ଭୁବନେଶ୍ୱର : ଓଡିଶାର ବିଧାୟକମାନଙ୍କ ଭତ୍ତା ଓ ପୂର୍ବତନ ବିଧାୟକମାନଙ୍କ ପେନ୍ସନ ବୃଦ୍ଧି ପ୍ରସଙ୍ଗରେ ସର୍ବସାଧାରଣରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହେଉଥିବାବେଳେ ଅଧିକାଂଶ ବିଧାୟକ ଓ ପୂର୍ବତନ ବିଧାୟକ କିନ୍ତୁ ନିରବ ରହୁଛନ୍ତି । ତେବେ ଅତୀତରେ ଯେତେବେଳେ ପୂର୍ବତନ ବିଧାୟକଙ୍କ ପାଇଁ ପେନ୍ସନ ନିୟମ ଲାଗୁ କରାଗଲା ସେ ସମୟରେ କିଛି ବିଧାୟକ ଏହା ଗ୍ରହଣ କରିବାକୁ ରୋକ୍ଠୋକ୍ ଭାବେ ମନକରିବା ସହିତ କର୍ତ୍ତୃପକ୍ଷଙ୍କ ବୁଝାସୁଝା ସତ୍ୱେ ବି ପେନ୍ସନ ନେଇନଥିବାର ନଜିର ରହିଛି ।
ଏଭଳି ଦୁଇଜଣ ପୂର୍ବତନ ବିଧାୟକ ହେଉଛନ୍ତି ଜୟକୃଷ୍ଣ ମହାନ୍ତି ଓ କିରଣ ଲେଖା ମହାନ୍ତି । ଜୟକୃଷ୍ଣ ମହାନ୍ତି ୧୯୪୬ ମସିହାରୁ ୧୯୫୭ ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟ ଥିଲେ ଏବଂ ସେ ମୁଖ୍ୟ ସଚେତକ ଭଳି ଦାୟିତ୍ୱ ନିର୍ବାହ କରୁଥିବାବେଳେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଓଡିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ଦରମା ଓ ଭତ୍ତା ଆଇନ୍ ୧୯୫୪ରେ ଲାଗୁ ହୋଇଥିଲା । ସେହି ସମୟରେ ବି ଓଡିଆକୁ ସରକାରୀ ଭାଷା ଆଇନ୍, ଓଡିଶା ନିଶା ନିବାରଣ ଆଇନ୍, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଆଇନ୍, ଭାଗଚାଷୀ ଆଇନ୍, ଅଞ୍ଚଳ ଶାସନ ଆଇନ୍ ଆଦି ଅନେକ କ୍ରାନ୍ତିକାରୀ ବିଧି ବ୍ୟବସ୍ଥା ପ୍ରଣୟନ କରାଯାଇଥିଲା ।
୧୯୪୬ରୁ ଜୟକୃଷ୍ଣ ମହାନ୍ତି ଅବିଭକ୍ତ କାକଟପୁର, ଗୋପ, କୋଣାର୍କ ଆଦି ଅଞ୍ଚଳର ବିଧାୟକ ଥିଲେ, ଯେଉଁ ସମୟରେ ବିଧାନସଭାର ନିର୍ବାଚିତ ସଦସ୍ୟଙ୍କ ସଂଖ୍ୟା ୫୬ ରହିଥିଲା । ସମ୍ବିଧାନ ଲାଗୁହେବାପରେ ସେ ୧୯୫୨ରେ ପିପିଲି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ଏହି ବରିଷ୍ଠ କଂଗ୍ରେସନେତା ସ୍ୱାଧୀନତା ଆନ୍ଦୋଳନ ସମୟରେ ବାରମ୍ବାର କାରାବରଣ କରିବା ସହିତ ସେତେବେଳେ କଂଗ୍ରେସ ସଂଗଠନ ଦାୟିତ୍ୱରେ ଥିଲେ । ବିଧାନସଭା ସଦସ୍ୟଭାବେ ଜୟକୃଷ୍ଣ ମହାନ୍ତି ଯେଉଁ ଅର୍ଥ ପାଉଥିଲେ ତାହାକୁ କଂଗ୍ରେସକୁ ଦାନକରି ଦେଉଥିଲେ ଏବଂ ପରିବାର ପ୍ରତିପୋଷଣ ପାଇଁ ଦଳ ପକ୍ଷରୁ ଯେତିକି ଅର୍ଥ ମିଳୁଥିଲା ସେଥିରେ ସେ କଷ୍ଟେ ମଷ୍ଟେ ଚଳୁଥିଲେ ।
କିରଣଲେଖା ମହାନ୍ତି ଥିଲେ ଜୟକୃଷ୍ଣଙ୍କ ସହଧର୍ମୀଣୀ । ବରି ସେବାଘରରେ ମା’ ରମାଦେବୀଙ୍କ ଦ୍ୱାରା ସେ ବଢିଥିଲେ ଏବଂ ୧୯୪୨ର ଭାରତଛାଡ ଆନ୍ଦୋଳନବେଳେ ଅଭୂତପୂର୍ବ ସାହସିକାର ପରିଚୟ ଦେଇ କାରାବରଣ କରିଥିଲେ । ମାଳତୀ ଚୌଧୁରୀ ବାଜିରାଉତ ଛାତ୍ରାବାସ ଆରମ୍ଭ କରିବାବେଳେ କିରଣଲେଖା ତାହାର ଅନ୍ୟତମ ତତ୍ୱାବଧାରିକା ଥିଲେ । ଜୟକୃଷ୍ଣ ବି ଉତ୍କଳ ନବଜୀବନମଣ୍ଡଳ, ଉତ୍କଳ ଖଦିମଣ୍ଡଳ, ଗାନ୍ଧୀ ସ୍ମାରକନିଧି, ସର୍ବୋଦୟ ରିଲିଫ କମିଟି ଆଦି ବିଭିନ୍ନ ସଂଗଠନ ସହିତ ଜଡିତ ଥିଲେ । ୧୯୭୫ର ଜରୁରୀ ପରିସ୍ଥିତି ସମୟରେ ସେ ମଧ୍ୟ ୧୯ମାସ କାରାବରଣ କରିଥିଲେ ।
୧୯୭୭ରେ କିରଣ ଲେଖା ଜନତାପାର୍ଟିର ପ୍ରାର୍ଥୀ ଭାବେ ପିପିଲି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଏହି ଆଦର୍ଶ ଦମ୍ପତ୍ତିଙ୍କର ସାଇକେଲଟିଏ ଛଡା ଅନ୍ୟ ଯାନବାହାନ ନଥିଲା । ଏମାନେ ଭୁବନେଶ୍ୱରରୁ ନିଜ ନିର୍ବାଚନମଣ୍ଡଳୀକୁ ବସ୍ ଓ ରେଳରେ ଯାଇ ସେଠାରୁ ରିକ୍ସା, ଶଗଡ, ସାଇକେଲ ଆଦିରେ ଗାଁ ଗଣ୍ଡାକୁ ଯାଉଥିଲେ । ଏମିତିକି ବିଧାନସଭା ଅଧିବେଶନରେ ଯୋଗ ଦେବାପାଇଁ ଚାଲି ଚାଲି କିମ୍ବା ରିକ୍ସାରେ ଆସୁଥିଲେ ।
ଓଡିଶା ସରକାର ବିଧାନସଭାରେ ସ୍ୱତନ୍ତ୍ର ବିଧେୟକ ଆଣି ପୂର୍ବତନ ବିଧାୟକମାନଙ୍କ ପାଇଁ ପେନ୍ସନ ବ୍ୟବସ୍ଥା କରିବା ଘଟଣାରେ ଜୟକୃଷ୍ଣ ଓ କିରଣଲେଖା ଗଣମାଧ୍ୟମରେ ଓ ସାଧାରଣ ସଭାରେ ଏହାର ଖୋଲା ବିରୋଧ କରିଥିଲେ । ସେମାନଙ୍କୁ ବହୁ ଅଧିକାରୀ ଓ ପୂର୍ବତନ ବିଧାୟକ ଓ ମନ୍ତ୍ରୀ ପେନ୍ସନ ନେବାକୁ ପ୍ରବର୍ତ୍ତାଇଥିଲେ ମଧ୍ୟ ଏହି ଦମ୍ପତ୍ତି ବିଧାୟକ ପେନ୍ସନକୁ ରୋକଠୋକ୍ ଭାବେ ପ୍ରତ୍ୟାଖାନ କରିଥିଲେ ବୋଲି ସେମାନଙ୍କ ଉତ୍ତରାଧିକାରୀମାନେ କୁହନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଏବେ ପୂର୍ବତନ ବିଧାୟକମାନଙ୍କ ପେନ୍ସନ ୩୦ ହଜାରରୁ ୮୦ ହଜାର, ଚିକିତ୍ସା ଭତ୍ତା ୨୫ହଜାର ଓ ଗସ୍ତଖର୍ଚ୍ଚ ୧୨,୫୦୦ ଟଙ୍କା କରାଯାଇଛି । ଫଳରେ ୨୦ବର୍ଷ ବିଧାୟକ ଥିବା ବ୍ୟକ୍ତି ଏବେ ମାସକୁ ୧ଲକ୍ଷ ୬୨ହଜାର ଟଙ୍କାରୁ ଅଧିକ ପେନ୍ସନ ପାଇବାକୁ ଯାଉଛନ୍ତି । (ତଥ୍ୟ)

