୁହେଁ, ରାଜ୍ୟର ସମସ୍ତ ପୌରାଞ୍ଚଳରେ ପୋଖରୀ ପୁନରାଦ୍ଧାର ଯୋଜନାରେ ଏଭଳି ଧିମାଗତି ପରିଲକ୍ଷିତ ହୋଇଛି । ନିକଟରେ ଅମୃତ ୨.୦ ଯୋଜନା କାର୍ଯ୍ୟକାରିତାରେ ଓଡିଶା ଏକ ନମ୍ବର ହୋଇଥିବା ନେଇ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଥିଲା । ହେଲେ ଏହା ପରେ ପରେ ଖୋଦ୍ ବିଭାଗ ପକ୍ଷରୁ ପୌରସଂସ୍ଥାଗୁଡିକୁ ତାଗିଦା ପତ୍ର ଜାରି ହେବା ଏବେ ଏହି ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଉଲ୍ଲେଖନୀୟ ଯେ ରାଜ୍ୟର ସହରାଞ୍ଚଳରେ ଭୂତଳ ଜଳସ୍ତର ରିଚାର୍ଜ, ଜଳାଶୟ ପୁନରୁଦ୍ଧାର ଜରିଆରେ ଜୈବ ବିବିଧତାରେ ସନ୍ତୁଳନ ସହିତ ଏକ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ପାଇଁ ଅବହେଳିତ ହୋଇପଡିଥିବା ଜଳାଶୟଗୁଡିକର ପୁନରୁଦ୍ଧାର ପାଇଁ ଅମୃତ ଯୋଜନାରେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ହେଲେ ପୌରସଂସ୍ଥାଗୁଡିକର ଏ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ଏବେ ଯୋଜନାର କାର୍ଯ୍ୟକାରିତା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । (ତଥ୍ୟ)

